ରାଜ୍ୟରେ ତିନିଦିନ ଧରି ଚାଲିଥିବା ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏ ନେଇ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ସଂଘର ସଭାପତି ଜ୍ୟେତିରଞ୍ଜନ ମିଶ୍ର। ପୂର୍ବରୁ କିଙ୍ଗପିନକୁ ଗିରଫ କରାଗଲେ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିବ ବୋଲି ପୂର୍ବରୁ କହିଥିଲା ସଂଘ।
ଅନେକ ଆଲୋଚନା ଓ ରଣନୀତି ପରେ ବିଜେପି ନେତା ତଥା ଓଏଏସ୍ ଅଧିକାରୀ ରତ୍ନାକର ସାହୁଙ୍କୁ ମାଡ଼ମରା ଘଟଣାରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଆଜି ବିଳମ୍ବିତ ସନ୍ଧ୍ୟାରେ ଆତ୍ମସମର୍ପଣ କରିଥିଲେ। ଏହାପରେ ପୁଲିସ ତାଙ୍କ ନାଁରେ ଥିବା ଅଭିଯୋଗକୁ ଆଧାର କରି ତାଙ୍କୁ ଗିରଫ କରିଥିଲା। ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଛନ୍ତି, “ଜୁନ ୩୦ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବୟାନ ଏବଂ ପୀଡ଼ିତ ଅଧିକାରୀଙ୍କ ଏତଲାକୁ ଆଧାର କରି ତାଙ୍କୁ ଗିରଫ କରାଯାଇଛି।”
ଗିରଫ ହେବା ପରେ ପୁଲିସ ପକ୍ଷରୁ ଶ୍ରୀ ପ୍ରଧାନଙ୍କୁ କ୍ୟାପିଟାଲ୍ ହସ୍ପିପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା। ଏହାପରେ ତାଙ୍କୁ ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିବା ସୂଚନା ମିଳିଛି।

