ଓଡ଼ିଶାରେ ପ୍ରାୟ ୨୧ ମାସର କାର୍ଯ୍ୟକାଳ ଶେଷ କରି ବିଦାୟ ନେଇଛନ୍ତି ରାଜ୍ୟପାଳ ଡ. ହରିବାବୁ କୁମ୍ଭମପାଟି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହା ସହିତ ଓଡ଼ିଶା ରାଜଭବନରେ ତାଙ୍କର ପ୍ରାୟ ଏକ ବର୍ଷ ନଅ ମାସର କାର୍ଯ୍ୟକାଳର ଅବସାନ ଘଟିଛି । ଅନ୍ୟପଟେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୧୭ ତାରିଖରେ ଓଡ଼ିଶା ଆସିବେ ଏବଂ ୧୮ ତାରିଖରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ।
୨୦୨୫ ଜାନୁଆରୀ ୩ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଡ. ହରିବାବୁ କୁମ୍ଭମପାଟି । ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ସ୍ଥାନରେ ସେ ଏହି ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ହୋଇଥିଲେ । ଆନ୍ଧ୍ରପ୍ରଦେଶରେ ଜନ୍ମିତ ଡ. କୁମ୍ଭମପାଟି ଜଣେ ଶିକ୍ଷାବିତ୍, ଅଭିଜ୍ଞ ରାଜନେତା ଓ ପୂର୍ବତନ ସାଂସଦ । ଓଡ଼ିଶାର ରାଜ୍ୟପାଳ ହେବା ପୂର୍ବରୁ ସେ ମିଜୋରାମର ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ନିଜ କାର୍ଯ୍ୟକାଳ ମଧ୍ୟରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଡ. କୁମ୍ଭମପାଟି । ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ଜଗନ୍ନାଥ ସଂସ୍କୃତି ପ୍ରତି ସେ ନିଜର ଶ୍ରଦ୍ଧା ପ୍ରକାଶ କରିଆସିଥିଲେ । ରାଜ୍ୟର ବିକାଶ, ଶିକ୍ଷା ଓ ସାମାଜିକ କଲ୍ୟାଣ ପ୍ରତି ତାଙ୍କର ଆଗ୍ରହ ରହିଥିଲା । ବିଦାୟ ପୂର୍ବରୁ ଅକ୍ଟୋବର ୧୪ ତାରିଖରେ ରାଜ୍ୟପାଳଙ୍କ ସମ୍ମାନାର୍ଥେ ଏକ ବିଦାୟ ନୈଶ୍ୟଭୋଜିର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ, ବରିଷ୍ଠ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇଥିଲେ ।
ସେହିପରି ଅକ୍ଟୋବର ୧୫ ତାରିଖରେ ଲୋକଭବନର ନୂତନ ଅଭିଷେକ ହଲ୍ରେ ରାଜ୍ୟପାଳଙ୍କ ପାଇଁ ଏକ ସ୍ୱତନ୍ତ୍ର ବିଦାୟ ସମ୍ବର୍ଦ୍ଧନା ଆୟୋଜିତ ହୋଇଥିଲା । ଏଥିରେ ତାଙ୍କ ପତ୍ନୀ ଜୟଶ୍ରୀ କୁମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ । ଓଡ଼ିଶାରେ ବିତାଇଥିବା ସମୟ ତାଙ୍କ ପାଇଁ ଅବିସ୍ମରଣୀୟ ହୋଇ ରହିବ ବୋଲି ଡ. କୁମ୍ଭମପାଟି କହିଥିଲେ । ନିଜ କାର୍ଯ୍ୟକାଳରେ ସହଯୋଗ କରିଥିବା ଲୋକଭବନର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସେ କୃତଜ୍ଞତା ଜଣାଇଥିଲେ ।
ଅନ୍ୟପଟେ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବ୍ରଜମୋହନ ରାମଙ୍କୁ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅକ୍ଟୋବର ୧୨ ତାରିଖରେ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବିଜ୍ଞପ୍ତିରେ ତାଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଥିଲା । ବ୍ରଜମୋହନ ରାମ ଝାଡ଼ଖଣ୍ଡର ଜଣେ ବରିଷ୍ଠ ରାଜନେତା ଏବଂ ପୂର୍ବତନ ତିନିଥରର ଲୋକସଭା ସାଂସଦ । ସେ ୧୯୯୬, ୧୯୯୮ ଓ ୧୯୯୯ ମସିହାରେ ପଲାମୁ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ଏହା ପୂର୍ବରୁ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ସେ ଅବିଭକ୍ତ ବିହାର ବିଧାନସଭାର ସଦସ୍ୟ ରହିଥିଲେ । ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଅକ୍ଟୋବର ୧୭ ତାରିଖରେ ଓଡ଼ିଶା ଆସିବେ । ୧୮ ତାରିଖରେ ନବରାତ୍ର ଅବସରରେ ସେ ଶପଥ ଗ୍ରହଣ କରି ନୂଆ ଦାୟିତ୍ୱ ସମ୍ଭାଳିବେ ।

