ପୁରୀ ଝିଅ ସହ ରହିଛି ପାକିସ୍ତାନୀ ସ୍ପାଏ ଜ୍ୟୋତି !ମାଲହୋତ୍ରାଙ୍କ ସମ୍ପର୍କ

ଶତ୍ରୁରାଷ୍ଟ୍ର ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାକୁ ହରିୟାଣା ପୋଲିସ ଗିରଫ କରିବା ପରେ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି । ଏହାରି ଭିତରେ ପୁରୀର ଜଣେ ମହିଳା ୟୁଟ୍ୟୁବରଙ୍କ ସହ ତାଙ୍କର ବନ୍ଧୁତ୍ୱ ସ୍ଥାପନ ହୋଇଥିଲା । ଉଭୟ ଅନେକ ସ୍ଥାନକୁ ବୁଲାବୁଲି କରିବା ସହ ବ୍ଲଗ୍ ମଧ୍ୟ କରିଥିଲେ । ଏହି ଘଟଣା ଜାଣିବା ପରେ ପୁରୀ ୟୁଟ୍ୟୁବର ନିଜ ଇନ୍‌ଷ୍ଟାଗ୍ରାମରେ ସ୍ପଷ୍ଟୀକରଣ ଦେଇ ଲେଖିଛନ୍ତି, ୟୁଟ୍ୟୁବ ମାଧ୍ୟମରେ ମୁଁ ଜ୍ୟୋତିଙ୍କୁ ଚିହ୍ନିଥିଲି । ତାଙ୍କ ସମ୍ପର୍କରେ ମୁଁ ଏତେ ମାତ୍ରାରେ ଅବଗତ ନଥିଲି । ସେ ପାକିସ୍ତାନ ଗୁପ୍ତଚର ଭାବେ କାମ କରୁଛନ୍ତି ବୋଲି ମୁଁ ଜାଣିଥିଲେ କେବେ ବି ତାଙ୍କ ସହ ଯୋଗାଯୋଗରେ ଆସିନଥାନ୍ତି । ତାଙ୍କ ସମ୍ପର୍କରେ ଏସବୁ ଜାଣିବା ପରେ ଏବେ ମୋତେ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଛି । ଯଦି କୌଣସି ତଦନ୍ତକାରୀ ସଂସ୍ଥା ମୋତେ ପ୍ରଶ୍ନ ପଚାରନ୍ତି ତେବେ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି ।

ସେହିଭଳି ତାଙ୍କ ବାପା ମଧ୍ୟ ସମାନ ପ୍ରତିକ୍ରିୟା ଦେଇ କହିଛନ୍ତି ପୋଲିସକୁ ଆମେ ପୂର୍ଣ୍ଣ ସହଯୋଗ କରିବୁ । ଜ୍ୟୋତି ପାକିସ୍ତାନ ଗୁପ୍ତଚର ବୋଲି ଆମେ ଜାଣିଥିଲେ ଆମ ଝିଅ ପୋଲିସକୁ ପ୍ରଥମେ ଖବର ଦେଇଥାନ୍ତା । ଯିଏ ଭାରତ ପାଇଁ ବେଇମାନ କାର୍ଯ୍ୟ କରେ ତାକୁ କଠୋର ଦଣ୍ଡ ଦିଆଯାଉ ବୋଲି ମହିଳା ୟୁଟ୍ୟୁବରଙ୍କ ବାପା କହିଛନ୍ତି ।ସେହିଭଳି ପୁରୀର ମହିଳା ଟ୍ୟୁବରଙ୍କ ଘରେ ପହଞ୍ଚିଛି ପୋଲିସ ଟିମ୍ ।‌ ତଦନ୍ତ ପାଇଁ ତାଙ୍କ ଘରେ ଟାଉନ ଥାନା, ସିଂହଦ୍ଵାର ଥାନା ପୋଲିସ ସହ ସିଟି ଡିଏସପି ମଧ୍ୟ ପହଞ୍ଚିଛନ୍ତି । ଜ୍ୟୋତି ମାଲହୋତ୍ରାଙ୍କ ସହିତ ତାଙ୍କର କ’ଣ ସମ୍ପର୍କ ରହିଛି ସେନେଇ ପଚରାଉଚରା କରାଯିବ । କ’ଣ ପାଇଁ ଏବଂ କେବେ ପାକିସ୍ତାନ ଯାଇଥିଲେ ସେନେଇ ମଧ୍ୟ ପଚରାଉଚରା କରାଯିବ ।

ଅନ୍ୟପଟେ ଏ ଘଟଣାକୁ ନେଇ ପୁରୀ ଏସ୍‌ପି ବିନୀତ ଅଗ୍ରଓ୍ବାଲ କହିଛନ୍ତି ସବୁ ଦିଗକୁ ନେଇ ତଦନ୍ତ ହେଉଛି । ରାଜ୍ୟ ଏବଂ କେନ୍ଦ୍ର ଗୁଇନ୍ଦା ବିଭାଗ ସହ ଆମେ ଯୋଗାଯୋଗରେ ଅଛୁ । ତଦନ୍ତ ପରେ ସବୁକଥା ସାମ୍ନାକୁ ଆସିବ । ରଥଯାତ୍ରା ପାଇଁ ୟୁଟ୍ୟୁବର ମାନଙ୍କୁ କଟକଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା ହେବ । ମହିଳା ୟୁବ୍ୟୁବରଙ୍କୁ ଜେରା ଚାଲିଛି । ଜ୍ୟୋତି ମାଲହୋତ୍ରାଙ୍କ ଘଟଣା ସମ୍ପର୍କରେ ହରିୟାଣା ପୋଲିସ ସହ ଯୋଗାଯୋଗରେ ଅଛୁ । ଘଟଣାକୁ ଗୁରୁତର ସହ ନେଇଛୁ । ଆବଶ୍ୟକ ପଡିଲେ ସାଇବର ଏକ୍ସପର୍ଟଙ୍କ ପରାମର୍ଶ ନିଆଯିବ ।

Post Views39 Total Count

Apply Now


This will close in 0 seconds

error: Content is protected !!