ବଦଳିଲା ନୋଏଡା ଏୟାରପୋର୍ଟ ନାଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ହେଲା ନାମିତ । ଜେୱାର ଏୟାରପୋର୍ଟ ନାଁ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର ହୋଇଛି । ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ ଘୋଷଣା କରିଛନ୍ତି । ଯୋଗୀ କ୍ୟାବିନେଟର ପ୍ରସ୍ତାବ ପାରିତ ହୋଇଛି । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଜେୱାର ବିମାନ ବନ୍ଦରର ନାମକରଣ ପ୍ରକ୍ରିୟା ଆଗକୁ ବଢ଼ିବ । ତେବେ ନାମ ପରିବର୍ତ୍ତନ ପାଇଁ ଚୂଡ଼ାନ୍ତ ଔପଚାରିକତା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଉତ୍ତରପ୍ରଦେଶ କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛି ଏବଂ ଜେୱାର ବିମାନବନ୍ଦରକୁ ରାଜ୍ୟ ପାଇଁ ଏକ ବଡ଼ ଉପହାର ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ, ଏହି ବିମାନବନ୍ଦର ଉତ୍ତରପ୍ରଦେଶର ସର୍ବବୃହତ ବିମାନବନ୍ଦର ଏବଂ ଦେଶର ମୁଖ୍ୟ ବିମାନ ଯାତାୟାତ କେନ୍ଦ୍ରରେ ପରିଣତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ, ମାର୍ଗଦର୍ଶନ ଏବଂ ଉତ୍ତରପ୍ରଦେଶର ବିକାଶ ପାଇଁ ତାଙ୍କର ନିରନ୍ତର ପ୍ରତିବଦ୍ଧତାକୁ କ୍ୟାବିନେଟ୍ ପ୍ରଶଂସା କରିଛି । ୨୦୪୭ ସୁଦ୍ଧା ଏକ ବିକଶିତ ଉତ୍ତରପ୍ରଦେଶ ଏବଂ ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପରିଶ୍ରମ, ଶକ୍ତି ଏବଂ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ ଜାରି ରଖିବାକୁ ନିଜର ସଂକଳ୍ପକୁ ଦୋହ ରାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଜେୱାର ସ୍ଥିତ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ଦିଲ୍ଲୀ-ଏନସିଆରର ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର । ଏହାକୁ ଏକ ସରକାରୀ-ଘରୋଇ ଭାଗିଦାରୀ (ପିପିପି) ମଡେଲରେ ବିକଶିତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ରନୱେ ଏବଂ ପାସେଞ୍ଜର ଟର୍ମିନାଲ ନିର୍ମାଣ କରାଯାଇଛି, ଯାହାର ବାର୍ଷିକ ପ୍ରାୟ ୧.୨କୋଟି ଯାତ୍ରୀ ରହିପାରିବେ । ଭବିଷ୍ୟତରେ ଏହାର କ୍ଷମତାକୁ ବାର୍ଷିକ ପ୍ରାୟ ୭ କୋଟି ଯାତ୍ରୀଙ୍କୁ ବୃଦ୍ଧି କରିବାର ଯୋଜନା ରହିଛି । ଏହି ବିମାନ ବନ୍ଦର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଭାର ହ୍ରାସ କରିଛି ।
ନରେନ୍ଦ୍ର ମୋଦିଙ୍କ ନାମରେ ହେବ ଜେୱାର ଏୟାରପୋର୍ଟ

