ଓଡ଼ିଶା ସାରା ବିଶ୍ୱରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଅନନ୍ୟ ଉଦାହରଣ ସାଜିଛି। ଅନ୍ୟ ରାଜ୍ୟ ଓ ଦେଶ ପାଇଁ ଏ କ୍ଷେତ୍ରରେ ଆଦର୍ଶ ପାଲଟିଛି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିସଂଘ ଦ୍ୱାରା ପୁରସ୍କୃତ ହେବା ସହିତ ଅନେକ ସମୟରେ ଅନ୍ୟ ରାଜ୍ୟକୁ ମଧ୍ୟ ସହାୟତା ଯୋଗାଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଦକ୍ଷତା ବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ଗୋଷ୍ଠୀ ସହଭାଗିତାକୁ ଏହି ବିଜୟର ବଡ଼ ଅସ୍ତ୍ର କରିଛନ୍ତି।
ଏବେ ଏ କ୍ଷେତ୍ରରେ ଆଉ ପାଦେ ଆଗକୁ ବଢ଼଼ି ଓଡ଼ିଶା ପ୍ରତି ଘରେ ବିପର୍ଯ୍ୟୟ ଯୋଦ୍ଧା ପ୍ରସ୍ତୁତ କରିବା ପ୍ରକ୍ରିୟା ଆରମ୍ଭ କରିଛି। ଏଥିପାଇଁ ପିଲାଙ୍କ ପଢ଼଼ା ବହିରେ ବିପର୍ଯ୍ୟୟ ମୁକାବିଲାକୁ ସ୍ଥାନ ଦେବା ସହିତ ଗୋଷ୍ଠୀସ୍ତରରେ ସଚେତନତାକୁ ମଧ୍ୟ ସୁଦୃଢ଼ କରିବାରେ ଆଗକୁ ବଢ଼଼ିଛି। ବନ୍ୟା ବାତ୍ୟା ମୁକାବିଲା ସହିତ କୋଭିଡ୍ ଭଳି ମହାମାରୀରୁ ରାଜ୍ୟ ଶିକ୍ଷା ଲାଭ କରି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।
ଦୃତ ପରିବର୍ତ୍ତନଶୀଳ ଜଳବାୟୁ ପରିପ୍ରେକ୍ଷୀରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ଦୃଢ଼ ଓ ଶାଣିତ କରିବା ନିମନ୍ତେ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଓଡ୍ରାଫ, ଅଗ୍ନିଶମ ସେବା ୟୁନିଟ୍, ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ୟୁନିଟ୍ ଗଡ଼ିକୁ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଉପକରଣ ଯୋଗାଇ ଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି।
ଏଥିପାଇଁ ଏହି ସଂସ୍ଥାରେ ମାନବ ସମ୍ବଳ ବୃଦ୍ଧି ସହ ସେମାନଙ୍କୁ ନିୟମିତ ଭାବେ ତାଲିମ ପ୍ରଦାନ କରାଯାଉଛି। ଏହା ସହିତ ଅତ୍ୟାଧୁନିକ ଯନ୍ତ୍ରପାତି ମଧ୍ୟ ଏଥିରେ ସାମିଲ କରି ଜବାନଙ୍କ ମନୋବଳ ବୃଦ୍ଧି ସାଙ୍ଗକୁ ଯକୌଣସି ପରିସ୍ଥିତିର ସମକକ୍ଷ ହେବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି।

