ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କର ଶ୍ରୀଲଙ୍କା ଗସ୍ତ ସମୟରେ ‘ମିତ୍ର ବିଭୂଷଣ’ ସମ୍ମାନରେ ସମ୍ମାନୀତ କରାଯାଇଛି। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୌଣସି ବିଦେଶୀ ରାଷ୍ଟ୍ର ଦ୍ୱାରା ଦିଆଯାଇଥିବା ୨୨ତମ ଅନ୍ତର୍ଜାତୀୟ ସମ୍ମାନ।ଦୁଇ ଦେଶର ସହଭାଗୀ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଐତିହ୍ୟର ପ୍ରୋତ୍ସାହନ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କର ଅସାଧାରଣ ପ୍ରୟାସ ଲାଗି ଏହି ସମ୍ମାନ ପ୍ରଦାନ କରାଯାଇଛି।
ଶ୍ରୀଲଙ୍କାର ‘ମିତ୍ର ବିଭୂଷଣ’ ପଦକ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଶ୍ରୀଲଙ୍କାର ମିତ୍ର ବିଭୂଷଣରେ ସମ୍ମାନିତ ହେବା ମୋ ପାଇଁ ଗର୍ବର ବିଷୟ। ଏହି ପଦକ ଭାରତ-ଶ୍ରୀଲଙ୍କା ସମ୍ପର୍କର ଗଭୀରତା ଏବଂ ଉଷ୍ମତାକୁ ପ୍ରତିଫଳିତ କରିଛି। ଏହି ସମ୍ମାନ କେବଳ ମୋର ନୁହେଁ, ବରଂ ଏହା ୧୪୦ କୋଟି ଭାରତୀୟଙ୍କ ସମ୍ମାନ। ଏହା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଐତିହାସିକ ସମ୍ପର୍କ ଏବଂ ଗଭୀର ବନ୍ଧୁତା ପ୍ରତି ଏକ ସମ୍ମାନ।
ସମ୍ମାନରେ ପ୍ରଦାନ କରାଯାଇଥିବା ପଦକରେ ଧର୍ମ ଚକ୍ର ଚିତ୍ରିତ କରାଯାଇଛି। ଯାହା ଦୁଇ ଦେଶର ସାଂସ୍କୃତିକ ପରମ୍ପରାକୁ ଆକାର ଦେଇଥିବା ସହଭାଗୀ ବୌଦ୍ଧ ଐତିହ୍ୟକୁ ପ୍ରତିନିଧିତ୍ୱ କରୁଛି। ଏହା ନଅଟି ମୂଲ୍ୟବାନ ରତ୍ନରେ ଖଚିତ, ପଦ୍ମ ପାଖୁଡ଼ା ଦ୍ୱାରା ଘେରି ରହିଥିବା ଏକ ଗ୍ଲୋବ୍ ମଧ୍ୟରେ ଚିତ୍ରିତ।ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଦାନ ଯାଇଥିବା ଏହି ସମ୍ମାନ ଶ୍ରୀଲଙ୍କା ଏବଂ ଅନ୍ୟାନ୍ୟ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ତାଙ୍କ ପ୍ରୟାସକୁ ପ୍ରଶଂସିତ କରିଛି। ଏହି ସମ୍ମାନ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଐତିହାସିକ ସମ୍ପର୍କ ଏବଂ ଗଭୀର ବନ୍ଧୁତାକୁ ମଧ୍ୟ ପ୍ରତିଫଳିତ କରିଛି।

