ଏସିଆ କପ୍ ଇତିହାସରେ ପ୍ରଥମ । 41 ବର୍ଷ ପରେ ପ୍ରଥମ ଥର ଫାଇନାଲରେ ମୁହାଁମୁହିଁ ହେବେ ଇଣ୍ଡୋ-ପାକ୍ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଦଳ ମଧ୍ୟରେ ଟ୍ରଫି ପାଇଁ ଫାଇଟ ହେବ ଟାଇଟ । ଆଜି ଏସିଆ କପ୍ 2025ର ଫାଇନାଲ ମ୍ୟାଚ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି କ୍ରୀଡା ପ୍ରେମୀ । ଚଳିତ ଥର କିଏ ହାତେଇବ ଫାଇନାଲ ଟ୍ରଫି ତା ଉପରେ ସମସ୍ତଙ୍କ ନଜର ରହିଛି ।ପୂର୍ବରୁ ଖେଳାଯାଇଥିବା ଏସିଆ କପ୍ର 16ଟି ଯାକ ସିଜିନରେ ଭାରତ ଓ ପାକିସ୍ତାନ କେବେ ବି ଫାଇନାଲରେ ମୁହାଁମୁହିଁ ହୋଇନାହାନ୍ତି । ଚଳିତ ସିଜିନରେ ଦୁଇ ଚିରପ୍ରତିଦ୍ବନ୍ଦୀ ପ୍ରଥମ ଥର ଫାଇନାଲରେ ମୁହାଁମୁହିଁ ହେବେ । ଏସିଆ କପ୍ ଇତିହାସରେ ଭାରତ 11 ତମ ଓ ପାକିସ୍ତାନ ଷଷ୍ଠତମ ଫାଇନାଲ ମ୍ୟାଚ ଖେଳିବାକୁ ଯାଉଛନ୍ତି । ପୂର୍ବରୁ ଟିମ୍ ଇଣ୍ଡିଆ 8 ଥର ଚମ୍ପିଆନ ହୋଇଥିବା ବେଳେ ପାକିସ୍ତାନ ମାତ୍ର 2 ଥର ଟ୍ରଫି ହାତେଇଛି । ଭାରତ ନବମ ଓ ପାକିସ୍ତାନ ତୃତୀୟ ଥର ଟ୍ରଫି ଟୁର୍ଣ୍ଣାମେଣ୍ଟ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ।
ଲିଗ୍ ପର୍ଯ୍ୟାୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ଭାରତ 7 ଓ୍ବିକେଟରେ ବାଜିମାତ କରିଥିଲା । ଗ୍ରୁପ 4ରେ ମଧ୍ଯ ଦୁଇ ଦଳ ମଧ୍ଯରେ ଫାଇଟ ହୋଇଥିଲା 6 ଓ୍ବିକେଟରେ ପରାସ୍ତ ହୋଇଥିଲା । ଦୁଇଟିଯାକ ମ୍ୟାଚରେ ଭାରତର ପଲ୍ଲା ଭାରି ରହିଥିବା ବେଳେ ଫାଇନାଲରେ ପାକିସ୍ତାନ ପ୍ରତିଶୋଧ ନେବାକୁ ଜୋରଦାର ପ୍ରସ୍ତୁତି କରିଛି । ସେପଟେ ଭାରତ ଏହି ଆଇସିସି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଅପରାଜୟ ରହି ଟ୍ରପି ନେଇଯିବାକୁ ସ୍ବପ୍ନ ଦେଖୁଛି । ସୁପର 4ରେ ଦୁଇ ଦେଶ ବାଂଲାଦେଶକୁ ହରାଇ ଫାଇନାଲରେ ପହଞ୍ଚିଥିଲେ ।1984ରେ ପ୍ରଥମ ଥର ଏସିଆ କପ୍ ହୋଇଥିଲା । ଉଦଘାଟନି ସିଜିନରେ ଟିମ୍ ଇଣ୍ଡିଆ ଟ୍ରଫି ହାସଲ କରିଥିଲା । ସେହିପରି 1988, 1990, 1995, 2010, 2016,2018 ଏବଂ 2023ରେ ଭାରତ ବିଜେତା ହୋଇଥିଲା । ପାକିସ୍ତାନ 2002, 2012ରେ ଟ୍ରଫି ଜିତିଥିଲା । ଚଳିତ ସିଜିନରେ ଏହି ଦୁଇ ଦଳ ମଧ୍ୟରୁ ଜଣେ ଟ୍ରଫି ହାତେଇବ ।
ଟି20 ଫର୍ମାଟରେ ଦୁଇ ଦଳ ଦ୍ବିତୀୟ ଥର ଫାଇନାଲ ଖେଳିବେ । 2016ରେ ଭାରତ ଟି20 ଏସିଆ କପ୍ ଜିତିଥିଲା, 2022ରେ ଟି20 ଏସିଆ କପ୍ରେ ଶ୍ରୀଲଙ୍କା ଠାରୁ ପାକ୍ ପରାସ୍ତ ହୋଇଥିଲା । ଚଳିତ ଥର ପାକିସ୍ତାନ ପ୍ରଥମ ଥର ପାଇଁ ଟି20 ଫର୍ମାଟରେ ଜିତିବାକୁ ଚେଷ୍ଟା କରିବ । ଭାରତ ଦ୍ବୀତୟ ଟି20 ଫର୍ମାଟରେ ମଧ୍ୟ ଟ୍ରଫି ଜିତିବାକୁ ଆଶାବାଦୀ ରହିଛି ।

