ଭାରତୀୟ ନିର୍ବାଚନ କମିସନ ଆଜି ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିବେ । ଆଜି ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କମିଶନ ଏହି ଘୋଷଣା କରିବେ । ତାରିଖ ଘୋଷଣା ହେବା ମାତ୍ରେ ଏହି ସମସ୍ତ ରାଜ୍ୟରେ ‘ଆଦର୍ଶ ନିର୍ବାଚନ ଆଚରଣ ବିଧି’ ତୁରନ୍ତ ଲାଗୁ ହୋଇଯିବ।
ସୂତ୍ର ଅନୁସାରେ, ୨୦୨୧ ନିର୍ବାଚନ ତୁଳନାରେ ଏଥର କମ୍ ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ଶେଷ କରିବାକୁ କମିଶନ ବିଚାର କରୁଛନ୍ତି। ପଶ୍ଚିମବଙ୍ଗରେ ହିଂସାମୁକ୍ତ ଓ ସ୍ୱଚ୍ଛ ମତଦାନ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ମୁତୟନରେ ବ୍ୟାପକ ବୃଦ୍ଧି କରାଯାଇପାରେ। ପୂର୍ବଥର ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା, କିନ୍ତୁ ଏଥର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ପର୍ଯ୍ୟାୟ ସଂଖ୍ୟା କମ୍ ରଖାଯିବାର ସମ୍ଭାବନା ରହିଛି।
ନିକଟରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଦଳ କୋଲକାତା ଗସ୍ତ କରି ସ୍ଥିତି ସମୀକ୍ଷା କରିବା ସହ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଏହି ରାଜ୍ୟଗୁଡ଼ିକର ବିଧାନସଭା କାର୍ଯ୍ୟକାଳ ୨୦୨୬ ମଇ-ଜୁନ୍ ମଧ୍ୟରେ ଶେଷ ହେଉଛି, ତେଣୁ ଏପ୍ରିଲ-ମଇ ମାସ ମଧ୍ୟରେ ନିର୍ବାଚନ ସମ୍ପନ୍ନ ହେବାର ପୂର୍ଣ୍ଣ ଆଶା କରାଯାଉଛି। କମିସନ ସମସ୍ତ ପ୍ରସ୍ତୁତି ଶେଷ କରିସାରିଛନ୍ତି ଏବଂ ଏବେ କେବଳ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଛି।

