ପଦାକୁ ଆସୁଛି ଭରତପୁର ଥାନାର ନିର୍ଯାତନା କାହାଣୀ

ଭୁବନେଶ୍ୱର AIIMSରୁ ମେଜର ଗୁରୁବଂଶଙ୍କ ବାନ୍ଧବୀଙ୍କ ସାଂଘାତିକ ଅଭିଯୋଗ । କାନ୍ଦି କାନ୍ଦି ବଖାଣିଲେ ପୋଲିସ ବର୍ବରତାର କାହାଣୀ । AIIMSରେ ଚିକିତ୍ସିତ ହୋଇ ସ୍ୱାସ୍ଥ୍ୟ ଅବସ୍ଥା ଟିକେ ସୁଧୁରିବା ପରେ ଆଜି ଘଟଣା ଦିନର ପୂରା କାହାଣୀ ବଖାଣିଛନ୍ତି ମେଜର ଗୁରୁବଂଶଙ୍କ ବାନ୍ଧବୀ। ଅପରପକ୍ଷେ ଗତକାଲି ନିର୍ଦ୍ଦେଶ ପରେ ଆଜି ତଳ କୋର୍ଟଙ୍କ ସର୍ତ୍ତରେ ତାଙ୍କୁ ଜାମିନ ମିଳିଛି ।

ହେଲେ ଯେଉଁଥିପାଇଁ ଏତେ କାଣ୍ଡ, ଯେଉଁଥିପାଇଁ ରାତି ଅଧରେ ଜଣେ ଆର୍ମି ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଥାନାକୁ ଯିବାକୁ ପଡ଼ିଲା ଆଇନର ପଞ୍ଝାକୁ କେବେ ଆସିବେ ସେମାନେ ? ଉତ୍ପାତିଆ ରୋଡ୍ ରୋମିଓଙ୍କୁ କେବେ ଧରିବ ପୋଲିସ୍ ? ଆର୍ମି ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଭରତପୁର ଥାନାଧିକାରୀ ଦୀନକୃଷ୍ଣ ମିଶ୍ର ଏବଂ ଅନ୍ୟ ୪ କର୍ମଚାରୀଙ୍କ ନିଲମ୍ବନ ପରେ ଏବେ ଅଭିଯୁକ୍ତ ରୋଡ୍ ରୋମିଓଙ୍କ ଉପରେ ବି ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ।

ଖୋଦ୍ ପୋଲିସ୍ ଡିଜି, ଆର୍ମି ମେଜରଙ୍କ ମୂଳ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ରୋଡ୍ ରୋମିଓଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଏପଟେ ରୋଡ୍ ରୋମିଓଙ୍କ ବାବଦରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ। ଘଟଣା ଦିନ ରାତିରେ ସଂପୃକ୍ତ ରୋଡ୍ ରୋମିଓମାନେ ପଥରଗାଡ଼ିଆ ଓ ଭରତପୁର ରାସ୍ତାରେ କେବଳ ମେଜର ଓ ତାଙ୍କ ବାନ୍ଧବୀ ନୁହେଁ, ଚନ୍ଦକା ରାସ୍ତାରେ ଅନ୍ୟ ଜଣେ ଦମ୍ପତ୍ତିଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ପାଇଛି। ତେଣୁ ଏହିସବୁ ରାସ୍ତାରେ ଲାଗିଥିବା ସିସିଟିଭି ଆଧାରରେ ରୋଡ ରୋମିଓଙ୍କୁ ଧରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଏପଟେ ଥାନା ଭିତରେ ବର୍ବରକାଣ୍ଡ ପାଇଁ ଓଡ଼ିଶା ପୋଲିସକୁ ବଦନାମ୍ କରିଥିବା ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ବିରୋଧରେ ସାମ୍ନାକୁ ଆସିଛି ଆଉ ଏକ ସାଂଘାତିକ ଅଭିଯୋଗ। ଥାନାକୁ ଅଭିଯୋଗ ଆଣି ଆସିଲେ କିଭଳି ଟଙ୍କା ମଗାଯାଉଥିଲା ତାର ପୋଲ୍ ଖୋଲିଛନ୍ତି ଜଣେ ଏତଲକାରୀ ଧିରେନ୍ଦ୍ର କୁମାର ଭୁତିଆ। କହିଛନ୍ତି, ଗାଡ଼ି ଚୋରି ନେଇ ସମସ୍ତ ସିସିଟିଭି ଫୁଟେଜ୍ ସହ ପୋଲିସରେ ଅଭିଯୋଗ କରିବାକୁ ଆସିଥିଲେ ବି ଘଟଣାସ୍ଥଳକୁ ତଦନ୍ତ ପାଇଁ ଯିବାକୁ ପିସିଆରରେ ତେଲ ପକାଇବାକୁ ହଜାରେ ଟଙ୍କା ମଗାଯାଇଥିଲା। ଟଙ୍କା ଦେବା ପରେ ବି ତଦନ୍ତରୁ ନ୍ୟାୟ ମିଳିନଥିବା ଅଭିଯୋଗ କରିଛନ୍ତି ଧିରେନ୍ଦ୍ର। ତେବେ ଏନେଇ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଅପପକ୍ଷେ ଭରତପୁର ଥାନା ଘଟଣାକୁ ଗୁରୁତ୍ୱର ସହ ନେଇ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ଜାତୀୟ ମହିଳା କମିଶନ। ଘଟଣାରେ କମିଶନ୍ ରାଜ୍ୟ ପୋଲିସ ଡିଜିଙ୍କୁ ନୋଟିସ ଜାରି କରି କଣ କାର୍ଯ୍ୟାନୁଷ୍ଠାନ ହୋଇଛି ସେ ନେଇ ୩ ଦିନ ମଧ୍ୟରେ ଜଣାଇବାକୁ କହିଛନ୍ତି ।

Post Views32 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!