ଅସନ୍ତୋଷ ଭକ୍ତ, ଶୁଖିଲା ଦର ଶୁଣିଲେ ଲାଗୁଚି ଭୟ

ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତର ଇଚ୍ଛା ଜଗା ଦର୍ଶନ, ମହାପ୍ରସାଦ ସେବନ। ହେଲେ ଶଙ୍ଖୁଡ଼ି ହେଉ କି ଶୁଖିଲି, ଯେକୌଣସି ଭୋଗ କିଣିଲା ବେଳକୁ ରେଟ୍ ଶୁଣି ଭକ୍ତର ମୁଣ୍ଡ-କାନ ଝାଇଁ ମାରିଯାଉଛି। ସବୁ ଦର ହଠାତ୍ ତିନି ଗୁଣା ଉଚ୍ଚା। କେବଳ ଓମଫେଡ୍ ଘିଅରେ ଭୋଗ ପ୍ରସ୍ତୁତ ହେଉଥିବାରୁ କିଛି କରିହେବନି କହି ମହାସୁଆର ନିଯୋଗ ହାତ ଟେକି ଦେଇଥିବାବେଳେ ରାଜ୍ୟ ସରକାର କହିଛନ୍ତି- ଶ୍ରୀମନ୍ଦିରର ଶୁଦ୍ଧତା ସହ ଆଦୌ ସାଲିସ୍ କରାଯିବନି ।

ଅବଢ଼ା ଅମୂଲ ମୂଲ । କିଣି ହେଉନି ଶୁଖିଲି ଭୋଗ । ଶ୍ରୀମନ୍ଦିରରେ ଜଗା ଦର୍ଶନ ସାରି ଆନନ୍ଦ ବଜାରକୁ ମହାପ୍ରସାଦ ଟିକେ ପାଇବାକୁ ଆସିଲା ବେଳକୁ ଚଢ଼ା ରେଟ୍ ଶୁଣି ଭକ୍ତ ଛାନିଆ। ଯେଉଁଠି ଶହେ ଟଙ୍କା ଦେଲେ ଅନ୍ନ, ଡାଲି ଓ ବେସର ଟିକେ ମିଳୁଥିଲା, ଏବେ ତାହା ୨ଶହ ଟଙ୍କା ଉପରେ। ଶୁଖିଲି ଭୋଗ ଭାବେ ପିଠା, ଖଜା ରେଟ୍ ତିନି ଗୁଣା ଉଚ୍ଚା। ଆଗରୁ ୫ଟଙ୍କାରେ ମିଳୁଥିବା ଖଜା ଏବେ ୧୫ ଟଙ୍କା, ୧୫ଟଙ୍କିଆ ପିଠା ୩୦ ଟଙ୍କା ତ ୩୦ ଟଙ୍କିଆ ଅମାଲୁ ୫୦ଟଙ୍କାରେ ବିକ୍ରି ହେଉଛି। ଧର୍ମ ମାସ କାର୍ତ୍ତିକ ମାସ ଆରମ୍ଭ ନହେଉଣୁ ଆନନ୍ଦ ବଜାରରେ ଏଭଳି ଆକାଶ ଛୁଆଁ ଦର ବୃଦ୍ଧିକୁ ନେଇ ସାଧାରଣ ଭକ୍ତ ନିରାଶ ହୋଇଥିବାବେଳେ ବରିଷ୍ଠ ସେବାୟତ ବି ଏହାକୁ ନାପସନ୍ଦ କରିଛନ୍ତି ।

ସେପଟେ ଶ୍ରୀମନ୍ଦିର ଉପ-ମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଅବଢ଼ା ଦର ବୃଦ୍ଧି ନିରାକରଣ ପ୍ରସଙ୍ଗରେ ସ୍ପଷ୍ଟ ଉତ୍ତର ରଖିନଥିବାବେଳେ ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ସହ ରେଟ୍ ଚାଟ୍ ଲଗାଇବାକୁ ଉଦ୍ୟମ ଚାଲିଥିବା କହିଛନ୍ତି। ସେମିତି ଆଇନମନ୍ତ୍ରୀ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି-ଶ୍ରୀମନ୍ଦିରରେ ଦୀପ ହେଉ କି ମହାପ୍ରସାଦ,ଶୁଦ୍ଧତାକୁ ନେଇ କୌଣସି ପ୍ରକାର ସାଲିସ କରାନଯିବାକୁ ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଥିଲା।

Post Views27 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!