ବୁଧବାର ଭାରତର ସବୁଠାରୁ ବଡ଼ ଏଡଟେକ୍ ଷ୍ଟାର୍ଟଅପ୍ କମ୍ପାନୀ ”ବାଇଜୁସ୍”ର ପ୍ରତିଷ୍ଠାତା ବାଈଜୁ ରବୀନ୍ଦ୍ରନଙ୍କୁ ସିଙ୍ଗାପୁରର ଏକ ଅଦାଲତ ୬ ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟଙ୍କ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରି ଅଦାଲତ ରବୀନ୍ଦ୍ରନଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ୨୦୨୪ ଏପ୍ରିଲରୁ ନିଜ ସମ୍ପତ୍ତି ସହ ଜଡ଼ିତ କୋର୍ଟଙ୍କ ଏକାଧିକ ନିର୍ଦ୍ଦେଶକୁ ବାରମ୍ବାର ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୋଧରେ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ସହିତ କୋର୍ଟ ତାଙ୍କୁ ୯୦,୦୦୦ ସିଙ୍ଗାପୁର ଡଲାର (ପ୍ରାୟ ୭୦,୫୦୦ ଆମେରିକୀୟ ଡଲାର) ଜରିମାନା କରିବା ସହ ତାଙ୍କ କମ୍ପାନୀର ମାଲିକାନା ସମ୍ବନ୍ଧୀୟ ଆଇନଗତ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରବୀନ୍ଦ୍ରନ ବର୍ତ୍ତମାନ ସିଙ୍ଗାପୁରରେ ଅଛନ୍ତି କିମ୍ବା ଅନ୍ୟ କେଉଁଠି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
କାତାର ଇନଭେଷ୍ଟମେଣ୍ଟ ଅଥରିଟି (କ୍ୟୁଆଇଏ) ର ଏକ ସହଯୋଗୀ କମ୍ପାନୀ ପକ୍ଷରୁ ସିଙ୍ଗାପୁର କୋର୍ଟରେ ଏହି ମାମଲା ଦାୟର କରାଯାଇଥିଲା। ଗୋଟିଏ ସମୟରେ ଭାରତୀୟ ଷ୍ଟାର୍ଟଅପ୍ ଜଗତର ‘ପୋଷ୍ଟର ବୟ’ କୁହାଯାଉଥିବା ବାଈଜୁ ରବୀନ୍ଦ୍ରନଙ୍କ ପାଇଁ ଏହା ଏକ ବଡ଼ ଜଟୀଳ ପରିସ୍ଥିତି ସୃଷ୍ଟି କରିଛି। କରୋନା ମହାମାରୀ ସମୟରେ ବିଶ୍ୱର ସବୁଠାରୁ ମୂଲ୍ୟବାନ ଏଡଟେକ୍ କମ୍ପାନୀ ପାଲଟିଥିବା ବାଇଜୁସ୍ ଗତ ଦୁଇ ବର୍ଷ ହେବ ଗୁରୁତର ଆର୍ଥିକ ସଙ୍କଟ, କର୍ମଚାରୀ ଛଟେଇ, ବିଦେଶୀ ନିବେଶକଙ୍କ ସହ ବିବାଦ ଏବଂ ଆଇନଗତ ସମସ୍ୟା ଦେଇ ଗତି କରୁଛି। କେବଳ ସିଙ୍ଗାପୁର ନୁହେଁ, ବରଂ ଆମେରିକାରେ ମଧ୍ୟ ୧.୨ ବିଲିଅନ ଡଲାରର ଋଣ ପରିଶୋଧକୁ ନେଇ ନିବେଶକମାନେ ରବୀନ୍ଦ୍ରନଙ୍କ ବିରୋଧରେ ଆଇନଗତ ଲଢ଼େଇ ଚଳାଇଛନ୍ତି। ଦିନେ କୋଟି କୋଟି ଟଙ୍କାର ପାଣ୍ଠି ପାଇ ସଫଳତାର ଶୀର୍ଷରେ ଥିବା ବାଇଜୁସର ଏହି ଚରମ ପତନ ଏବେ ସାରା ବିଶ୍ୱର ଷ୍ଟାର୍ଟଅପ୍ ବଜାର ପାଇଁ ଏକ ବଡ଼ ଚେତାବନୀ ପାଲଟିଛି।

