ଆସନ୍ତା ଫେବ୍ରୁଆରୀ ୩ରୁ ୩ ଦିନ ଧରି ରାଜ୍ୟରେ ଅନୁଷ୍ଠିତ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ସମଗ୍ର ବିଶ୍ୱରେ ଓଡ଼ିଆ ଭାଷାକୁ ସମୃଦ୍ଧ, ଲୋକପ୍ରିୟ ଓ ଗ୍ରହଣୀୟ କରାଯିବା ନିମନ୍ତେ ଆୟୋଜିତ ଏହି ସମ୍ମିଳନୀରେ ଭାଷା ଗବେଷକ, ଭାଷାବିତ୍ମାନେ ଯୋଗ ଦେଇ ବ୍ୟାପକ ବିଚାରବିମର୍ଶ କରିବେ। ଏହି ସମ୍ମିଳନୀକୁ ସ୍ମରଣୀୟ ତଥା ସଫଳ କରିବା ନିମନ୍ତେ ଭୁବନେଶ୍ୱରସ୍ଥିତ କଳାମଣ୍ଡଳ ପରିସରରେ ନିର୍ମାଣ ହେଉଛି ଅକ୍ଷରଭୂମି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ କଳାମଣ୍ଡପ ଯାଇ ଅକ୍ଷରଭୂମିର ଅଗ୍ରଗତି ସମୀକ୍ଷା କରିଛନ୍ତି।
ଦୁଇ ହଜାର ଆସନ ବିଶିଷ୍ଟ କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ରାଜ୍ୟର ସବୁଠାରୁ ବଡ଼ ସମ୍ମିଳନୀ କେନ୍ଦ୍ର ହେବାକୁ ଯାଉଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଏହି ସମ୍ମିଳନୀ କେନ୍ଦ୍ରର ନିର୍ମାଣ ଦାୟିତ୍ୱ ଇଡ୍କୋ ବହନ କରିଛି। ଶ୍ରୀ ପାଣ୍ଡିଆନ କଳାମଣ୍ଡପ ପରିସରରେ ନିର୍ମାଣାଧୀନ କାର୍ଯ୍ୟ ଅନୁଧ୍ୟାନ କରିବା ସହ ଯଥାଶୀଘ୍ର ସମ୍ଭବ ଏହି କାର୍ଯ୍ୟକୁ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କଳାମଣ୍ଡଳର ଆଭ୍ୟନ୍ତରୀଣ ସାଜସଜ୍ଜା ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ପୃଷ୍ଠଭୂମି ଢାଞ୍ଚାରେ କରାଯିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ଚିର ସ୍ମରଣୀୟ କରିବା ପାଇଁ ଅକ୍ଷରଭୂମିକୁ ଖଣ୍ଡେଲାଇଟ ପଥରରେ ନିର୍ମାଣ କରାଯାଉଛି। କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଅକ୍ଷରଭୂମି ଓଡ଼ିଶାର କଳା ଓ ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ହେବ। ଓଡ଼ିଶାର ମହାନ୍ ଐତିହ୍ୟ ଓ ଶାସ୍ତ୍ରୀୟ ଓଡ଼ିଆ ଭାଷାର ଗୌରବ ବିଷୟରେ ଅକ୍ଷରଭୂମି ଭବିଷ୍ୟତ ପିଢିକୁ ପ୍ରେରଣା ଦେବା ସହ ଓଡ଼ିଆ ଭାଷାର ଅସ୍ମିତାର ପରିଚୟ ହେବ ବୋଲି ଶ୍ରୀ ପାଣ୍ଡିଆନ୍ ଆଶା ବ୍ୟକ୍ତ କରିଛନ୍ତି। ସେହିପରି ଏଠାରେ ଏକ ଓଡ଼ିଆ ଭାଷା ସମ୍ମିଳନୀ ସ୍ମୃତି ତୋରଣ ନିର୍ମାଣ କରାଯାଉଛି। ଭବିଷ୍ୟତ ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ଅଧିକ ଖୋଲା ସ୍ଥାନ ରଖିବା ଏବଂ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବେସମେଣ୍ଟରେ ପାର୍କିଂ ବ୍ୟବସ୍ଥାର ବିକାଶ ପାଇଁ ସ୍ଥିର କରାଯାଇଛି। ଏହାର ପରିସରରେ ଅଧିକ ଗଚ୍ଛ ଲଗାଇ ଏହାକୁ ସବୁଜ ସୁନ୍ଦର କରିବା ତଥା ବିଭିନ୍ନ ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହାର କରିବା ପାଇଁ ୫-ଟି ଅଧ୍ୟକ୍ଷ ଏହି ଅବସରରେ ପରାମର୍ଶ ଦେଇଛନ୍ତି ।
ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଓଡ଼ିଆ ଭାଷାର ପ୍ରାଚୀନତା ଓ ଭବିଷ୍ୟତର ପ୍ରାସଙ୍ଗିକତା ଉପରେ ଅନେକ ତର୍କ ଭିତ୍ତିକ ଓ ମାର୍ମିକ ତର୍ଜମା କରାଯିବ। ଦେଶ ବିଦେଶରେ ରହୁଥିବା ଓଡ଼ିଆ ଭାଷାବିତ୍ମାନେ ଯୋଗ ଦେଇ ଓଡ଼ିଆ ଭାଷାର ସର୍ବ ପ୍ରାଚୀନତା ଓ ନିରନ୍ତରତା ସମ୍ପର୍କରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିବେ। ଏଥିରେ ଓଡ଼ିଆ ଭାଷାର ଉତ୍ପତ୍ତି, କ୍ରମବିକାଶ ଓ ଲୋକପ୍ରିୟତା ଉପରେ ସାରଗର୍ଭକ ଆଲୋଚନା ହେବ। ଏଥିସହ ବିଶେଷଜ୍ଞମାନେ ଏହି ତିନି ଦିନରେ ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ରୂପରେଖ ଉପରେ ତଥ୍ୟ ଭିତ୍ତିକ ଉପସ୍ଥାପନ କରିବେ। ସମ୍ମିଳନୀରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ବୁଦ୍ଧିଜୀବୀ ତଥା ସବୁ ବର୍ଗର ବ୍ୟକ୍ତିବିଶେଷ ଯୋଗଦେବେ। ଓଡ଼ିଆ ଭାଷାକୁ ଅଭିନବ ଭାବେ କିଭଳି ଶିଖି ହେବ, ଏ ସମ୍ପର୍କରେ ମଧ୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏହି ସମ୍ମିଳନୀ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଷାଭାଷୀ ମାନଙ୍କ ନିମନ୍ତେ ଏକ ନୂତନ ଆଲୋକବର୍ତ୍ତିକା ହେବ। ଏହା ପୂର୍ବରୁ ‘୫-ଟି’ ସଚିବ ବିଭିନ୍ନ କାର୍ଯ୍ୟକୁ ଟିକିନିଖି ଅନୁଧ୍ୟାନ କରିଛନ୍ତି ।ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ପୂର୍ତ୍ତ ବିଭାଗ ସହଯୋଗରେ କରାଯାଉଥିବା ନିର୍ମାଣ କାର୍ଯକୁ ଧାର୍ଯ୍ୟ ସମୟ ପୂର୍ବରୁ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୫-ଟି ଅଧ୍ୟକ୍ଷଙ୍କ ଏହି ଗସ୍ତ ସମୟରେ ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ, ଇଡ୍କୋ ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ, ନିର୍ଦ୍ଦେଶକ ଦିଲୀପ ରାଉତରାୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।



