ନୂଆ ପୋଷାକ ସାଙ୍ଗକୁ ହଳଦିପତର ପିଠା(ଏଣ୍ଡୁରି)ର ମହକରେ ମହକି ଉଠେ ପ୍ରତ୍ୟେକ ଓଡ଼ିଆଙ୍କ ଘର। ଏହି ପିଠା ଶରୀରକୁ ଅନେକ ରୋଗରୁ ରକ୍ଷା କରେ। ତେବେ ଆସନ୍ତୁ ଜାଣିବା ପ୍ରଥମାଷ୍ଟମୀରେ କାହିଁକି ହୁଏ ଏଣ୍ଡୁରି ପିଠା ।
ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ ହେଉଥିବା ପ୍ରଥମାଷ୍ଟମୀକୁ ପଢୁଆଁଷ୍ଟମୀ ମଧ୍ୟ କୁହାଯାଏ। ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷ ଆରମ୍ଭ ହେଉଥିଲା। ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଛି। ତେବେ ପ୍ରାୟ ପୂଜା ପାର୍ବଣ ଦେବଦେବୀଙ୍କୁ ସମ୍ମାନ ପାଇଁ କରାଯାଉଥିବାବେଳେ ପ୍ରଥମାଷ୍ଟମୀକୁ ଘରର ବଡ଼ମାନଙ୍କୁ ସେମାନଙ୍କର ବଡ଼ ହେବାର ଅଧିକାର ପାଇଁ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନ ପରିବାରର ପ୍ରଥମ ଜାତ ସନ୍ତାନଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ।

