ନବ ଓଡ଼ିଶାର ବିନ୍ଧାଣି ନବୀନ ପଟ୍ଟନାୟକ। ଲେଖକରୁ ଅପରାଜିତ ରାଜନେତା। ଲୋକଙ୍କ ସେବକ, ହୃଦୟର ସମ୍ରାଟ। ଶିଶୁଠୁ ବୃଦ୍ଧ ସମସ୍ତଙ୍କ ପ୍ରିୟ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ପଟ୍ଟନାୟକ । ଦିନେ ରାଜନୀତିର ଅଳିନ୍ଦରୁ ବହୁ ଦୂରରେ ଥିବା ନବୀନ, ଆଜି କୋଟି ଓଡ଼ିଆଙ୍କ ମନର ବାଦଶାହା। ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା, ଜନକଲ୍ୟାଣକାରୀ ଯୋଜନା, ବିପର୍ଯ୍ୟୟ ମୁକାବିଲାରେ ସବୁଠୁ ଆଗରେ ହିଁ ଆଜି ତାଙ୍କୁ ଜନମାନସରେ ଏକ ନମ୍ବର କରି ରଖିଛି।ସାଧାସିଧା ଜୀବନ ଶୈଳୀ ସହ କମ କହୁଥିବା ରାଜନେତା ହେଲେ ନବୀନ ପଟ୍ଟନାୟକ। ୧୯୯୭ ମସିହା ଅପ୍ରେଲ ୧୭ ତାରିଖରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ରାଜନୀତିରେ ପାଦଥାପିଥିଲେ । ଆସ୍କା ଲୋକସଭା ଆସନରୁ ଉପନିର୍ବାଚନରେ ଜନତା ଦଳ ଟିକେଟରେ ବିଜୟ ହୋଇ ନିଜ ବିଜୟ ଯାତ୍ରା ଆରମ୍ଭ କରନ୍ତି । ପରେ ଜନତା ଦଳରୁ ବାହାରି ୧୯୯୭ ଡିସେମ୍ବର ୨୬ ତାରିଖରେ ବିଜୁ ପଟ୍ଟନାୟକଙ୍କ ନାମରେ ବିଜୁ ଜନତା ଦଳ ଗଠନ କରନ୍ତି, ଦଳର ପ୍ରତିଷ୍ଠାତା ସଭାପତି ହୁଅନ୍ତି ନବୀନ। ୧୯୯୮ ମସିହାରେ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧିନ ଏନଡିଏ ମେଣ୍ଟରେ ସାମିଲ ହୋଇ ପୁଣି ଥରେ ଆସ୍କା ଲୋକସଭାରୁ ବାଜିମାତ କରନ୍ତି । ପରେ କେନ୍ଦ୍ରରେ ଇସ୍ପାତ ଓ ଖଣି ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରନ୍ତି। ପରେ ପୁଣି ୧୯୯୯ ମସିହାରେ ଆସ୍କାରୁ ଲୋକସଭାକୁ ବିଜୟୀ ହୋଇ ମନ୍ତ୍ରୀ ପଦ ସମ୍ଭାଳନ୍ତି ନବୀନ।
ଏପଟେ ଓଡ଼ିଶାରେ ୧୯୯୯ ମସିହାର ମହାବାତ୍ୟା ସାରା ରାଜ୍ୟକୁ ଦୋହଲାଇ ଦିଏ। ପାଖାପାଖି ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ପ୍ରାଣ ନିଏ ଏହି ପ୍ରଳୟଙ୍କାରୀ ମହାବାତ୍ୟା। ରାଜ୍ୟର ଏହି ବିପର୍ଯ୍ୟୟକୁ ମୁକାବିଲା କରିବାରେ ଅସଫଳ ହୁଏ ତତ୍କାଳୀନ କଂଗ୍ରେସ ସରକାର। ଏହାସହ ଦୁର୍ନୀତି ଓ ନାରୀ ନିର୍ଯାତନାରେ ଉବୁଡୁବୁ ହୁଏ କଂଗ୍ରେସ ସରକାର। ଲୋକଙ୍କ ଆସ୍ଥା ହରାଏ ଦଳ। ଯାହା ଫଳରେ ବିଜେପି–ବିଜେଡି ମେଣ୍ଟ ୨୦୦୦ ମସିହାରେ ୧୪୭ ଆସନରୁ ୧୦୬ ଆସନ ଅକ୍ତିଆର କରି ସରକାର ଗଢ଼େ। ଯେଉଁଥିରେ ବିଜେଡି ୬୮ଟି ଆସନରେ ଜିତିଥିବାବେଳେ ବିଜେପି ୩୮ଟି ଆସନରେ ବାଜିମାତ କରିଥାଏ। ପରେ ୨୦୦୪ ମସିହାରେ ମଧ୍ୟ ଦୁଇ ଦଳ ମେଣ୍ଟ କରି ସରକାରକୁ ଆସନ୍ତି। ୨୦୦୯ ମସିହାରେ ବିଜେପି ଠାରୁ ମେଣ୍ଟ ଭାଙ୍ଗି ଦୁଇ ଜାତୀୟ ଦଳ ସହ ସମଦୂରତା ରକ୍ଷା କରି ମୈଦାନକୁ ଓହ୍ଲାନ୍ତି ନବୀନ ପଟ୍ଟନାୟକ। ଏଥର ରେକର୍ଡ କରନ୍ତି ସେ। ୨୦୦୦ ଓ ୨୦୦୪ ମସିହାରେ ମୁଖ୍ୟମନ୍ତ୍ରୀ ହେବା ପରେ ଲୋକଙ୍କ ପାଇଁ କରିଥିବା ଜନକଲ୍ୟାଣ ଯୋଜନା ସାଙ୍ଗକୁ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ତାଙ୍କୁ ୨୦୦୯ ନିର୍ବାଚନ ବୈତରଣୀ ପାର କରାଏ। ୧୦୩ ଆସନରେ ବିଜୟ ହୁଏ ବିଜେଡି। ପରେ ୨୦୧୪ରେ ୧୧୭ ଓ ୨୦୧୯ରେ ୧୧୨ ଆସନରେ ବିଜୟ ହୋଇ ଲଗାତାର ପଞ୍ଚମ ଥର ପାଇଁ ସରକାର ଗଢନ୍ତି ନବୀନ ପଟ୍ଟନାୟକ।
ତେବେ ଏଠି ପ୍ରଶ୍ନ ଉଠେ ଲଗାତାର ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲା ପରେ ବି ସରକାରଙ୍କ ପ୍ରତି ଲୋକଙ୍କ ବିରୋଧାଭାଷା ନାହିଁ କାହିଁକି। କାହିଁକି ନବୀନ ପଟ୍ଟନାୟକ ଜଣେ ସଫଳ ରାଜନେତା।
ନବୀନ ଜଣେ ସଫଳ ରାଜନେତା ହେବା ପଛରେ ବିଭିନ୍ନ କାରଣ ଥିବାବେଳେ ବିରୋଧୀଙ୍କୁ ମାତ୍ ଦେବା ସହ ନିର୍ବାଚନ ପରିଚାଳନା କରିବାର ଦକ୍ଷତା ଅନ୍ୟ ଏକ କାରଣ ଅଟେ।
୨୦୦୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିବାବେଳେ ତାଙ୍କୁ ଅନେକ ବିରୋଧର ସାମ୍ନା ମଧ୍ୟ କରିବାକୁ ପଡିଛି। ଯାହାକୁ ନିଜର ସଠିକ ରାଜନୈତିକ ଗୋଟି ଚାଳନା କାରଣରୁ ମାତ ଦେଇ ଆଗକୁ ବଢିଛନ୍ତି ନବୀନ। ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଜେପି ସହିତ ମେଣ୍ଟ କରି ଶାସନ କରିଥିବା ନବୀନ କିନ୍ତୁ ୨୦୦୯ରେ ଗେରୁଆର ଦଳର ହାତ ଛାଡି ଏକୁଡିଆ ଲଢିଥିଲେ। ୨୦୦୮ ମସିହାରେ କନ୍ଧମାଳରେ ଦେଖାଦେଇଥିବା ସାମ୍ପ୍ରଦାୟିକ ଦଙ୍ଗାକୁ ଏହାର ପ୍ରମୁଖ କାରଣ ଦର୍ଶାଯାଇଥିଲା। ଯେଉଁଥିପାଇଁ ବିଜେଡି, ବିଜେପି ଠାରୁ ଦୂରେଇ ଯିବା ସହ ଉଭୟ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ଠାରୁ ସମଦୂରତା ରକ୍ଷା କରି ରାଜ୍ୟର ନିରବଛିନ୍ନ ସେବା କରିଚାଲିଛି। ୨୦୧୨ ମସିହାରେ ନବୀନଙ୍କୁ ଏକ ଝଟକା ଲାଗିଥିଲା। ନବୀନ ବିଦେଶ ଗସ୍ତରେ ଥିବାବେଳେ ସେତେବେଳର ଦ୍ବିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ପ୍ୟାରିମୋହନ ମହାପାତ୍ର ତାଙ୍କୁ ଗାଦିରୁ ତଡିବା ପାଇଁ ଷଡଯନ୍ତ୍ର ରଚିଥିଲେ। ଯାହା ଜାଣିବା ପରେ ଅଧାରୁ ଗସ୍ତ ବାତିଲ କରି ଓଡ଼ିଶା ଫେରିଥିଲେ ନବୀନ। ପରେ ପ୍ୟାରିମୋହନ ମହାପାତ୍ରଙ୍କୁ ଦଳରୁ ବହିଷ୍କାର କରିଥିଲେ। ଖାଲି ତାଙ୍କୁ ନୁହେଁ ଦଳର କିଛି ମନ୍ତ୍ରୀ ଓ ବିଧାୟକଙ୍କୁ ମଧ୍ୟ ବାହାର ରାସ୍ତା ଦେଖାଇଥିଲେ ନବୀନ। ୨୦୧୪ ମସିହାରେ ସାରା ଦେଶରେ ମୋଦି ହାୱା ଚାଲିଥିବାବେଳେ ନବୀନ ଏଠାରେ ବାଜିମାତ କରିଥିଲେ। ୧୪୭ ବିଧାନସଭା ଆସନୁ ୧୧୭ ଓ ୨୧ ଲୋକସଭା ଆସନରୁ ୨୦ଟିରେ ଜିତି ରେକର୍ଡ କରିଥିଲେ ନବୀନ। କିନ୍ତୁ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ରାଜ୍ୟରେ ବିଜେଡିକୁ କଡ୍ଡା ଟକ୍କର ଦେଇଥିଲା। ଦଳ କଂଗ୍ରେସକୁ ପଛରେ ପକାଇ ଦ୍ବିତୀୟ ସ୍ଥାନକୁ ଉଠିଥିଲା। ହେଲେ ଏହି ଫଳାଫଳକୁ ୨୦୧୯ ବିଧାନସଭା ନିର୍ବାଚନରେ ପ୍ରତିଫଳନ କରିବାରେ ବିଫଳ ହୋଇଥିଲା ବିଜେପି। ଯାହା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପରିଚାଳନାର ଏକ ବଡ ଉଦାହରଣ। ଅବଶ୍ୟ ଲୋକସଭା ଆସନରେ ବିଜେପି ୮ଟିରେ ବିଜୟୀ ହୋଇଥିଲା, କିନ୍ତୁ ବିଧାନସଭା ଆସନରେ ଅଧିକ କିଛି କରିନଥିଲା। ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁ ସହ ବରଗଡ ଜିଲ୍ଲାର ବିଜେପୁରରୁ ନିର୍ବାଚନ ଲଢିଥିଲେ। ଯାହା ଫଳରେ ପଶ୍ଚିମଓଡ଼ିଶାରେ ଲୋକସଭା ଆସନଗୁ଼ଡିକ ବିଜେପିକୁ ଯାଇଥିଲେ ମଧ୍ୟ ବିଧାନସଭା ଆସନ ବିଜେଡିକୁ ଆସିବାରେ ସହାୟକ ହୋଇଥିଲା।
୨୦୦୦ ମସିହା ପରଠୁ ନବୀନ ପଟ୍ଟନାୟକ ଲଗାତାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କିନ୍ତୁ ଦୁର୍ନୀତିକୁ ସେ କେବେବି ପ୍ରଶୟ ଦେଇନାହାଁନ୍ତି। ନିଜ ମନ୍ତ୍ରୀମଣ୍ଡଳରୁ ଦୁର୍ନୀତି ଅଭିଯୋଗରେ ଅନେକ ମନ୍ତ୍ରୀଙ୍କୁ ବିଦା କରିଛନ୍ତି। ଏପରିକି ଜନବିରୋଧୀ ଦର୍ଶାଇ ନିଜ ଦଳର ବିଧାୟକଙ୍କୁ ମଧ୍ୟ ସେ ଦଳରୁ ବହିଷ୍କାର କରିଛନ୍ତି। ଯାହା ଦୁର୍ନୀତି ବିରୋଧରେ ତାଙ୍କର ଶୂନ୍ୟ ସହନଶୀଳତାର ପ୍ରମାଣ ଦିଏ। କେବଳ ନିଜ ଦଳର ଲୋକ କିମ୍ବା ମନ୍ତ୍ରୀଙ୍କୁ ନୁହଁନ୍ତି ଅନେକ ସରକାରୀ ଚାକିରିଆ ବା ଅଫିସରଙ୍କୁ ମଧ୍ୟ ଦୁର୍ନୀତି ଅଭିଯୋଗରେ ବହିଷ୍କାର କରାଯାଇଛି।
ମହିଳା ମାନଙ୍କୁ ଆଗକୁ ଆଣିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଅଗ୍ରଣୀ ଭୂମିକା ନିଭାଇଛନ୍ତି। ମିଶନ ଶକ୍ତି ଦ୍ବାରା ରାଜ୍ୟରେ ମହିଳା ମାନଙ୍କୁ ସଶକ୍ତ ଓ ସ୍ବାବଲମ୍ବୀ କରାଇଛନ୍ତି। ବିନା ସୁଧରେ ଋଣ ଦେଇ ମହିଳାଙ୍କୁ ଉଦ୍ୟୋଗୀ କରାଇଛନ୍ତି। ମହିଳାଙ୍କ ଜୀବନ ଧାରଣରେ ପରିବର୍ତ୍ତନ ଆଣିଛନ୍ତି। ମିଶନଶକ୍ତି ମହିଳାଙ୍କ ମଧ୍ୟରୁ ୨୦୧୯ ମସିହାରେ ଆସିକା ଲୋକସଭା ଆସନରୁ ପ୍ରମିଳା ବିଶୋୟୀଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ କରାଇ ତାଙ୍କୁ ସାଂସଦ କରାଇଛନ୍ତି। ମହିଳାଙ୍କୁ ଆଗକୁ ନେବା ପାଇଁ ତାଙ୍କର ପଣ କେବଳ କଥାରେ ନୁହେଁ କାମରେ ମଧ୍ୟ କରି ଦେଖାଉଛନ୍ତି ନବୀନ ପଟ୍ଟନାୟକ। ଯେଉଁଥିପାଇଁ ଆଜି ଘରେ ଘରେ ମହିଳାଙ୍କ ପ୍ରିୟପାତ୍ର ହୋଇଛନ୍ତି ନବୀନ।
ବିଏସକେୱାଇ ଯୋଜନା ଆରମ୍ଭ କରି ଗରିବ ପରିବାରରେ ହସ ଫୁଟାଇଛନ୍ତି ନବୀନ। ଯେଉଁଠି ଦିନେ ରୋଗରେ ପଡ଼ିଲେ ଜମି ବନ୍ଧା ପକାଇ ମେଡିକାଲ ଯାଉଥିଲେ ଲୋକେ, ଆଜି ସେମାନେ ସରକାରଙ୍କ ଏହି ଜନହିତକର ଯୋଜନା ଲାଭ ଉଠାଇ ମେଡିକାଲରୁ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। କେବଳ ସରକାରୀ ହସ୍ପିଟାଲ ନୁହେଁ, ପ୍ରାଇଭେଟ ହସ୍ପିଟାଲରେ ମଧ୍ୟ ବିଏସକେୱାଇ କାର୍ଡ ଦେଖାଇ ଚିକିତ୍ସିତ ହେଉଛନ୍ତି ଲୋକେ। ୯୬.୫ ଲକ୍ଷରୁ ଉର୍ଦ୍ଧ୍ୱ ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଯୋଗାଇଦିଆଯାଉଛି। ସେହିପରି ପରିବାରର ମହିଳା ସଦସ୍ୟାଙ୍କ ପାଇଁ ୭ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ରହିଛି। ରାଜ୍ୟ ବାହାରେ ମଧ୍ୟ କିଛି ପ୍ରାଇଭେଟ ହସ୍ପିଟାଲ ସହ ସରକାର ଚୁକ୍ତି କରି ଏହି ଯୋଜନା କାର୍ଯ୍ୟକାରୀ କରାଉଛନ୍ତି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଆଣିଛନ୍ତି ନୂଆ ଯୋଜନା। ସମସ୍ତଙ୍କ ପାଖରେ କମ ମୂଲ୍ୟରେ ବସ ଯୋଗାଇଦେବା ଏହାର ଲକ୍ଷ୍ୟ ରହିଛି। ଯାତ୍ରୀ ଓ ସଡ଼କ ସୁରକ୍ଷାକୁ ଗୁରୁତ୍ବ ଦେଇଛନ୍ତି ସରକାର। ମାତ୍ର ୫ ଟଙ୍କାରେ ପଞ୍ଚାୟତରୁ ବ୍ଲକକୁ ଯୋଗାଇଦେଉଛନ୍ତି ବସ ସେବା। ଯାହାର ନାମ ରଖାଯାଇଛି ଲକ୍ଷ୍ମୀ। କିଛି ଜିଲ୍ଲାରେ ଏହି ଯୋଜନା ବର୍ତ୍ତମାନ କାର୍ଯ୍ୟକାରୀ ହୋଇସାରିଲାଣି। ଯାହାରି ଫାଇଦା ସିଧାସଳଖ ଲୋକମାନେ ପାଉଛନ୍ତି। ଭୁବନେଶ୍ବରକୁ ସ୍ପୋର୍ଟ୍ସ କ୍ୟାପିଟାଲ ଭାବେ ଗଢିଛନ୍ତି ମୁଖ୍ୟମନ୍ତ୍ରୀ। ନିକଟରେ ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟରର ଉଦଘାଟନ କରି ଏଥିରେ ଆଉ ପାଦେ ଆଗକୁ ବଢିଛନ୍ତି ନବୀନ। ଦିନେ ଗରିବ ରାଜ୍ୟ ଭାବେ ପରିଚୟ ଲାଭ କରୁଥିବା ଓଡ଼ିଶା ଆଜି ଦୁଇ ଦୁଇ ଥର ହକି ୱାର୍ଲ୍ଡକପର ଆୟୋଜନା କରିସାରିଛି। ପ୍ରଥମେ କେବଳ ଏହା ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ହୋଇଥିବାବେଳେ ପରେ ୨୦୨୩ ମସିହାରେ ହୋଇଥିବା ହକି ବିଶ୍ବକପ ଉଭୟ ଭୁବନେଶ୍ବର ଓ ରାଉରକେଲାରେ ହୋଇଛି। ରାଉରକେଲାରେ ମାତ୍ର ୧୫ ମାସରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ବିର୍ସାମୁଣ୍ଡା ହକି ଷ୍ଟାଡିୟମ କରି ବିଶ୍ବରେ ଓଡ଼ିଶାର ନାମକୁ ଆଗକୁ ନେଇଛନ୍ତି ସେ। ଯେଉଁଥିପାଇଁ ଲୋକଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି ନବୀନ। ଖାଲି ବିଶ୍ବକପ ଆୟୋଜନ କରି ନୁହେଁ, ଭାରତୀୟ ହକି ଦଳର ସ୍ପନର୍ସରସିପ୍ ମଧ୍ଯ ଓଡି଼ଶା ନେଇଛି। ହକି ଖେଳକୁ ଅଧିକରୁ ଅଧିକ ପ୍ରୋତ୍ସାହିତ କରି ଲୋକଙ୍କ ମନରେ ହକି ପ୍ରତି ଅଧିକ ଭଲପାଇବା ଜଗାଇପାରିଛନ୍ତି ନବୀନ। ଯାହା ଏକ ମାଇଲଖୁଣ୍ଟ ଅଟେ। ଲଗାତାର ୫ ଥର ମୁଖ୍ୟମନ୍ତ୍ରୀ ହେବା ପରେ ଶାସନକୁ ଅଧିକ ସ୍ବଚ୍ଛ ଓ ଲୋକାଭିମୁଖୀ କରିବାକୁ ଆରମ୍ଭ କରାଯାଇଥିଲା ୫–ଟି ଓ ମୋ ସରକାର। ଟ୍ରାନ୍ସପାରେନ୍ସି, ଟେକ୍ନୋଲୋଜି, ଟିମୱାର୍କ, ଟାଇମ ଓ ଟ୍ରାନ୍ସଫରମେସନ ହେଉଛି ୫–ଟି । ଯାହାକୁ ଆଧାର କରି ରାଜ୍ୟର କାୟାକଳ୍ପ ବଦଳାଇଦିଆଯାଉଛି। ସ୍କୁଲ, କଲେଜ, ବସଷ୍ଟାଣ୍ଡ, ମନ୍ଦିର ଓ ପର୍ଯ୍ୟଟନ କ୍ଷେତ୍ର ଆଦି ବିଭିନ୍ନ କ୍ଷେତ୍ରରେ ୫–ଟି ମାଧ୍ୟମରେ କାମକୁ ତ୍ୱରାନ୍ୱିତ କରାଯାଇ ସବୁର ରୂପାନ୍ତରଣ କରାଯାଉଛି। ଯାହାର ସୁଫଳ ରାଜ୍ୟବାସୀ ପାଉଛନ୍ତି। ସ୍କୁଲ ଗୁଡିକୁ ୫–ଟି ଜରିଆରେ ରୂପାନ୍ତରଣ କରାଯାଉଛି। ଅତ୍ୟାଧୁନିକ ବ୍ୟବସ୍ଥା ସହ କିପରି ପିଲା ଆଗକୁ ପଢିବେ ସେନେଇ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ସେହିପରି ମୋ ସରକାର ଯୋଜନା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚୁଛି ସରକାର। ଲୋକଙ୍କଠାରୁ ଫିଡ଼ବ୍ୟାକ ନିଆଯାଇ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରାଯାଉଛି। ସରକାର କେବଳ ଜନହିତକର ଯୋଜନା କରିଛନ୍ତି ତାହା ନୁହେଁ, ମେକ ଇନ ଓଡ଼ିଶା କନକ୍ଲେଭ କରି ଶିଳ୍ପକୁ ମଧ୍ୟ ପ୍ରୋତ୍ସାହିତ କରିଛନ୍ତି। ଲୋକଙ୍କୁ ରୋଜଗାର ଦେବା ଉଦ୍ଦେଶ୍ୟରେ ସରକାର ଦୁଇ ଦୁଇ ଥର ମେକଇନ ଓଡ଼ିଶା କନକ୍ଲେଭ କରି ରାଜ୍ୟକୁ ପୁଞ୍ଜିପତି ମାନଙ୍କୁ ଡାକି ରାଜ୍ୟରେ ନିବେଶ ବଢାଇଛନ୍ତି। ଯାହାଦ୍ବାରା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ଅନେକ ଲୋକ ରୋଜଗାର ପାଇଛନ୍ତି।
୨୦୦୦ ମସିହାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବା ପରେ ପ୍ରଥମେ ଛାରଖାର ହୋଇଥିବା ଓଡ଼ିଶାକୁ ସଜାଡିବାକୁ ଚେଷ୍ଟା କରିଥିଲେ। ୧୯୯୯ ମସିହାରେ ୨୩ଟି ବାତ୍ୟା ଆଶ୍ରୟସ୍ଥଳୀ ଥିବାବେଳେ ବର୍ତ୍ତମାନ ସରକାର ପାଖାପାଖି ୯୦୦ଟି ବାତ୍ୟା ଆଶ୍ରୟସ୍ଥଳୀ ସରକାର କରିଥିବା ସୂଚନା ମିଳୁଛି। ସେହିପରି ଲୋକଙ୍କ ହିତ ପାଇଁ ସରକାର ବିଭିନ୍ନ ଯୋଜନା ମଧ୍ୟ କରିଛନ୍ତି। ସେଥିମଧ୍ୟରୁ ବିଜୁ ଆଦର୍ଶ କଲୋନୀ, ଆହାର, ପାର୍ବତୀଗିରି ଉଠାଜଳସେଚନ, ଆର୍ଶୀବାଦ, ବିଏସକେୱାଇ, ଜାଗା ମିଶନ, କାଳିଆ, ମୋ ଘର, ବିଜୁ ପକ୍କାଘର, ସୁଦକ୍ଷା, ହରିଶ୍ଚନ୍ଦ୍ର, ବଳରାମ, ମିଶନଶକ୍ତି, ଅବଢ଼ା, ମମତା, ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟବୀମା, ନୂଆ ଓଡ଼ିଶା, ଟ୍ରଙ୍କ ଫ୍ରମ ଟ୍ୟାପ, ନିରାମୟ, ବରିଷ୍ଠ ନାଗରିକ ତୀର୍ଥଯାତ୍ରା, ଆମ ଓଡ଼ିଶା ନବୀନ ଓଡ଼ିଶା, ମୋ ସ୍କୁଲ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ମୋ ଜଙ୍ଗଲ ଜମି, ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ରବୃତ୍ତି, ଲକ୍ଷ୍ମୀ, ଆମ ବ୍ୟାଙ୍କ, ମୁଖ୍ୟମନ୍ତ୍ରୀ କଳାକାର ସହାୟତା, ବସୁଧା, ମଧୁବାବୁ ପେନସନ, ମୁକ୍ତା, ଆଂକାକ୍ଷା, ନିଦାନ, ଅନ୍ୱେଷା. ବିଜୁ କୃଷକ କଲ୍ୟାଣ, ବିଜୁ ସେତୁ, ମିଶନ ଶକ୍ତି ସ୍କୁଟର, ସୁଜଳ, ସମ୍ପୂର୍ଣ୍ଣା ଓ ମୋ ବସ ପରି ଜନକଲ୍ୟାଣ କାରୀ ଯୋଜନା ଅନ୍ୟତମ।ଏହି ଯୋଜନା ମାଧ୍ୟମରେ ସରକାର ଓଡ଼ିଶାକୁ ଆଗକୁ ନେବା ସହ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରୁଛନ୍ତି। ଏହି ଧାରାକୁ ୨୦୨୪ରେ ଦୋହରାଇବା ପାଇଁ ମଧ୍ୟ କସରତ ଆରମ୍ଭ ହୋଇଛି। ଲୋକଙ୍କ ପାଖରେ ସରକାର ପହଞ୍ଚି ଲୋକଙ୍କ ଦାବି ଶୁଣୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତତ୍କାଳୀନ ୫–ଟି ସେକ୍ରଟାରୀ ବର୍ତ୍ତମାନର ୫–ଟି ଅଧ୍ୟକ୍ଷଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜିଲ୍ଲାୱାରୀ ଗସ୍ତ କରି ଲୋକଙ୍କ ଦାବି ଶୁଣିଛନ୍ତି। ପ୍ରତ୍ୟେକ୍ଷ ଭାବେ ଲୋକଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଛନ୍ତି। ପରେ ସେ ଦିଗରେ ପଦକ୍ଷେପ ମଧ୍ୟ ନେଇଛନ୍ତି। ଯାହା ଲୋକଙ୍କ ମଧ୍ୟରେ ନବୀନ ପଟ୍ଟନାୟକଙ୍କ ଗ୍ରହଣୀୟତା ଅଧିକ କରିଛି। ଏସବୁ କାରଣ ହିଁ ନବୀନଙ୍କୁ ଅଧିକ ଲୋକପ୍ରିୟତା କରିବା ସହ ସଫଳ ରାଜନେତା କରିପାରିଛି ।

