ଓରାଙ୍ଗଉଟାନ୍ ଶାବକଗୁଡିକୁ ଇଣ୍ଡୋନେସିଆରୁ ସିଧାସଳଖ ଓଡିଶାକୁ ଅଣାଯାଇ ନାହିଁ । କିମ୍ବା ସମୁଦ୍ରପଥରେ ସପ୍ତାହେ ଧରି କୌଣସି ପଣ୍ୟ ଜାହାଜରେ ଚାଲାଣ କରାଯାଇନି । ଥାଇଲାଣ୍ଡ-ମିଆଁମାର ରୁଟ୍ରେ ମିଜୋରାମକୁ ଅଣାଯାଇ ସେଠାରେ ମାସେ ଧରି ଶାବକଗୁଡିକୁ ରଖାଯାଇଥିଲା । ଉତ୍ତର-ପୂର୍ବ ଭାରତର ଜଳବାୟୁ ସହ ରହଣି ପାଇଁ ଅଭ୍ୟସ୍ତ କରାଯାଇଥିଲା । ଓଡିଶାରେ ୫ ଓରାଙ୍ଗଉଟାନ୍ ଶାବକ ଠାବ ଘଟଣାରେ ଏଭଳି କିଛି ଚାଞ୍ଚଲ୍ୟକର ସୁରାକ୍ ପାଇଛନ୍ତି କ୍ରାଇମ୍ବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଓ ବନ ବିଭାଗ ଟିମ୍ ।
ମା’-ବାପା ବିନା ବର୍ଷକର ଛୁଆମାନେ ଏଠାକାର ପାଣିପାଗ ସହ ଖାପ ଖୁଆଇ ଯାଇଥିବାରୁ ଏହି ଦିଗରେ ସନ୍ଦେହ ଘନେଇଛି । ସେନେଇ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ କରାଯାଉଛି । ଏହାର ସତ୍ୟାସତ୍ୟ ଖୋଜିବାକୁ ଖୁବ୍ ଶୀଘ୍ର ଏକ ଟିମ୍ ମିଜୋରାମକୁ ଯିବ । ଦରକାର ପଡିଲେ, ଇଣ୍ଟରପୋଲର ସହାୟତା ନିଆଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ଓଡିଶାକୁ କେବେ ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲାଣର ଟ୍ରାଞ୍ଜିଟ୍ ପଥ ହେବାକୁ ଦିଆଯିବନି ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଆଉ ଚେତାଇ ଦେଇଛନ୍ତି, ଯଦି ଅନ୍ତରାଷ୍ଟ୍ରୀୟ ସ୍ମଗଲିଂର ସମ୍ପୃକ୍ତି ମିଳେ, କାହାରିକୁ ଛଡ଼ାଯିବନି । ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (ଡବ୍ଲୁସିସିବି) ଏବଂ ଅନ୍ୟାନ୍ୟ ବନ୍ୟପ୍ରାଣୀ ଓ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ସହ ସମନ୍ୱୟ ରଖି ଟିକିନିଖି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିରଳ ପ୍ରାଣୀଗୁଡିକ କେଉଁ ରୁଟ୍ ଦେଇ ଓଡିଶାରେ ପହଞ୍ଚିଲେ? ଏହା ପଛରେ ଉଦ୍ଦେଶ୍ୟ କଣ ହୋଇପାରେ? ଚୋରା ଚାଲାଣରେ କିଏ କିଏ ସମ୍ପୃକ୍ତ ଅଛନ୍ତି? ଏସବୁ ତଦନ୍ତ କରି ରହସ୍ୟରୁ ପରଦା ହଟାଯିବ ବୋଲ ସେ ସ୍ପଷ୍ଟ କରିଛନ୍ତି ।

