() ମଣିଷର ପ୍ରଥମ ସ୍ବର କଣ ? ମଣିଷ ପ୍ରଥମେ କାହାକୁ ଦେଖେ ? ମଣିଷର ପ୍ରଥମ ସାଥୀ କିଏ ? ଏ ପ୍ରଶ୍ନଗୁଡ଼ିକର ଉତ୍ତର ଭିନ୍ନ ନିଶ୍ଚିତ । ହେଲେ ଏସବୁର ଗୋଟିଏ ଉତ୍ତର ବି ଥାଇପାରେ…ଆଉ ତାହା ହେଉଛି ଗରିବ । ଯେତେବେଳେ କୁଆଁକୁଆଁ କାନ୍ଦରେ ଗରିବିର ଚିତ୍କାର ଶୁଭେ, ଆଖି ଆଗରେ ଆଲୁଅ ରୂପି ଗରିବି ଉଭା ହୁଏ, ମାଟିରେ ପାଦ ରଖିବା ଆଗରୁ ଗରିବି କୋଳେଇ ନିଏ । ସେତେବେଳେ ଏସବୁ ପ୍ରଶ୍ନର ମାନେ ବା କଣ ଥାଏ ? ଜୀବନର ସାତରଙ୍ଗ ଗୋଟିଏ ରଙ୍ଗ, ଜୀବନର ସାତ ସୂର ଗୋଟିଏ ସ୍ବର, ଅଭାବ ଅଭାବ ଆଉ ଅଭାବ…ତା ଭିତରେ ଆଗକୁ ବଢିବାର ପଣ, ଶୀର୍ଷ ଛୁଇଁବାର ସ୍ବପ୍ନ ଆଉ ସଂଘର୍ଷକୁ ସାଥୀ କରି ସଫଳତା ପାଇବାର ଆନନ୍ଦ । ତାହା କେଉଁ ସ୍ବର୍ଗ ସୁଖଠୁ କମ ନୁହେଁ, କେଉଁ ଇତିହାସ ଲେଖିବାଠୁ ବଳକା ନୁହେଁ । ଗରିବିର ତାଡ଼ନା ଭିତରେ ଅଭାବର ପାଚେରିକୁ ଭେଦ କରି ସଫଳତାର ଦୂର ଆକାଶରେ ମୁକ୍ତ ବିହଙ୍ଗ ହୋଇ ଉଡ଼ିବୁଲିବାର ଆନନ୍ଦ ହିଁ କହୁଛି ଆଜିର ଦିନ ମୋର । ଆଉ ଏ ଦିନ ଆଇଏଏସ ଅଫିସର ତଥା ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କର ।
ବିଜୟ ଅମୃତା କୁଲାଙ୍ଗେ । ଗରିବ ଗାଉଁଲି ପିଲାଟିଏ । ପାଦରେ ଥାଏ ଛିଡ଼ା ଚପଲ ହଳେ । ଫୁଙ୍ଗୁଳା ଦେହ ଆଉ ଖାଇବାକୁ ଦାନା ଗଣ୍ଡେ ଖୋଜୁଥିବା ପେଟ। ଲୋଚାକୋଚା ସାର୍ଟ ପିନ୍ଧି ସ୍କୁଲ ଅଗଣାରେ ସ୍ବପ୍ନ ପଛରେ ଧାଉଁଥିବା ବିରାଟ ସମ୍ଭାବନା ଟିଏ । ସେ ପିଲା ଦିନେ ଯେ ସଫଳତାର ବ୍ରାଣ୍ଡ ଆମ୍ବାସଡର ସାଜିବ ସେଦିନ ମହାରାଷ୍ଟ୍ର ବି ଏକଥା କଳ୍ପନା କରିପାରିନଥିଲା । ସେହି ଅକଳ୍ପନୀୟ କାହାଣୀକୁ ବାସ୍ତବତାର ରୂପ ଦେଇ ଆଜି ବିଜୟ ସାଜିଛନ୍ତି ଗୋଟିଏ ପ୍ରେରଣାର ଗଙ୍ଗା, ଉଦାହରଣର ହିମାଳୟ ।
ବିଜୟଙ୍କ ବାପା ଥିଲେ ଦରଜୀ ଆଉ ମାଆ ଦିନ ମଜୁରିଆ । ଟେଲରିଂ ମେସିନର ଚକ ବୁଲିଲେ ପରିବାରରେ ଚୁଲିରୁ ଧୂଆଁ ଉଠୁଥିଲା । ମାଆ ପରର ଚାଷ ଜମିରେ କାମ କରି ଦୁଇ ପଇସା ଆଣିଲେ ତିନି ପ୍ରାଣୀ କୁଟୁମ୍ବଙ୍କ ପେଟକୁ ଦାନା ମିଳୁଥିଲା । ସ୍ଥିତି ଏମିତି ଥିଲା ଯେ ବିଜୟଙ୍କ ପରିବାର ଦିନକୁ ୨୦୦ ଟଙ୍କା ରୋଜଗାର କରିବାକୁ ବି ସକ୍ଷମ ନଥିଲା । ଏଭଳି ଆର୍ଥିକ ସ୍ଥିତିରେ ବିଜୟ ଦେଖିଥିଲେ ଲମ୍ବା ସ୍ବପ୍ନ । ଅଭାବର ପରିଧି ଭିତରେ ବି ତାଙ୍କ ମନରେ ଡାକ୍ତର ହେବାର ଇଚ୍ଛା ବସା ବାନ୍ଧିଥିଲା । ମେଧାବୀ ବିଜୟ ଯୁକ୍ତ ଦୁଇ ବିଜ୍ଞାନ ପାସ୍ କରିବା ପରେ ମେଡ଼ିକାଲ୍ ପ୍ରବେଶିକା ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ । ପୁଅର ଆଗ୍ରହ ଦେଖି ବାପାମାଆ ମଧ୍ୟ ଆର୍ଥିକ ସ୍ଥିତି ଭୁଲିଯାଇ ସମ୍ମତି ପ୍ରକାଶ କରିଥିଲେ । ହେଲେ ବାସ୍ତବ ସ୍ଥିତି ଓ ବାପାମାଆଙ୍କର ଅବସ୍ଥା ଦେଖି ବିଜୟ ନିଜେ ନିଜେ ପଛକୁ ହଟିଯିବାକୁ ବାଧ୍ୟ ହୋଇଥିଲେ । ଡାକ୍ତର ହେବାର ସ୍ବପ୍ନକୁ ଛାତି ତଳର କୋହଭରା ଅଗଣାରେ ଚାପିଦେଇ ଉଚ୍ଚଶିକ୍ଷା କରିଥିଲେ । ପରେ ଏକ ସ୍କୁଲରେ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ବିଜୟ । ସେଠାରୁ ମିଳୁଥିବା ଦରମାରେ ପରିବାର ସିନା କଷ୍ଟେମଷ୍ଟେ ଚଳିଗଲା ହେଲେ ବିଜୟଙ୍କ ମନର ସ୍ବପ୍ନର ଶୋଷ କିନ୍ତୁ ମେଣ୍ଟିନଥିଲା । ଲକ୍ଷ୍ୟ ଏବଂ ନିଜର ପ୍ରତିବଦ୍ଧତାରୁ ସେ ପଛକୁ ହଟିନଥିଲେ । ନିଜ ସ୍ବପ୍ନ ଉପରେ ବିଜୟୀ ହେବା ପ୍ରତିବଦ୍ଧତା ବିଜୟଙ୍କୁ ଆଗେଇନେଇଥିଲା ଭାରତୀୟ ପ୍ରଶାସନିକ ସେବା ଆଡ଼କୁ । ଶିକ୍ଷକ ଚାକିରି ସାଙ୍ଗକୁ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରି ଶେଷରେ ସେ ବନିଗଲେ ଆଇଏଏସ । ୨୦୧୩ ମସିହାରେ ଆଇଏଏସ ହୋଇ ନିଜର ଦକ୍ଷତା ସାଙ୍ଗକୁ ଗରିବି ଜୀବନରେ ଲକ୍ଷ୍ମଣ ରେଖା ଟାଣିଥିଲେ ବିଜୟ ଅମୃତା କୁଲାଙ୍ଗେ ।
ଅଭାବଭର୍ତ୍ତି ଶୈଶବ, ଆହ୍ବାନ ଭର୍ତ୍ତି କୈଶୋର ଜୀବନରେ ବି ପ୍ରେମରେ ପଡ଼ିଥିଲେ ବିଜୟ । ସରଳ ଓ ଲାଜକୁଳା ସ୍ବଭାବର ଏହି ଆଇଏଏସ ଜଣେ ଝିଅକୁ ଏକତରଫା ପ୍ରେମ କରୁଥିଲେ ଆଉ ନିଜର ମନକଥା ମୁହଁରେ କହି ପାରିନଥିଲେ । ଶେଷରେ ପ୍ରେମିକା ପାଇଁ ଚିଠି ଖଣ୍ଡେ ଲେଖିଥିଲେ। ମାତ୍ର ଝିଅଟି ଏହି ଚିଠିଟିକୁ ଚିରି ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ଯାହାକି ବିଜୟଙ୍କୁ ଭାବବିହ୍ବଳ କରିଥିଲା ଆଉ ଜୀବନରେ ଆଗକୁ ଯିବାକୁ ପ୍ରେରଣା ମଧ୍ୟ । ପ୍ରଥମ ପ୍ରେମରେ ବିଫଳତାର ସ୍ବାଦ ଚାଖିବା ପରେ ବ୍ୟଥିତ ନହୋଇ କ୍ୟାରିଅର ଉପରେ ଅଧିକ ଧ୍ୟାନ ଦେଇଥିଲେ ବିଜୟ ।
ଏବେ ବିଏମସି କମିଶନର ଭାବେ କାର୍ଯ୍ୟରତ ଅଛନ୍ତି ବିଜୟ ଅମୃତା କୁଲାଙ୍ଗେ । ଭୁବନେଶ୍ବରକୁ ବିଶ୍ବସ୍ତରୀୟ ସହର ଭାବେ ଗଢିତୋଳିବାରେ ତାଙ୍କ ଅବଦାନ ଉଲ୍ଲେଖନୀୟ । କ୍ଲିନ ଭୁବନେଶ୍ବର, ଡଷ୍ଟବିନ ଫ୍ରି ସହର, ହକି ବିଶ୍ବକପ ସମୟରେ ଭୁବନେଶ୍ବରର ସୌନ୍ଦର୍ଯ୍ୟକରଣ, ଉଠାଦୋକାନୀ ମୁକ୍ତ ସହର, ଜାଗା ମିଶନ, ଡ୍ରିଙ୍କ ଫ୍ରମ ଟ୍ୟାପ ଆଦି ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳ ରୂପାୟନ ଭୁବନେଶ୍ବରବାସୀଙ୍କ ମନରେ ବିଜୟଙ୍କୁ ସ୍ବତନ୍ତ୍ର ସ୍ଥାନ ଦେଇଛି । ଗଞ୍ଜାମ ଜିଲ୍ଲାପାଳ ଭାବେ ବିଜୟଙ୍କ ଦକ୍ଷତା ଓ ଲୋକପ୍ରିୟତା ସାରା ରାଜ୍ୟ ଦେଖିଛି । ପ୍ରଶାସନକୁ ଲୋକାଭିମୁଖୀ କରିବାରେ ତାଙ୍କର ଉଦ୍ୟମକୁ ଚାରିଆଡୁ ପ୍ରଶଂସା ମିଳୁଛି । କରୋନାର ପ୍ରଥମ ଲହରରେ ଗଞ୍ଜାମ ଜିଲ୍ଲା ରାଜ୍ୟର ହଟସ୍ପଟ୍ ପାଲଟିଥିଲା । ପ୍ରଶାସନକଳକୁ ସକ୍ରିୟ କରି ମହାମାରୀର ସଫଳ ମୁକାବିଲା କରିପାରିବାରେ ବିଜୟ ସାଜିଥିଲେ ଉଦାହରଣ । ତାଙ୍କପାଇଁ ବିଶ୍ୱସ୍ତରରେ ଗଞ୍ଜାମ ମଡ଼େଲକୁ ନେଇ ଚର୍ଚ୍ଚା ହୋଇଥିଲା । ଜଣେ ପ୍ରକୃତି ପ୍ରେମୀ ବିଜୟ । ନିଜ କ୍ୟାମେରା ଲେନ୍ସରେ ପ୍ରକୃତି ସୌନ୍ଦର୍ଯ୍ୟକୁ ତୋଳିଧରିବାକୁ ସେ ଭଲପାଆନ୍ତି ।
ଏକାଗ୍ରତା, ନିଷ୍ଠାପର ଉଦ୍ୟମ ଓ କଠିନ ପରିଶ୍ରମ ବଳରେ ଆଜି ସଫଳତାର ଶୀର୍ଷକୁ ଛୁଇଁବାରେ ସଫଳ ହୋଇଛନ୍ତି ବିଜୟ । ଅଳ୍ପ ଦିନରେ ଜଣେ ଦକ୍ଷ ପ୍ରଶାସକ ଭାବେ ସୁନାମ ଅର୍ଜିଛନ୍ତି । କ୍ଷମତା, ଅର୍ଥ ଏବେ ତାଙ୍କ ହାତ ପାଆନ୍ତାରେ । ତଥାପି ବଦଳି ନାହିଁ ବିଜୟଙ୍କ ସ୍ବଭାବ । ବାପା, ମା’ ଙ୍କର ଆଶୀର୍ବାଦ ଓ ଦିଗଦର୍ଶନକୁ ନେଇ ଆଗକୁ ଚାଲିଛନ୍ତି ବିଜୟ ଅମୃତା କୁଲାଙ୍ଗେ । ଜୀବନର ପ୍ରତିଟି କାହାଣୀକୁ ସେ ନିଜର ଆତ୍ମଜୀବନୀ ପୁସ୍ତକରେ ସ୍ଥାନିତ କରିଛନ୍ତି । ଯାହାର ନାଁ ରହିଛି ଆଜିର ଦିନ ମୋର ।







