ଧର୍ମଘଟ ନିଷ୍ପତ୍ତିରୁ ଓହରିଲା ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍ ମାଲିକ ସଂଘ । ସନ୍ଧ୍ୟାରୁ ଆରମ୍ଭ ହେବାକୁ ଥିବା ବସ୍ ଧର୍ମଘଟ ଶେଷରେ ପ୍ରତ୍ୟାହୃତ ହୋଇଛି । ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଗୋଳନ୍ଥରାସ୍ଥିତ ବାସଭବନରେ ଆଜି ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ତଥା ବ୍ଲକ ଏବଂ ଜିଲ୍ଲା ସଦର ମହକୁମା ମଧ୍ୟରେ ଟାୟାର-ଟୁ AC ବସ୍ ସେବା ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିଲା । ଲକ୍ଷ୍ମୀ ବସ୍ ଚଳାଚଳ ହେତୁ ସେମାନେ ବହୁ କ୍ଷତିର ସମ୍ମୁଖୀନ ହେଉଥିବାରୁ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଯାତାୟତ କରୁଥିବା ଟାୟାର-ଟୁ AC ବସ୍ ସେବାକୁ ବନ୍ଦ କରିବାକୁ ଦାବି କରିଥିଲେ ।
ସରକାର ଏନେଇ କୌଣସି ନିଷ୍ପତ୍ତି ନ ନେଲେ ଆଜିଠୁ ୧୪ ଜିଲ୍ଲାରେ ୨୪ ଘଣ୍ଟିଆ ବସ୍ ସେବା ବନ୍ଦ ରଖିବାକୁ ଗତକାଲି ଚେତାବନୀ ଦେଇଥିଲେ ପଶ୍ଚିମାଞ୍ଚଳ ଏବଂ ଦକ୍ଷିଣାଞ୍ଚଳର ୨୪ଟି ଘରୋଇ ବସ୍ ମାଲିକ ସଂଘର ସଦସ୍ୟ । ଆଜି ସଂଧ୍ୟା ୬ଟାରୁ ୮ ତାରିଖ ସଂଧ୍ୟା ୬ଟା ଯାଏଁ ୧୪ ଜିଲ୍ଲାରେ ଘରୋଇ ବସ୍ ଗଡ଼ିବନି ବୋଲି ସେମାନେ କହିଥିଲେ। ଏହାପରେ ଗତକାଲି ମନ୍ତ୍ରୀ ଆପୋଷ ଆଲୋଚନାରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ବୈଠକ ପାଇଁ ଆମନ୍ତ୍ରଣ କରିଥିଲେ।

