ଦେଶର ବୃହତ୍ତମ ପୁସ୍ତକ ଗ୍ରାମର ମାନ୍ୟତା ପାଇବ ଆରାଗମ୍

ଇଣ୍ଟରନେଟ୍ ଓ ମୋବାଇଲ୍ ଫୋନ୍ ଯୁଗରେ ଆମେ ଯାବତୀୟ ପଠନଯୋଗ୍ୟ ବିଷୟବସ୍ତୁ ହାତପାଆନ୍ତାରେ ପାଇପାରୁଛନ୍ତି। ଏତେ ସତ୍ତ୍ବେ ପ୍ରତ୍ୟକ୍ଷ ଭାବେ ପୁସ୍ତକ ପଢ଼ିବାର ଆବେଗ ଓ ଅନୁଭୂତି ନିଆରା। କାଶ୍ମୀରର ବାନ୍ଦିପୋରା ଜିଲ୍ଲା ଅନ୍ତର୍ଗତ ଆରାଗମ୍ ଗ୍ରାମ ପୁସ୍ତକପ୍ରେମୀଙ୍କ ପାଇଁ ଏକ ଆକର୍ଷଣୀୟ ଗନ୍ତବ୍ୟ। ଆରାଗମ୍ ଖୁବ୍ ଶୀଘ୍ର ଦେଶର ବୃହତ୍ତମ ପୁସ୍ତକ ଗ୍ରାମର ମାନ୍ୟତା ପାଇବ ବୋଲି ଲକ୍ଷ୍ୟ ରଖାଯାଇଛି। ପୁଣେସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସରହଦ’ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ କାଶ୍ମୀରର ଏହି ପୁସ୍ତକ ଗ୍ରାମ ପାଇଁ ଉଦ୍ଦିଷ୍ଟ ପାଠାଗାରର ଚୂଡ଼ାନ୍ତ ରୂପରେଖ ସରିଛି। ଉଲ୍ଲେଖଯୋଗ୍ୟ, ପଢ଼ିବା ପାଇଁ ଏକ ଶାନ୍ତ ପରିବେଶ କାମ୍ୟ। ତେବେ ଏଥି ସାଙ୍ଗକୁ ଚଉପାଶର ପ୍ରାକୃତିକ ସୌନ୍ଦର୍ଯ୍ୟ ଯଦି ମନଲୋଭା ହୋଇପାରିଲା, ତାହା ପାଠକର ସୃଜନଶୀଳତାକୁ ପ୍ରୋତ୍ସାହିତ କରିଥାଏ। ସୁତରାଂ କାଶ୍ମୀରୀ ଗାଁର ମନୋରମ ସବୁଜ ପରିବେଶ ଭିତରେ ପୁସ୍ତକ ପଢ଼ିବାର ଅନୁଭୂତି ସାଙ୍ଗକୁ ପାଠକମାନେ ସଂସ୍କୃତ, ଇତିହାସ ଓ କାଶ୍ମୀରୀ ସାହିତ୍ୟ ପ୍ରତି ମନ ବଳାଇବେ ବୋଲି ‘ସରହଦ’ର କର୍ମକର୍ତ୍ତାମାନେ ଆଶାବାଦୀ ଅଛନ୍ତି।
ଏଥି ସହିତ ପାଠକମାନେ ଆରାଗମ୍ ଗାଁର ଅକଳ୍ପନୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଅତି ନିକଟରୁ କାଶ୍ମୀରୀ ସଂସ୍କୃତିକୁ ହୃଦୟଙ୍ଗମ କରିପାରିବେ। ଆଗ୍ରହୀ ପାଠକମାନଙ୍କ ପାଇଁ ଏଠାରେ ବିଶ୍ବର ବିଭିନ୍ନ ପ୍ରାନ୍ତରରୁ ସଂଗୃହୀତ ପୁସ୍ତକମାନ ମିଳିପାରିବ। ପାଣ୍ଡୁଲିପି, କଳାକୃତିଠାରୁ ଆରମ୍ଭ କରି ଚିତ୍ରକଳା ପର୍ଯ୍ୟନ୍ତ ସବୁ ପ୍ରକାର ପୁସ୍ତକ ସମ୍ବଳିତ ଏହି ଗାଁରେ ସଂସ୍କୃତିକୁ ଅଭିନବ ଢଙ୍ଗରେ ପ୍ରଦର୍ଶନ କରାଯିବ। ଏହି ବିଶାଳ ପାଠାଗାରରେ ପ୍ରାରମ୍ଭିକ ସ୍ତରରେ ଊର୍ଦ୍ଦୁ, ଇଂରେଜୀ, କାଶ୍ମୀରୀ, ହିନ୍ଦୀ, ମରାଠୀ ଓ ବଙ୍ଗଳା ପରି ଛଅଟି ଭାଷାର ପୁସ୍ତକ ଉପଲବ୍ଧ ହେବାକୁ ଥିବା ବେଳେ ପରେ ଅନ୍ୟାନ୍ୟ ଭାଷାର ବହି ମଧ୍ୟ ପାଠକଙ୍କୁ ଯୋଗାଇ ଦିଆଯିବ।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!