ଭଦ୍ରକରେ ବନ୍ୟା ସ୍ଥିତି ଗମ୍ଭୀର, ୪ ବ୍ଲକର ୪୪ ପଞ୍ଚାୟତ ପ୍ରଭାବିତ

ବୈତରଣୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପୁଣି ଭଦ୍ରକ ଆଖୁଆପଦାରେ ବୃଦ୍ଧି ପାଉଛି ଜଳସ୍ତର। ତଳମୁଣ୍ଡରେ ସମୁଦ୍ର ଜୁଆରିଆ ଥିବାରୁ ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ସ୍ଥିତି ଅପରିବର୍ତ୍ତିତ ରହିଛି। ଫଳରେ ୩ ଦିନ ହେବ ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି, ଚାନ୍ଦବାଲି ବ୍ଲକରେ ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏବେ ବି ହଦଗଡ଼ ଡ଼୍ୟାମରୁ ବନ୍ୟାଜଳ ନିଷ୍କାସନ ହେଉଥିବାରୁ ସାଳନ୍ଦୀ ନଦୀର ଜଳସ୍ତରରେ ସୁଧାର ଆସିନାହିଁ । ଫଳରେ ଭଦ୍ରକ ରାଜଘାଟରେ ବିପଦ ସଙ୍କେତ ୧୭ଫୁଟ ନିକଟରେ ପ୍ରବାହିତ ହେଉଥିବାରୁ ବୈତରଣୀ ଓ ସାଳନ୍ଦୀ ନଦୀର ଶାଖା ନଦୀ ରେବ, କୋଚିଳା, ନାଳିଆ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହାଦ୍ବାରା ୪ଟି ବ୍ଲକର ୪୪ଟି ପଞ୍ଚାୟତ ପ୍ରଭାବିତ ହେବା ସହ ୭୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇଛି।

ଭଣ୍ଡାରୀପୋଖରୀ ବ୍ଲକର ରହଣିଆ, ମାଳଦା, ଷୋଳମପୁର, ନପଙ୍ଗ ଓ କୋରିଗାଁ ଆଦି ୮ଟି ପଞ୍ଚାୟତର ୩୦ ଗାଁ ୩ଦିନ ଧରି ବନ୍ୟା ଘେରରେ ରହିଛି। ବର୍ଷା ଲାଗି ରହିଥିବାରୁ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ତା ସାଙ୍ଗକୁ ଚାଷଜମି ଓ ତଳିଆ ଅଞ୍ଚଳରେ ଏବେ ବି ବନ୍ୟାପାଣି ଲହଡ଼ି ମାରୁଛି। ସେହିପରି ଧାମନଗର ବ୍ଲକର ସୋହଡା, ଦୋବଲ, ଆନନ୍ଦପୁର, କର୍କଦା, ଅର୍ଜୁନପୁର, ନଦୀ ଗାଁ, ଧୁଷୁରୀ, ଷେଣ୍ଢପୁର, ହସନାବାଦ ଆଦି ୨୦ ପଞ୍ଚାୟତର ୪୦ ଗାଁରେ ବନ୍ୟାଜଳ ପ୍ରବେଶ କରିରୁ ବାହ୍ୟ ଜଗତରୁ ଏହି ଅଞ୍ଚଳ ବିଚ୍ଛିନ୍ନ ହୋଇଯାଇଛି। ଧୁଷୁରୀ-ଯାଜପୁର ରାସ୍ତାର ହସନାବଦ ନିକଟରେ ୪ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏପଟେ ବୈତରଣୀ ଓ ସାଳନ୍ଦୀ ନଦୀରେ ଆସିଥିବା ବନ୍ୟା ଚାନ୍ଦବାଲି ବ୍ଲକର ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ୪ଟି ପଞ୍ଚାୟତର ୨୪ଟି ଗାଁକୁ ପାଣି ମାଡିବାରୁ ମୁଆଁ ଓ ଭୁଇଁପୁର ଘୋଷରା ରାସ୍ତାରେ ୪ଫୁଟ ଉଚ୍ଚରେ ବନ୍ୟାପାଣି ଚାଲୁଥିବାରୁ ୨୦ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଯାଇଛି। ଅନେକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଶିକ୍ଷାନୁଷ୍ଠାନ ବନ୍ୟାପାଣି ଘେରରେ ରହିଛି।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!