ପିଆଜର ବଢ଼ୁଥିବା ଦର ଉପରେ ରୋକ ଲଗାଇବା ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସରକାର ଏବେ ରିହାତି ଦରରେ ସାଧାରଣ ଲୋକଙ୍କୁ କେଜି ପିଛା ୩୫ ଟଙ୍କା ଦରରେ ପିଆଜ ଯୋଗାଇ ଦେବେ ।
ହଠାତ୍ ପିଆଜ ଦର ବୃଦ୍ଧି ଯୋଗୁଁ ଦେଶର କିଛି ଭାଗରେ ଏହାର ଦାମ କିଲୋପ୍ରତି ୬୦ରୁ ୭୦ ଟଙ୍କାରେ ପହଞ୍ଚିଯାଇଛି । କିନ୍ତୁ ଏବେ ସରକାର ପ୍ରାୟ ଅଧା ଦାମରେ, ଅର୍ଥାତ୍ କିଲୋ ପିଛା ୩୫ ଟଙ୍କାରେ ପିଆଜ ବିକ୍ରି କରିବାକୁ ଘୋଷଣା କରିଛନ୍ତି ।ଖାଉଟିଙ୍କ ପର୍ଯ୍ୟନ୍ତ, ଅର୍ଥାତ୍ ସାଧାରଣ ଲୋକଙ୍କ ପାଖରେ ଶସ୍ତା ଦରରେ ପିଆଜ ପହଞ୍ଚାଇବାର ଦାୟିତ୍ୱ ପ୍ରମୁଖ ସରକାରୀ ଓ ସମବାୟ ଏଜେନ୍ସିଗୁଡ଼ିକୁ ହସ୍ତାନ୍ତର କରାଯାଇଛି । ସାଧାରଣ ଲୋକ ସହରର ସରକାରୀ ଆଉଟଲେଟ୍ ଏବଂ ଭ୍ୟାନଗୁଡ଼ିକରୁ ୩୫ ଟଙ୍କା କିଲୋ ଦରରେ ପିଆଜ କିଣିପାରିବେ ।
ସାଧାରଣ ଲୋକ ନିଜ ଆଖପାଖରେ ଥିବା ନେସନାଲ ଆଗ୍ରିକଲଚରାଲ କୋ-ଅପରେଟିଭ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (NAFED), ନ୍ୟସନାଲ୍ କୋ-ଅପରେଟିଭ୍ କଞ୍ଜ୍ୟୁମର୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (NCCF) ଏବଂ କେନ୍ଦ୍ରୀୟ ଭଣ୍ଡାରରୁ କିଣିପାରିବେ । NCCF ଏବଂ NAFED ଦ୍ୱାରା ପରିଚାଳିତ ମୋବାଇଲ ଭ୍ୟାନ୍ ଏବଂ ‘ଭାରତ ବ୍ରାଣ୍ଡ’ର ଆଉଟଲେଟ୍ଗୁଡ଼ିକରେ ରିହାତି ଦରରେ ପିଆଜ ବିକ୍ରି କରାଯିବ ।

