ଲୁଟେରା ସାଜିଲେ ଦାଦନ

ପେଟ ପାଇଁ ଦାଦନ ଖଟିବାକୁ ସୁରତ ଯାଇଥିଲେ। ହେଲେ ସେଠାରେ ଦାଦନ ଖଟିବେ କ’ଣ ଚୋରି କଳା ଶିଖିଲେ! ରାସ୍ତାରେ ଏକୁଟିଆ ଯାଉଥିବା ମହିଳା ଓ ଯୁବତୀଙ୍କ ବେକରୁ ସୁନା ଚେନ୍‌ ଲୁଟ୍‌ ନେଉଥିଲେ। ପରବର୍ତ୍ତୀ ସମୟରେ ସେହି ଚୋରି କଳା ଧରି ଓଡ଼ିଶା ଫେରିଲେ ସୁବାସ ପ୍ରଧାନ। ପୁରୀ ଓ ଭୁବନେଶ୍ୱରରେ ନିଜର ଗ୍ୟାଙ୍ଗ କରି ଲୁଟ୍‌ କରୁଥିବା ବେଳେ କମିଶନରେଟ୍‌ ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି ସୁବାସ ପ୍ରଧାନ ଏବଂ ତାଙ୍କ ସହଯୋଗୀ ।

ସୁବାସ ପ୍ରଧାନ ଜଣେ ଓଡ଼ିଆ। ସେ ୨୦୦୮ ମସିହାରେ ଦାଦନ ଖଟିବା ପାଇଁ ସୁରତ ଯାଇଥିଲେ। ସେଠାରେ ଦାଦନ ଖଟିବେ କ’ଣ ଲୁଟ୍‌ପାଟ୍‌ରେ ମାତିଲେ। ୨୦୧୪ ମସିହାରେ ସେ ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିଲେ। ହେଲେ ଧରାପଡିଯିବା ଭୟରେ ସେ ପୁରୀ ପଳାଇ ଆସିଥିଲେ। ପୁରୀ ଆସିଲା ବେଳେ ଶ୍ରୀ ପ୍ରଧାନ ନିଜର ସହଯୋଗୀ(ମହାରାଷ୍ଟ୍ର)ଙ୍କୁ ସାଥୀରେ ଧରି ଆସିଥିଲେ। ତା’ପରେ ନିଜସ୍ୱ ଗ୍ୟାଙ୍ଗ କରି ଲୁଟ୍‌ପାଟ୍‌ରେ ମାତିଥିଲେ। ସକାଳେ, ଦି’ପହର ଓ ସନ୍ଧ୍ୟା ବେଳେ ଏକୁଟିଆ ଯାଉଥିବା ମହିଳା ବା ଯୁବତୀଙ୍କୁ ଟାର୍ଗେଟ କରୁଥିଲେ। ଆଉ ସୁବିଧା ସୁଯୋଗ ଦେଖି ସୁନା ଚେନ୍‌ ଲୁଟ୍‌ କରୁଥିଲେ।

ପରବର୍ତ୍ତୀ ସମୟରେ ଅର୍ଥାତ ଗତ ଜୁନ୍‌ ମାସରେ ସୁବାସ ପ୍ରଧାନ ଓ ତାଙ୍କର ସାଥୀ ରାଜଧାନୀ ଭୁବନେଶ୍ୱର ଆସିଥିଲେ। ସେମାନେ ଆଉ ଦୁଇ ଜଣଙ୍କୁ ନିଜ ଗ୍ୟାଙ୍ଗରେ ସାମିଲ୍‌ କରାଇ ଥିଲେ। ତା’ପରେ ଆରମ୍ଭ କରୁଥିଲେ ଲୁଟ୍‌ପାଟ୍‌। ପୁରୀ ଭଳି ଏଠାରେ ଏକୁଟିଆ ଯାଉଥିବା ମହିଳା ବା ଯୁବତୀଙ୍କୁ ଟାର୍ଗେଟ କରୁଥିଲେ। ଆଉ ଆଖି ପିଛୁଳାକେ ଚେନ୍‌ ଧରି ଚମ୍ପଟ ମାରୁଥିଲେ। ଗତ ୩ ମାସ ହେଲା ସେମାନେ ପଥଚାରୀଙ୍କୁ ନାକେଦମ୍‌ କରିଥିଲେ। ଏମାନେ ୯ରୁ ଅଧିକ ଚେନ୍‌ ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସିସିଟି ଫୁଟେଜ ଆଧାରରେ ସୁବାସ ପ୍ରଧାନଙ୍କ ସମେତ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍‌ ପୁଲିସ। ସେମାନଙ୍କଠାରୁ ପୁଲିସ୍‌ ଅନେକ ସୁନା ଓ ଇମିଟେସନ୍‌ ଚେନ୍‌ ଜବତ କରିଛି।

ପୁଲିସ୍‌ କମିଶନର ସଞ୍ଜୀବ ପଣ୍ଡାଙ୍କ କହିବା ଅନୁସାରେ ଗିରଫ ଅଭିଯୁକ୍ତଙ୍କଠାରୁ ୮ଟି ସୁନା ଚେନ୍‌, ୫ଟି ଇମିଟେସନ୍‌ ଚେନ୍‌ ଓ ଲୁଟ୍‌ରେ ବ୍ୟବହାର ହେଉଥିବା ୨ଟି ବାଇକ୍‌ ଜବତ କରାଯାଇଛି। ଅଭିଯୁକ୍ତମାନେ ସୁରତ ଓ ପୁଲିସ୍‌ ମାମଲାରେ ୱାଣ୍ଟେଡ୍‌ ଅଛନ୍ତି। ଏନେଇ ସୁରତ ଓ ପୁରୀ ପୁଲିସ୍‌କୁ ସୂଚନା ଦିଆଯାଇଛି। ସେମାନେ ଆସି ଏମାନଙ୍କୁ ଜେରା କରିବେ। ଗତ ୩ ମାସ ହେଲା ଏମାନେ ରାଜଧାନୀରେ ଆକ୍ଟିଭ ଥିଲେ। ପୂଜା ପୂର୍ବରୁ ଏମାନେ ଗିରଫ ହେବା କମିଶନରେଟ ପୁଲିସ୍‌ ପାଇଁ ବଡ଼ ସଫଳତା ବୋଲି ପୁଲିସ୍‌ କମିଶନର କହିଛନ୍ତି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!