ବୀରତ୍ୱ ସେନା ପଦକ ପାଇବେ ମେଜର ସୁଧାଂଶୁ ପାଣି

ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ ପ୍ରତିରକ୍ଷା ଓ କେନ୍ଦ୍ରୀୟ ସଶସ୍ତ୍ର ବାହିନୀର ବୀର ଯବାନମାନଙ୍କ ପାଇଁ ବୀରତ୍ୱ ପୁରସ୍କାର ଘୋଷଣା କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୩ଟି ମରଣୋତ୍ତର ସମେତ ମୋଟ ୭୮ଟି ବୀରତ୍ୱ ପୁରସ୍କାର ପ୍ରଦାନକୁ ଅନୁମୋଦନ କରିଛନ୍ତି। ଏହି ଗୌରବମୟ ତାଲିକାରେ ଓଡ଼ିଶାର ଏକମାତ୍ର ବୀର ଯବାନ ଭାବେ ସ୍ଥାନ ପାଇଛନ୍ତି କଳାହାଣ୍ଡି ମାଟିର ସୁଯୋଗ୍ୟ ସନ୍ତାନ ମେଜର ସୁଧାଂଶୁ ପାଣି। ଅସାଧାରଣ ସାହସିକତା ପାଇଁ ତାଙ୍କୁ ପ୍ରତିରକ୍ଷା ବାହିନୀର ପ୍ରତିଷ୍ଠିତ ‘ବୀରତ୍ୱ ସେନା ପଦକ’ ପ୍ରଦାନ କରାଯିବ। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର କଳାହାଣ୍ଡି ଜିଲ୍ଲା ତଥା ରାଜ୍ୟରେ ଆନନ୍ଦ ଓ ଗର୍ବର ଲହରୀ ଖେଳିଯାଇଛି।
ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୨୦୨୫ରେ ଜମ୍ମୁ-କାଶ୍ମୀରରେ ସେନା ପକ୍ଷରୁ ଚାଲିଥିବା ‘ଅପରେସନ ଗୁଡ୍ଡର’ରେ ମେଜର ସୁଧାଂଶୁ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ସେ ସାହସିକତାର ସହ ମୁହାଁମୁହିଁ ଲଢ଼େଇ କରି ଲସ୍କର-ଇ-ତୋଏବାର କୁଖ୍ୟାତ ‘ଏ++’ ବର୍ଗର ଆତଙ୍କବାଦୀ ରେହମାନ ଭାଇକୁ ନିପାତ କରିବାରେ ପ୍ରମୁଖ ଭୂମିକା ନିଭାଇଥିଲେ। ତାଙ୍କର ଏହି ଅଦମ୍ୟ ସାହସ ଓ ନେତୃତ୍ୱକୁ ସମ୍ମାନ ଜଣାଇ ରାଷ୍ଟ୍ରପତି ତାଙ୍କୁ ଏହି ସମ୍ମାନଜନକ ପଦକ ପାଇଁ ମନୋନୀତ କରିଛନ୍ତି।

ମେଜର ପାଣିଙ୍କ ଜନ୍ମସ୍ଥାନ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କଛିମଡୋଲା ଗ୍ରାମରେ ହୋଇଥିବା ବେଳେ ତାଙ୍କ ପରିବାର ଦୀର୍ଘ ବର୍ଷ ଧରି ଜୁନାଗଡ଼ ସହରରେ ରହନ୍ତି। ତାଙ୍କ ମାଆ ରାଜକୁମାରୀ ପାଣି ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ। ମେଜର ସୁଧାଂଶୁ ସମ୍ପ୍ରତି ରାଜସ୍ଥାନର ଜୟପୁରଠାରେ ସେନାରେ କାର୍ଯ୍ୟରତ ଅଛନ୍ତି। ମାଟିର ପୁଅଙ୍କ ଏହି ବିଶେଷ ସଫଳତା ପାଇଁ ଅଞ୍ଚଳର ବୁଦ୍ଧିଜୀବୀ, ଜନସାଧାରଣ ଓ ବିଭିନ୍ନ ମହଲରୁ ତାଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିଛି।

Post Views26 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!