ଦେଶର ସବୁଠୁ ଗରିବ ବିଧାୟକ ପଶ୍ଚିମବଙ୍ଗର ବିଜେପି ବିଧାୟକ ନିର୍ମଳ କୁମାର ଧର । ଧରଙ୍କ ନିକଟରେ ସମୁଦାୟ ୧୭୦୦ ଟଙ୍କାର ସଂପତ୍ତି ରହିଛି। ବିଧାୟକ ହେବା ପୂର୍ବରୁ ତାଙ୍କ ଆୟର ଏକମାତ୍ର ଉତ୍ସ ଟ୍ୟୁସନ ଥିଲା। ତାଙ୍କ ପତ୍ନୀ ଜଣେ ଗୃହିଣୀ। ବିଧାୟକଙ୍କର ଗୋଟିଏ ଝିଅ ଅଛି ଏବଂ ତା’ ନାମ ଅନ୍ବେଷା ଧର।
ବିଧାୟକ ନିର୍ମଳ ଇଂରାଜୀରେ ଏମଏ ଡିଗ୍ରି ୨୦୦୯ ମସିହାରେ ହାସଲ କରିଛନ୍ତି। ବାଙ୍କୁଡ଼ା ଜିଲ୍ଲାର ଇନ୍ଦସ ନିର୍ବାଚନ ମଣ୍ଡଳୀରୁ ସେ ବିଜେପି ଟିକଟରେ ୨୦୨୧ ମସିହା ନିର୍ବାଚନ ଲଢ଼ି ତୃଣମୂଳ କଂଗ୍ରେସର ପାର୍ଥୀ ରୁନୁ ମେଟେଙ୍କ ଠାରୁ ୭୨୨୦ ଖଣ୍ଡ ଅଧିକ ଭୋଟରେ ବିଜୟୀ ହୋଇଥିଲେ। ଏଡିଆର ଏବଂ ନ୍ୟାସନାଲ ଇଲେକ୍ସନ ୱାଚ ପକ୍ଷରୁ ଦେଶର ବିଧାୟକମାନେ ଦାଖଲ କରିଥିବା ଶପଥପାଠକୁ ବିଶ୍ଳେଷଣ କରିବା ପରେ ଏହା ଜଣାଯାଇଛି।
୧୯୮୨ ମସିହା ମାର୍ଚ୍ଚ ୩୧ରେ ଜନ୍ମ ହୋଇଥିବା ଶ୍ରୀ ଧରଙ୍କର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କାଟିଏ ନାହିଁ। ସେହିଭଳି ତାଙ୍କର ଘର କିମ୍ବା ଗାଡ଼ି ନାହିଁ। ଏଥିସହିତ ତାଙ୍କ ନାମରେ ବୀମା ପଲିସି ମଧ୍ୟ ନାହିଁ। ସେ ଦାଖଲ କରିଥିବା ଶପଥପାଠରେ ତାଙ୍କ ନାମରେ କୌଣସି ବ୍ୟକ୍ତିଗତ ଋଣ କିମ୍ବା ଗହଣା ନାହିଁ। ସେହିଭଳି ଜମି ବି ନାହିଁ।

