ଆଜି ସେମି ସଂଘର୍ଷ

ଆଜି ବିଶ୍ବକପ୍‌ କ୍ରିକେଟ୍‌ ପ୍ରଥମ ସେମିଫାଇନାଲ୍‌ । ଦୁଇଥରର ଚାମ୍ପିଅନ୍‌‌ ଭାରତ ଓ କ୍ରମାଗତ ଦୁଇଥର ରନର୍ସ ଅପ୍‌‌ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ବିଶ୍ୱକପ୍‌‌ର ପ୍ରଥମ ସେମିଫାଇନାଲ ୱାଙ୍ଖେଡେ ଷ୍ଟାଡିୟମ୍‌‌ରେ ଖେଳାଯିବ। ଲିଗ୍‌‌ ପର୍ଯ୍ୟାୟରେ ୯ଟି ମୁକାବିଲାରୁ ୯ଟିରେ ଜିତି ଭାରତ ପଏଣ୍ଟ ସାରଣୀର ପ୍ରଥମ ସ୍ଥାନରେ ଥିବାବେଳେ ନ୍ୟୁଜିଲାଣ୍ଡ ଚତୁର୍ଥ ସ୍ଥାନରେ ରହି ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଉଭୟ ଦଳର ଖେଳାଳି ଜବରଦସ୍ତ ଫର୍ମରେ ରହିଛନ୍ତି। ଭାରତ ପକ୍ଷରୁ କୋହଲି ୫୯୪ ଓ ରୋହିତ ଶର୍ମା ୫୦୩ ରନ୍‌‌ କରିଛନ୍ତି । ଏମାନଙ୍କ ପରେ ମଧ୍ୟ ଦଳର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌‌ ରହିଛି। ଯଶପ୍ରୀତ ବୁମ୍‌‌ରା, ମହମ୍ମଦ୍‌‌ ସିରାଜ ଓ ମହମ୍ମଦ ସାମିଙ୍କୁ ନେଇ ଭାରତୀୟ ପେସ ବାହିନୀ ସମୃଦ୍ଧ। ଘରୋଇ ମାଟିରେ ଦୁଇ ସ୍ପିନର ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ବେଶ ପ୍ରଭାବ ବିସ୍ତାର କରିଛନ୍ତି।

ଅଧିନାୟକ କେନ ୱିଲିୟମସନ ଦଳକୁ ଫେରିବା ପରେ ନ୍ୟୁଜିଲାଣ୍ଡର ଶକ୍ତି ବୃଦ୍ଧି ପାଇଛି। ଭାରତୀୟ ବଂଶୋଦ୍ଭବ ଓପନର ରାଚିନ ରବୀନ୍ଦ୍ର ୫୬୫ ରନ୍‌‌ କରିଥିଲାବେଳେ ଡେଭନ କନୱେ, ଟମ୍‌‌ ଲାଥମ, ଡାରିଲ ମିଚେଲ ଓ ଗ୍ଲେନ ଫିଲିପ୍ସ ଦ୍ରୁତ ହାରରେ ରନ୍‌‌ ସଂଗ୍ରହ କରିବାର କ୍ଷମତା ରଖିଛନ୍ତି। ବାମହାତି ବୋଲରଙ୍କୁ ଖେଳିବାରେ ଭାରତୀୟଙ୍କ ଲାଗି କଷ୍ଟକର। ଏଠାରେ ଭଲ ଅଭିଜ୍ଞତା ଥିବା ଟ୍ରେଣ୍ଟ ବୋଲ୍ଟ ଓ ବାମହାତି ସ୍ପିନର ମିଚେଲ ସାଣ୍ଟନର ଭାରତର ବିଶେଷ କ୍ଷତି ଘଟାଇପାରନ୍ତି। ଫାଷ୍ଟ ବୋଲର ଲକି ଫର୍ଗୁସନ ମଧ୍ୟ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରନ୍ତି। ବିଶ୍ୱକପ୍‌‌ ସେମିଫାଇନାଲରେ ଭାରତ ୭ଥର ଖେଳିଥିଲାବେଳେ ୩ଥର ବିଜୟୀ ହୋଇଛି ଓ ୪ଥର ପରାଜିତ ହୋଇଛି। ଶେଷଥର ୨୦୧୯ ସେମିରେ ଭାରତ ୧୮ ରନ୍‌‌ରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଥିଲା। ଏହି ପରାଜୟର ପ୍ରତିଶୋଧ ନେବାକୁ ଭାରତ ନିକଟରେ ସୁଯୋଗ ରହିଛି।

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!