ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ୱ ପାଇଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ଆଉ ଦାୟିତ୍ୱ ପାଇବା ଦିନଠୁ ଅପରାଜିତାଙ୍କୁ କାଉଁଣ୍ଟର କରୁଛନ୍ତି । ତାଙ୍କୁ ଭୁବନେଶ୍ୱର ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଥିବାରୁ ଅପରାଜିତାଙ୍କ ନିଦ ହଜି ଯାଇଥିବା କହିଛନ୍ତି ଶ୍ରୀମୟୀ । ଏଭଳି କହି ଅପରାଜିତାଙ୍କୁ ସେ ସିଧାସଳଖ ଆହ୍ୱାନ କରିଛନ୍ତି । ଯାହା ଭୁବନେଶ୍ୱରର ରାଜନୀତିରେ ହଟଚମଟ ସୃଷ୍ଟି କରିଛି । କିନ୍ତୁ ଭୁବନେଶ୍ୱର ପାଇଁ ବିଜେଡିର ଏହି ସ୍ୱତନ୍ତ୍ର ରଣନୀତି କାହିଁକି? ଅପରାଜିତାଙ୍କୁ ଚେକ୍ ଦେବାକୁ ଶ୍ରୀମୟୀଙ୍କୁ ସାମ୍ନାକୁ ଅଣାଯାଇନି ତ?

ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । ବିଜେଡିର ଜଣେ ଶୀର୍ଷ ନେତାଙ୍କ କହିବା ଅନୁସାରେ, ୨୦୨୪ ନିର୍ବାଚନରେ ଅପରାଜିତାଙ୍କୁ ମାତ୍ ଦେବାକୁ ଶ୍ରୀମୟୀଙ୍କୁ ଅସ୍ତ୍ର ଭାବେ ଛଡାଯାଇଛି । ସିଏ ଏବେଠାରୁ ରାଜଧାନୀରେ ନିଜ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବେ । ୨୦୧୯ରେ ବିଜେପି ମହିଳା କାର୍ଡ ଖେଳି ଭୁବନେଶ୍ୱର ଆସନକୁ ବିଜେଡି ହାତରୁ ଛଡାଇ ନେଇଥିଲା । ତେଣୁ ୨୦୨୪ରେ ଯେପରି ଏହାର ପୁନରାବୃତ୍ତି ନହେବ ସେଥିପାଇଁ ବିଜେଡି ମଧ୍ୟ ଭୁବନେଶ୍ୱର ଆସନରେ ମହିଳା କାର୍ଡ ଖେଳିବ ବୋଲି ନବୀନ ରଣନୀତି କରିଛନ୍ତି ।
କଲେଜ ସମୟରୁ ହିଁ ରାଜଧାନୀ ରାଜନୀତି ସହ ଜଡିତ ଅଛନ୍ତି ଶ୍ରୀମୟୀ । ଭୁବନେଶ୍ୱରର ମୁଡ୍ କଣ ଚାହେଁ ତାହାକୁ ଅତି ପାଖରୁ ପରଖିଛନ୍ତି । ଲୋକଙ୍କ ସହ ମିଶିଛନ୍ତି, ସ୍ଥାନୀୟ ସମସ୍ୟା ବାବଦରେ ମଧ୍ୟ ଅବଗତ ଅଛନ୍ତି । ଯୁବ ଚେହେରା ଭାବେ ତାଙ୍କର ଗ୍ରହଣୀୟତା ମଧ୍ୟ ରହିଛି । ଯାହା ଅପରାଜିତାଙ୍କ ପାଇଁ ସବୁଠୁ ଅଧିକ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ପୂର୍ବରୁ ଅପରାଜିିତା ମହିଳା ଭାବେ ଯେଉଁ ସିମ୍ପାଥି ହାତାଉଥିଲେ ସେଥିରେ ଶ୍ରୀମୟୀ ଭାଗ ବସାଇଲେ ଅପରାଜିତାଙ୍କ ପାଇଁ ବିଜୟ ସ୍ୱପ୍ନ ପାଲଟିଯିବ ବୋଲି ଚର୍ଚ୍ଚା ହେଉଛି । ଏସବୁକୁ ଦୃଷ୍ଟିରେ ରଖି ଶ୍ରୀମୟୀଙ୍କୁ ଆଗୁଆ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇ ନବୀନ ମାଷ୍ଟରଷ୍ଟ୍ରୋକ ମାରିଥିବା କୁହାଯାଉଛି । ଏମିତିରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ୭ ବିଧାନସଭା ଆସନରୁ ୬ ଆସନ ବିଜେଡି ଖାତାରେ ରହିଛି ।
ତେଣୁ ନୂଆ ଚେହେରା ଭାବେ ଶ୍ରୀମୟୀଙ୍କୁ ଏବେଠାରୁ ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲିବାର ସୁଯୋଗ ମିଳିଲେ ୨୦୨୪ ନିର୍ବାଚନ ବେଳକୁ ଅପରାଜିତାଙ୍କୁ ପ୍ରତିହତ କରିବା ସହଜ ହେବ ବୋଲି କୁହାଯାଉଛି । କାରଣ ଅପରାଜିତାଙ୍କୁ ନେଇ ଏବେ ବିଜେପି ଦଳରେ ଅସନ୍ତୋଷର ବହ୍ନି କୁହୁଳିବା ଆରମ୍ଭ ହୋଇଛି । ଅପରାଜିିତାଙ୍କ ଏକଛତ୍ରବାଦୀ ନୀତି ପାଇଁ ତାଙ୍କୁ ବିଭିନ୍ନ ନିର୍ବାଚନମଣ୍ଡଳୀରେ ନିଜ ଦଳ ଓ ସାଧାରଣ ଲୋକଙ୍କର ବିରୋଧର ସାମ୍ନା କରିବାକୁ ପଡୁଛି । ତେଣୁ ଅପରାଜିତାଙ୍କୁ ମାତ୍ ଦେବାକୁ ବିଜେଡି ପାଇଁ ଏହା ସୁବର୍ଣ୍ଣ ସୁଯୋଗ । କଣ୍ଟାକୁ କଣ୍ଟାରେ କାଢିବା ଭଳି ଅପରାଜିତାଙ୍କୁ ପରାହତ କରିବାକୁ ମହିଳା କାର୍ଡ ଭାବେ ଶ୍ରୀମୟୀଙ୍କୁ ମୈଦାନକୁ ଓହ୍ଲାଇପାରେ ବିଜେଡି ।



