ବନ୍ୟାଞ୍ଚଳ ଅନୁଧ୍ୟାନ ଓ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ଵର ଜିଲ୍ଲାର ୩ଟି ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ଉଦବେଗଜନକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭୋଗରାଇ, ବାଲିଆପାଳ, ଜଳେଶ୍ଵର ଓ ବସ୍ତା ବ୍ଲକର ବନ୍ୟା ସ୍ଥିତି ଆକାଶ ମାର୍ଗରୁ ନିରୀକ୍ଷଣ କରିଥିଲେ। ପରେ ବାଲେଶ୍ଵର ପାଛୋଡିଆ ସ୍ଥିତ ପଦ୍ମାବତୀ ପାର୍କ ପରିସରରେ ବାଲେଶ୍ଵର ବନ୍ୟା ସ୍ଥିତିର ସମୀକ୍ଷା କରିଥିଲେ।

ସମୀକ୍ଷା ବୈଠକରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଜିଲ୍ଲାର ବନ୍ୟା ସ୍ଥିତି ଉପରେ ଟିପ୍ପଣୀ ରଖିଥିଲେ। ସୁବର୍ଣ୍ଣରେଖା ନଦୀରେ ଭୟଙ୍କର ବନ୍ୟା ପ୍ରଭାବରେ ୩୫ ପଞ୍ଚାୟତ କ୍ଷତିଗ୍ରସ୍ତ ହେବା ସହ ୧୫ ପଞ୍ଚାୟତରୁ ୨ ହଜାର ଲୋକଙ୍କୁ ଅସ୍ଥାୟୀ ସ୍ଥାନାନ୍ତର କରାଯାଇଛି ବୋଲି କହିଥିଲେ। ପ୍ରଶାସନ ପକ୍ଷରୁ ଜଳ ଘେରରେ ଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ୮ଫାୟାର ଟିମ, ୩ ଓଡ୍ରାଫ ସାଙ୍ଗକୁ ଗୋଟିଏ ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି ବୋଲି କହିଥିଲେ। ପରେ ମୁଖ୍ୟମନ୍ତ୍ରୀ ବନ୍ୟାର ମୁକାବିଲା ଓ ଶୂନ୍ୟ ମୃତ୍ୟୁ ଉପରେ ଗୁରୁତ୍ୱାରୋପ ଦେଇଥିଲେ।

ବୈଠକରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସରକାରୀ ଡାକରା ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଦାସ, ବାଲେଶ୍ଵର ବିଧାୟକ ମାନସ କୁମାର ଦତ୍ତ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ଏସପି ସାଗରିକା ନାଥ, ଜିଲ୍ଲା ପରିଷଦର ଉନ୍ନୟନ ଅଧିକାରୀ ବିଶ୍ବରଂଜନ ନାୟକ ଉପସ୍ଥିତ ଥିଲେ।ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ଉତ୍ତରବାଲେଶ୍ଵର ବନ୍ୟାର ସ୍ଥାୟୀ ପ୍ରତିକାର ନିମନ୍ତେ ଦୃଷ୍ଟି ଦିଆଯିବ ବୋଲି କହିଥିଲେ। ବହୁ ପ୍ରତୀକ୍ଷିତ ନଦୀ ସଂସ୍କାର ଯୋଜନା କାର୍ଯ୍ୟକାରୀ ନିମନ୍ତେ ବିଧିବଦ୍ଧ ମ୍ୟାପ ପ୍ରସ୍ତୁତ ସହ ବିସ୍ତୃତ ରିପୋର୍ଟ ପାଇଁ ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ। ତତ୍ସହ ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ଉଦ୍ଧାର, ଶୁଖିଲା ଓ ରନ୍ଧା ଖାଦ୍ୟ ଦେବ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୮ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ଉତ୍ତର ବାଲେଶ୍ଵରର ୩୫ ପଞ୍ଚାୟତ ବିଶେଷ ବାଧାପ୍ରାପ୍ତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।

ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ବିପଦ ସଂକେତ ଠାରୁ ଯଥେଷ୍ଟ ଉର୍ଦ୍ଧ୍ବରେ ପ୍ରବାହିତ ହେଉଛି। ଏହାର ବିପଦ ସଂକେତ ୧୦.୩୬ ମିଟର ଥିବାବେଳେ ଅପରାହ୍ନ ୨ଟା ସୁଦ୍ଧା ୧୧.୬୧ ମିଟରରେ ଜଳ ପ୍ରବାହିତ ହେଉଛି। ତେବେ ଉପରମୁଣ୍ଡରେ ବର୍ଷ ବନ୍ଦ ପାଇଁ ଆଉ ଅଧିକ ଜଳସ୍ତର ବୃଦ୍ଧି ପାଇବା ନାହିଁ ବୋଲି ଆଶା କରାଯାଉଛି। ତେବେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା ସହ ବନ୍ୟା ପରେ ଡାଇରିଆ ସମ୍ଭାବନା ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଧିକାରୀଙ୍କୁ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ।

Post Views19 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!