ଆଜି ପବିତ୍ର ବାହୁଡ଼ା ଯାତ୍ରା । ୯ଦିନର ଲିଳାଖେଳା ସାରି ବାହୁଡୁଛନ୍ତି ମହାବାହୁ । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ଚତୁର୍ଦ୍ଧା ବିଗ୍ରହ । ଭୋର ୪ଟାରୁ ମଙ୍ଗଳ ଆଳତି କରାଯାଇଥିବାବେଳେ ୫ଟା୪୫ରୁ ୬ଟା ୪୫ ମଧ୍ୟରେ ହୋଇଛି ଗୋପାଳ ବଲ୍ଲଭ ଓ ସକାଳ ଧୂପ । ’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତମାନେ ଆରମ୍ଭ କରିଛନ୍ତି ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ତେବେ ମହାପ୍ରଭୁଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଜମିଛି । ବଡ଼ଦାଣ୍ଡରେ ଘଣ୍ଟଘଣ୍ଟା ଓ କାହାଳୀ ନାଦରେ ପ୍ରକମ୍ପିତ ହେଉଛି।
ବାଟରେ ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇ, ଲକ୍ଷଲକ୍ଷ ଭକ୍ତଙ୍କ ଆରତ ଦୂର କରି ମହାବାହୁ ବାହୁଡ଼ିବେ। ମହାପ୍ରଭୁଙ୍କୁ ଶୀଘ୍ର ବାହୁଡ଼େଇ ନେବା ପାଇଁ ଚାଲିଛି ସଅଳ ନୀତିକାନ୍ତି।ଏଥିଲାଗି ଧାଡ଼ି ପହଣ୍ଡି ଚାଲିଛି। ବାଜୁଛି ବିଜେ କାହାଳୀ ଓ ଘଣ୍ଟା। ପ୍ରଥମେ ଧାଡ଼ି ପହଣ୍ଡିରେ ଆସି ଦର୍ପଦଳନରେ ବିରାଜମାନ କରିଥିଲେ ଶ୍ରୀସୁଦର୍ଶନ। ଏହାପରେ ଶ୍ରୀ ବଳଭଦ୍ର ପହଣ୍ଡିରେ ଆସି ତାଳଧ୍ବଜ ରଥରେ ବିରାଜମାନ ହେଲେଣି। ଏହାପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ହୋଇଥିଲା। ତାପରେ ସେ ଦେବଦଳନରେ ବିରାଜମାନ ହେଲେ।
ଏବେ କାଳିଆ ଠାକୁରଙ୍କ ଧାଡ଼ି ପହଣ୍ଡି ଚାଲିଛି।ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଆଇନ ଶୃଙ୍ଖଳା, ଟ୍ରାଫିକ ଓ ଶୃଙ୍ଖଳିତ ରଥଟଣା ଉପରେ ଫୋକସ କରାଯାଇଛି । ସ୍ବତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ ଆପଣାଯାଇଛି । ଜରୁରୀକାଳୀନ ସେବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା ହୋଇଛି ।ସୁନାବେଶରେ ମଧ୍ୟ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ ରଖି ସ୍ୱତନ୍ତ୍ର ବ୍ୟାରିକେଡ୍ ଆଦିର ବ୍ୟବସ୍ଥା କରାଯିବ ।


