ସୀମା ପୁନଃ ନିର୍ଦ୍ଧାରଣକୁ ଆଉ ୨୫ ବର୍ଷ ଘୁଞ୍ଚାଇବା ନିମନ୍ତେ କମିଟି କେନ୍ଦ୍ରକୁ ନିବେଦନ

ସୀମା ପୁନଃ ନିର୍ଦ୍ଧାରଣ) ପଦ୍ଧତିକୁ ବିରୋଧ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଦ୍ୱାରା ଆହୂତ ଡିଏମ୍‌କେ ନେତୃତ୍ୱାଧୀନ ଯୁଗ୍ମ କ୍ରିୟାନୁଷ୍ଠାନ କମିଟି (ଜେଏସି) ବୈଠକ ଶନିବାର ଚେନ୍ନାଇରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପଯୁକ୍ତ ଡିଲିମିଟେଶନକୁ ସୁନିଶ୍ଚିତ କରିବା ଉପରେ କମିଟି ଜୋର୍‌ ଦେଇଛି। ୧୯୭୧ ଜନସଂଖ୍ୟା ଆଧାରରେ କରାଯାଇଥିବା ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣକୁ ଆଉ ୨୫ ବର୍ଷ ଘୁଞ୍ଚାଇବା ନିମନ୍ତେ କମିଟି କେନ୍ଦ୍ରକୁ ନିବେଦନ କରିଛି। ଏମ୍‌ପିମାନଙ୍କ ଏକ ମିଳିତ ପ୍ରତିନିଧି ଦଳ ପାର୍ଲାମେଣ୍ଟ ଅଧିବେଶନ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଏଥିପାଇଁ ଦାବି କରିବାକୁ ନିଷ୍ପତ୍ତି ହୋଇଛି। ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଉକ୍ତ ବୈଠକରେ ଯୋଗଦେଇ ନାହିଁ।
ଜେଏସି ବୈଠକରେ ଗୃହୀତ ହୋଇଥିବା ସଂକଳ୍ପ ଅନୁଯାୟୀ, ଗଣତାନ୍ତ୍ରିକ ମୂଲ୍ୟବୋଧରେ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ହେବାକୁ ଥିବା ଯେକୌଣସି ଡିଲିମିଟେଶନ ସ୍ବଚ୍ଛତାର ସହ କରାଯିବା ଉଚିତ, ଯେପରି ସମସ୍ତ ରାଜ୍ୟର ରାଜନୈତିକ ଦଳ, ରାଜ୍ୟ ସରକାର ଏବଂ ଅନ୍ୟାନ୍ୟ ଅଂଶୀଦାର ବିଚାରବିମର୍ଶ, ଆଲୋଚନା ଏବଂ ମତାମତ ଦେବାର ସୁଯୋଗ ପାଇବେ। ଯେଉଁ ରାଜ୍ୟଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣ ପଦକ୍ଷେପକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିଛନ୍ତି, ସେହି ରାଜ୍ୟଗୁଡ଼ିକୁ ସୁରକ୍ଷା ପ୍ରୋତ୍ସାହନ ଯୋଗାଇବା ୪୨ତମ, ୮୪ତମ ଏବଂ ୮୭ତମ ସମ୍ବିଧାନ ସଂଶୋଧନ ପଛର ବ୍ୟବସ୍ଥାପିକାଗତ ଉଦ୍ଦେଶ୍ୟ ଥିଲା। ଜାତୀୟ ଜନସଂଖ୍ୟା ସ୍ଥିରତା ଲକ୍ଷ୍ୟ ଏପର୍ଯ୍ୟନ୍ତ ହାସଲ ହୋଇପାରି ନ ଥିବାରୁ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାକୁ ଆଉ ୨୫ ବର୍ଷ ବନ୍ଦ ରଖାଯିବା ଆବଶ୍ୟକ ବୋଲି କମିଟି କହିଛି। ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିବା ଫଳରେ ଲୋକସଂଖ୍ୟା କମିଥିବା ରାଜ୍ୟଗୁଡ଼ିକ ଦଣ୍ଡିତ ହେବା ଉଚିତ ନୁହେଁ। ଏହି ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ସମ୍ବିଧାନରେ ଆବଶ୍ୟକ ପରିବର୍ତ୍ତନ ଆଣିବା ଜରୁରୀ ବୋଲି ସଂକଳ୍ପରେ କୁହାଯାଇଛି।
ବୈଠକରେ ଉଦ୍‌ବୋଧନ ଦେଇ ଷ୍ଟାଲିନ୍‌ କହିଥିଲେ, ଯଥେଷ୍ଟ ରାଜନୈତିକ ସାମର୍ଥ୍ୟ ନ ଥିବା ରାଜ୍ୟଗୁଡ଼ିକର ନ୍ୟାୟ ପାଇଁ ଉଠାଉଥିବା ସ୍ବରକୁ ଅଣଦେଖା କରାଯାଉଛି। ପାର୍ଲାମେଣ୍ଟରେ ଆମ ପ୍ରତିନିଧିତ୍ୱକୁ ହ୍ରାସ କରାଗଲେ ଆମ ରାଜନୈତିକ ସାମର୍ଥ୍ୟ ଆହୁରି ହ୍ରାସ ପାଇବ ବୋଲି ସେ କହିଛନ୍ତି।

Post Views6 Total Count

Apply Now


This will close in 0 seconds

error: Content is protected !!