ରାଜ୍ୟରେ ଲୋକକଳାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପ୍ରଗତିଶୀଳ ପଦକ୍ଷେପ ନେଇଛନ୍ତି । ପ୍ରତ୍ୟେକ ଲୋକକଳା ପାଇଁ ଗୋଟିଏ ଦିନରେ ୩ ଘଣ୍ଟାରେ ୩ଟି ପ୍ରଦର୍ଶନ କରିବା ପାଇଁ ବର୍ଦ୍ଧିତ ପାରିଶ୍ରମିକ ଘୋଷଣା କରାଯାଇଛି । ଦଳର ମୁଖ୍ୟଙ୍କୁ ଦିନକୁ ୧୦୦୦ ଟଙ୍କା ଓ ଅନ୍ୟ ସଦସ୍ୟ ମାନଙ୍କୁ ୮୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ ।
ଏହାସହିତ, କଳାକାର ମାନଙ୍କ ଗମନାଗମନ ଓ ଖାଦ୍ୟ ପାଇଁ ଜଣ ପିଛା ଦୈନିକ ୩୦୦ ଟଙ୍କା ଲେଖାଏ ଦିଆଯିବ ।
୨୦୦୯ ମସିହାରୁ ବ୍ଲକ୍ ଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟସ୍ତର ପର୍ଯ୍ୟନ୍ତ କଳାକାରମାନଙ୍କ ସଂଘ ଗଠନ କରାଯାଇଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଅନ୍ୟାନ୍ୟ ବିଭାଗ ଦ୍ବାରା ଲୋକକଳା କାର୍ଯ୍ୟକ୍ରମର ଆୟୋଜନ କରାଯାଇ ପ୍ରୋତ୍ସାହନ ଦିଆଯାଉଛି ।
କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଗୁଡିକରେ କଳାକାରମାନଙ୍କ ପ୍ରଦର୍ଶନ ପାଇଁ ପାରିଶ୍ରମିକରେ ବୃଦ୍ଧି ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ବିଭିନ୍ନ ଲୋକକଳା ଯଥା ଦାସକାଠିଆ, ପାଲା, ଘୋଡାନାଚ ତଥା ଲୋକନୃତ୍ୟ ଓ ଲୋକସଂଗୀତ ପାଇଁ ପାରିଶ୍ରମିକ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ୱାରା ଲୋକକଳା ଜରିଆରେ ବିଭିନ୍ନ ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମ ତଥା ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ପ୍ରଚାର ପ୍ରସାର କରାଯାଇଥାଏ ।

