() ତୁଳସୀ ଦୁଇ ପତ୍ରରୁ ବାସେ । ସେବାର ସଂକଳ୍ପ ମଣିଷକୁ ବାଟ କଢାଇ ନିଏ । ପିଲାଟି ଦିନରୁ ଜନସେବାର ବ୍ରତ ତାଙ୍କୁ କେତେବେଳେ ସାମ୍ବାଦିକ କରିଛି ଆଉ କେତେବେଳେ ରାଜନେତା । ଲୋକଙ୍କ ପାଇଁ ସ୍ବର ଉଠାଇ ସାରା ରାଜ୍ୟରେ ସେ ହୋଇଛନ୍ତି ପରିଚିତ, ପୁଣି ବିପଦବେଳେ ସାଥିରେ ଠିଆ ହୋଇ ବନିଛନ୍ତି ଆତ୍ମୀୟ । ଜଳବନ୍ଦୀ ସ୍ଥିତିରେ ପାଣି ଭିତରେ ପଶି କାରଣ ଖୋଜିଛନ୍ତି ପୁଣି ନିଜ ହାତରେ ଝାଡ଼ୁ ଧରି କ୍ଲିନ ଭୁବନେଶ୍ବରର ଆହ୍ବାନ ଦେଇଛନ୍ତି । ଭୁବନେଶ୍ବରବାସୀଙ୍କ ସାଥୀରେ ସ୍ମାର୍ଟସିଟିକୁ ସ୍ମାର୍ଟ କରୁଥିବା ସ୍ମାର୍ଟ ମେୟର ସୁଲୋଚନା ଦାସ ।
ଭୁବନେଶ୍ବର ମହାନଗର ନିଗମ ବା ବିଏମସିର ପ୍ରଥମ ମହିଳା ମେୟର ସୁଲୋଚନା ଦାସ । ୨୦୨୨ ପୌର ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ ସୁଲୋଚନା । ୬୧,୧୪୩ ଖଣ୍ଡ ଭୋଟ ପାଇ ବିରାଟ ବ୍ୟବଧନାରେ ମେୟର ଆସନରେ ବିଜୟୀ ହୋଇଥିଲେ ସୁଲୋଚନା। ସୁଲୋଚନାଙ୍କୁ ମୋଟ ୧,୭୪,୫୬୧ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ ୧,୧୩,୪୧୯ ଏବଂ କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ୧୧,୦୦୬ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ । ରାଜ୍ୟରେ ପ୍ରଥମ ଥର ପ୍ରତ୍ୟେକ୍ଷ ଭାବେ ହୋଇଥିବା ମେୟର ନିର୍ବାଚନରେ ବିପୁଳ ବିଜୟ ସହିତ ଭୁବନେଶ୍ବରର ପ୍ରଥମ ମହିଳା ଭାବେ ନିର୍ବାଚିତ ହୋଇ ରେକର୍ଡ କରିଥିଲେ ସୁଲୋଚନା । ବିଜୟ ପରେ ଆକ୍ସନ ମୁଡକୁ ଆସିଯାଇଥିଲେ ସୁଲୋଚନା । ଭୁବନେଶ୍ବରକୁ ଶ୍ରେଷ୍ଠ କରିବାର ଲକ୍ଷ୍ୟ ତାଙ୍କ କାର୍ଯ୍ୟଧାରାରେ ପ୍ରତିଫଳିତ ହୋଇଛି ।
ବର୍ଷାଦିନେ ରାଜଧାନୀ ଭୁବନେଶ୍ବର ସବୁବେଳେ ଚର୍ଚ୍ଚାକୁ ଆସିଥାଏ । ଅସରାଏ ବର୍ଷାରେ ସହର ଜଳବନ୍ଦୀ ହୋଇପଡ଼େ । ଘରେ ପାଣି ପଶେ, ରାସ୍ତା ଉପରେ କାର ଭାସେ । ସୁଲୋଚନାଙ୍କ ଆଗରେ ଜଳବନ୍ଦୀ ସ୍ଥିତିର ମୁକାବିଲା ଥିଲା ବଡ଼ ଚ୍ୟାଲେଞ୍ଜ । ଯେଉଁ ଭରସା ରଖି ସୁଲୋଚନାଙ୍କୁ ଭୁବନେଶ୍ବରବାସୀ ଭୋଟ ଦେଇଥିଲେ ସେହି ବିଶ୍ବାସକୁ ଅକ୍ଷୁର୍ଣ୍ଣ ରଖିବାକୁ ପୂରା ଚେଷ୍ଟା କରିଛନ୍ତି ସୁଲୋଚନା । ବର୍ଷା ସମୟରେ ନିଜେ ଓ୍ବାର୍ଡ ଓ୍ବାର୍ଡ ବୁଲି ସ୍ଥିତି ପରଖିଛନ୍ତି । ଯେଉଁଠି ପାଣି ବ୍ଲକେଜ ହୋଇଛି ଇଞ୍ଜିନିୟରଙ୍କ ସହିତ ସୁଲୋଚନା ବି ସେଠି ପହଞ୍ଚି ସମାଧାନର ରାସ୍ତା ବାହାର କରିଛନ୍ତି । କାର୍ଯ୍ୟରେ ଅବହେଳାକାରୀଙ୍କୁ ତାଗିଦ କରିଛନ୍ତି ପୁଣି ରାସ୍ତାକୁ ବ୍ଲକେଜ କରୁଥିବା ଲୋକଙ୍କୁ ସୁଧୁରିଯିବାକୁ ଆହ୍ବାନ ଦେଇଛନ୍ତି । ଡେଙ୍ଗୁ ମୁକାବିଲାରେ ସୁଲୋଚନା ନିଭାଇଛନ୍ତି ଗୁରୁଦାୟିତ୍ବ । ଡ୍ରାଏ ଡେ ପାଳନଠୁ ଆରମ୍ଭ କରି ପରିମଳ ବ୍ୟବସ୍ଥାକୁ ସୁଧାରିବାରେ ତାଙ୍କ ଅବଦାନ ବେଶ୍ ଗୁରୁତ୍ବପୂର୍ଣ୍ଣ । ପ୍ରତି ଓ୍ବାର୍ଡରେ ପରିମଳ ବ୍ୟବସ୍ଥାକୁ ସୁଧାରିବା, ଡଷ୍ଟବିନ୍ ଫ୍ରି ସହର, ଡ୍ରିଙ୍କ ଫ୍ରମ ଟ୍ୟାପ ଆଦି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାରେ ସଫଳ ହୋଇଛନ୍ତି ସୁଲୋଚନା ।
ହକି ବିଶ୍ବକପ ସମୟରେ ଦେଶବିଦେଶର ଅତିଥି ଓ ପର୍ଯ୍ୟଟକ ଭୁବନେଶ୍ବର ଆସିଥିଲେ । ସେମାନଙ୍କୁ ଆକୃଷ୍ଟ କରିବା ଓ ଭୁବନେଶ୍ବରର ଛବିକୁ ସମସ୍ତଙ୍କ ଆଗରେ ଝଟକାଇବାରେ ବିଏମସି ତରଫରୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଥିଲା । ବସ୍ତିମୁକ୍ତ ଭୁବନେଶ୍ବର ଓ ଜାଗା ମିଶନ ଭଳି ରାଜ୍ୟ ସରକାରଙ୍କ ଐତିହାସିକ ଯୋଜନାର ସଫଳ ରୂପାୟନ କରିବାରେ ବି ନିଜ ଦକ୍ଷତା ଦେଖାଇଛନ୍ତି ସୁଲୋଚନା । ସ୍ବଚ୍ଛ ଭୁବନେଶ୍ବର ପାଇଁ ନିଜେ ହାତରେ ଝାଡ଼ୁ ଧରି ରାସ୍ତା ସଫା କରିବାକୁ ପଛାଇନାହାନ୍ତି । ରାଜଧାନୀବାସିନ୍ଦାଙ୍କ ମନୋରଞ୍ଜନ ପାଇଁ ପଥୋତ୍ସବ ଏବଂ ଉଠୋଦୋକାନୀଙ୍କ ଥଇଥାନ ପାଇଁ ନାନା ବ୍ୟବସ୍ଥା କରି ସମସ୍ତଙ୍କର ମନ ଜିଣିଛନ୍ତି ।
ଜଣେ ଜନପ୍ରିୟ, ଦରଦୀ ନେତାଭାବେ ଖାଲି ଭୁବନେଶ୍ବର ନୁହେଁ ବରଂ ସାରା ରାଜ୍ୟରେ ସୁଲୋଚନା ବେଶ୍ ପରିଚିତ । ଜନସେବାରେ ବ୍ରତୀ ହେବାର ସଂକଳ୍ପ ନେଇ ସୁଲୋଚନା ପ୍ରଥମେ ସାମ୍ବାଦିକତାକୁ ବ୍ରତ ଭାବେ ଗ୍ରହଣ କରିଥିଲେ । ଏକ ପ୍ରତିଷ୍ଠିତ ଟିଭି ଚ୍ୟାନେଲରେ ସେ ଉଚ୍ଚ ପଦରେ କାମ କରିଥିଲେ । ଲୋକଙ୍କ ପାଇଁ ସ୍ବର ଉଠାଇ ସମସ୍ତଙ୍କର ପ୍ରିୟଭାଜନ ହୋଇଥିଲେ । ଲୋକଙ୍କ ସେବା କରିବାର ନିଶା ତାଙ୍କୁ ରାଜନୀତିକୁ ଟାଣିଆଣିଥିଲା । ୧୪ ବର୍ଷର ସାମ୍ବାଦିକତା କ୍ୟାରିଅରରେ ପୂର୍ଣ୍ଣଚ୍ଛେଦ ଟାଣି ୨୦୧୨ରେ ସେ କଂଗ୍ରେସରେ ଯୋଗଦେଇଥିଲେ । କଂଗ୍ରେସର ମୁଖପାତ୍ର ଓ ପରେ ସାଧାରଣ ସଂପାଦକ ଭାବେ ନିଯୁକ୍ତ ହୋଇଥିଲେ । ୨୦୧୭ରେ ସୁଲୋଚନା ବିଜେଡିରେ ସାମିଲ ହୋଇଥିଲେ ଏବଂ ଦଳର ମୁଖପାତ୍ର ଭାବେ ଦାୟିତ୍ୱ ତୁଲାଇଥିଲେ । ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଭାବେ ସୁଲୋଚନାଙ୍କୁ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର । ନିଜର କହିବା ଶୈଳୀ ଓ ବିରୋଧୀଙ୍କୁ ଶାଣିତ ଆକ୍ରମଣ ପାଇଁ ସୁଲୋଚନା ବିଜେଡିର ଗୁଡ୍ ବୁକରେ ରହିଥିଲେ । ଲୋକପ୍ରିୟତା, ଉଚ୍ଚଶିକ୍ଷିତା ଓ ଦକ୍ଷତା ପାଇଁ ବିଜେଡି ତାଙ୍କୁ ମେୟର ପ୍ରାର୍ଥୀ କରିଥିଲା । ଭୁବନେଶ୍ବରବାସୀଙ୍କର ବିପୁଳ ସମର୍ଥନ ପାଇ ନିଜ ଲୋକପ୍ରିୟତା ପ୍ରମାଣ କରିବା ସହ ଜନହିତକାର୍ଯ୍ୟରେ ନିୟୋଜିତ ଅଛନ୍ତି ସୁଲୋଚନା ଦାସ୍ ।





