ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମାତ୍ର ୧୨୦ ଟଙ୍କାର ମୋବାଇଲ୍ କଭର୍ ପାର୍ସଲକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ଶାହନଗର SDM ରାମନିବାସ ଚୌଧୁରୀ ନିଜ କ୍ଷମତାର ଅପବ୍ୟବହାର କରି ପୋଲିସ ଡକାଇ ଜଣେ ଫ୍ଲିପ୍କାର୍ଟ (Flipkart) ଡେଲିଭରୀ ବୟଙ୍କୁ ଜେଲ୍ ପଠାଇ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶାସନିକ ସ୍ତରରେ ହଇଚଇ ସୃଷ୍ଟି ହୋଇଛି।
ପନ୍ନା ଜିଲ୍ଲା ଶାହନଗରର SDM ରାମନିବାସ ଚୌଧୁରୀ ଇ-କମର୍ସ ସାଇଟ୍ ‘ଫ୍ଲିପ୍କାର୍ଟ’ରୁ ପ୍ରାୟ ୧୨୦ ଟଙ୍କା ମୂଲ୍ୟର ଦୁଇଟି ମୋବାଇଲ୍ କଭର୍ ଅର୍ଡର କରିଥିଲେ। ଡେଲିଭରୀ ବୟ ବିଜୟ କୁଶୱା ପାର୍ସଲ ନେଇ ପହଞ୍ଚିବା ପରେ କଭର୍ ପ୍ୟାକେଟ୍ ଖୋଲିବାରୁ ସେଥିରୁ ଦୁଇଟି ବଦଳରେ କେବଳ ଗୋଟିଏ କଭର୍ ବାହାରିଥିଲା।
ଡେଲିଭରୀ ବୟ ବିଜୟଙ୍କ କହିବା ଅନୁଯାୟୀ, ଏହା କମ୍ପାନୀର ବୈଷୟିକ କିମ୍ବା ଲଜିଷ୍ଟିକ୍ ତ୍ରୁଟି ହୋଇପାରେ। ସେ ନିୟମ ଅନୁସାରେ ସାମଗ୍ରୀ ଫେରସ୍ତ (Return) କରିଦେବେ ବୋଲି କହିଥିଲେ। କିନ୍ତୁ ଏଥିରେ SDM କ୍ରୋଧିତ ହୋଇ ତାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି।
ବିବାଦ ବଢ଼ିବାରୁ SDM ଶାହନଗର ଥାନା ପୋଲିସକୁ ଘଟଣାସ୍ଥଳକୁ ଡକାଇଥିଲେ। ପୋଲିସ ତୁରନ୍ତ ଆସି ଡେଲିଭରୀ ବୟ ବିଜୟ କୁଶୱାଙ୍କୁ କଷ୍ଟଡିକୁ ନେଇଥିଲା ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ର ଧାରା ୧୭୦ ଅଧୀନରେ ଚାଲାଣ କରି ପୱାଇ ଉପ-ଜେଲ୍କୁ ପଠାଇ ଦେଇଥିଲା।

