ସମୟ ବିତୁଥିଲା, ବର୍ଷ ପରେ ବର୍ଷ ଗଡୁଥିଲା । ସେଦିନର ସଚିବାଳୟ ବା ଆଜିର ଲୋକସେବାଭବନ ବି ବଦଳୁଥିଲା । ଜଣଙ୍କ ପରେ ଜଣେ ନୂଆ ମୁଖ୍ୟ ଶାସନ ସଚିବ ପଦମଣ୍ଡିତ କରୁଥିଲେ । ଏତେ ପରିବର୍ତ୍ତନ ଭିତରେ କିନ୍ତୁ ଜଣେ ଥିଲେ ସ୍ଥିର ଆଉ ସଭିଙ୍କ ଆପଣାର । ସେଥିଲେ ମୁଖ୍ୟ ଶାସନ ସଚିବଙ୍କ ଓସଏଡି ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟକରି ସଭିଙ୍କର ପ୍ରିୟଭାଜନ ହୋଇପାରିଥିବା ରାଜ୍ୟ ପ୍ରଶାସନିକ ଇତିହାସ ଓ ବର୍ତ୍ତମାନରେ ଚର୍ଚ୍ଚିତ ଓ ଚମତ୍କାର ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ରାଉତରାୟ ।
ଓ଼ଡ଼ିଆ, ଓଡ଼ିଆ ପ୍ରେମୀ ଓ କର୍ତ୍ତବ୍ୟନିଷ୍ଠ ଦିଲ୍ଲୀପ । ଲୋକସେବା ଭବନ ହେଉ କି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର । ସବୁଠି ନିଜର ପରିଶ୍ରମ, କାର୍ଯ୍ୟଦକ୍ଷତା ଓ ସମର୍ପିତ ଭାବ ପାଇଁ ଜଣେ ଜଣାଶୁଣା ବ୍ୟକ୍ତି । 1990 ବ୍ୟାଚ ଓଏଏସ ଏବଂ ପରେ 2011 ବ୍ୟାଚ ଆଇଏଏସ ଅଫିସର ହେଉଛନ୍ତି ଦିଲ୍ଲୀପ । ଯେତେବେଳେ ସାରା ଦୁନିଆଁ ବଦଳୁଥାଏ ସେତେବଳେ ଦିଲ୍ଲୀପ ସ୍ଥିର ଓ ନିର୍ବିକାର ରହିଥାନ୍ତି । ଯାହାର ପ୍ରମାଣ ହେଉଛି ଦୀର୍ଘ 10 ବର୍ଷ ଧରି ମୁଖ୍ୟ ଶାସନ ସଚିବଙ୍କ ଦପ୍ତରରେ ଓଏସଡି ଭାବେ ସେ କାର୍ଯ୍ୟରତ ରହିବା । ଗୋଟିଏ ଜାଗାରେ ଏତେ ଦିନ ଧରି ଦକ୍ଷତାର ସହ କାମ କରି ଭିନ୍ନ ଭିନ୍ନ ସମୟରେ ମୁଖ୍ୟ ଶାସନ ସଚିବ ଓ ସରକାରୀ କଳର ମଧ୍ୟ ସେ ଆସ୍ଥାଭାଜନ ହୋଇପାରିଥିଲେ । ପ୍ରତିଟି କାର୍ଯ୍ୟକୁ ସୂଚାରୁରୂପେ ତୁଲାଇ ସଫଳତା ହାସଲ କରିବା ସହ ରାଜ୍ୟର ପ୍ରଗତିରେ ଭାଗିଦାରୀ ହୋଇଥିଲେ । ଲୋକସେବା ଭବନର ପ୍ରତି ପ୍ରଶାସନିକ ଅଧିକାରୀଙ୍କ ଭଲପାଇବା ଓ ସମ୍ମାନର ଅଧିକାରୀ ହୋଇପାରିଥିଲେ ଦିଲ୍ଲୀପ । ଯାହାକି ତାଙ୍କ ନିଷ୍ଠା ଓ ସାଧୁତାର ପ୍ରତିଫଳନ ସ୍ବରୂପ ପ୍ରସ୍ଫୁଟିତ ହୋଇଥିଲା । ଓଡିଶାର ସେବା ପାଇଁ ତାଙ୍କ ସମର୍ପିତ ଭାବନାକୁ ମୁଖ୍ୟମନ୍ତ୍ରୀ ସମ୍ମାନ ଦେବା ସହ ପରବର୍ତ୍ତୀ ସମୟରେ ଅନେକ ଗୁରୁଦାୟିତ୍ବ ପ୍ରଦାନ କରିଛନ୍ତି ।
ବର୍ତ୍ତମାନ ରାଜ୍ୟ ସରକାରଙ୍କ 2036 ଭିଜନରେ କାମ କରୁଛନ୍ତି ଦିଲ୍ଲୀପ । ଏକାଧିକ ଦାୟିତ୍ବ ତୁଲାଇବା ସହ ଓଡ଼ିଶାର ଅସ୍ମିତା ଓ ସାମଗ୍ରିକ ବିକାଶ ପାଇଁ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି । ଜଣେ ଭାଷା ଓ ସାହିତ୍ୟପ୍ରେମୀ ହେଉଛନ୍ତି ଦିଲ୍ଲୀପ । ଯେଉଁଥିପାଇଁ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ତାଙ୍କୁ ଅତି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ସଫଳ ଆୟୋଜନ ପଛରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ଭାଷା ଅତୀତର ଅସ୍ତିତ୍ବ। ଭାଷା ହିଁ ଭବିଷ୍ୟତ। ଭାଷା ଭାବର ବାହକ। ଓଡ଼ିଆ ଜାତିର ଆତ୍ମା, ଗର୍ବ ଓ ଗୌରବ। ଏହି କଥାକୁ ମର୍ମେ ମର୍ମେ ବୁଝିଥିଲେ ଦିଲ୍ଲୀପ । ଓଡ଼ିଆ ଭାଷାର ବ୍ୟବହାର ଓ ପ୍ରସାର ବୃଦ୍ଧି ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିବାରେ ତାଙ୍କ ଭୂମିକା ସର୍ବାଗ୍ରେ । ସମ୍ମିଳନୀରେ ତିନି ଦିନ ଧରି ଶତାଧିକ ଭାଷାବିତ୍, ଗବେଷକ ଓ ବିଦ୍ବାନ ଯୋଗଦେଇ ଓଡ଼ିଆ ଭାଷା ସମ୍ପର୍କରେ କରିଥିଲେ ସାରଗର୍ଭକ ଆଲୋଚନା। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଶେଷ କରି ମ୍ୟୁଜିୟମ ସଭିଙ୍କ ପାଇଁ ଆକର୍ଷଣ ସାଜିଥିଲା । ପ୍ରଥମ ଥର ପାଇଁ ଭାଷାକୁ ନେଇ ଏଭଳି ବିଶ୍ବସ୍ତରୀୟ ଆୟୋଜନ କରାଯାଇଥିଲା । କମ ଦିନରେ ବିଶ୍ବସ୍ତରୀୟ ଆୟୋଜନ ଏବଂ ଏହାକୁ ଶକପ୍ରତିଶତ ସଫଳ କରିବାରେ ଦିଲ୍ଲୀପଙ୍କ ଅବଦାନ ଉଲ୍ଲେଖନୀୟ । ଯେଉଁଥିପାଇଁ ସାରା ରାଜ୍ୟରୁ ତାଙ୍କ ପ୍ରତି ପ୍ରଶଂସା ଛୁଟି ଆସିଥିଲା । କେବଳ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ନୁହେଁ ବରଂ ଓଡ଼ିଆ ଭାଷାର ଉନ୍ନତି ପାଇଁ ଅନ୍ୟାନ୍ୟ ପଦକ୍ଷେପ ନେବାରେ ତାଙ୍କ ନିଷ୍ପତ୍ତି ପ୍ରଶଂସନୀୟ ।
ପ୍ରବାସୀ ଓଡିଆମାନଙ୍କର ସମସ୍ୟା ବୁଝିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଓଡିଶା ପରିବାର ନିର୍ଦ୍ଦେଶାଳୟ ଗଠନ କରିଛନ୍ତି । ଦେଶ, ବିଦେଶରେ ରହୁଥିବା ଓଡିଆଙ୍କ ପାଇଁ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ଏହା କାର୍ଯ୍ୟକ୍ଷମ ହେଉଛି । ଯାହାର ଦାୟିତ୍ବ ନେଇଛନ୍ତି ଦିଲ୍ଲୀପ । ଓଡିଶା ପରିବାର ନିର୍ଦ୍ଦେଶାଳୟର ପ୍ରଥମ ନିର୍ଦ୍ଦେଶକ ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେବାପରେ ଏହାକୁ ସଫଳତାର ସହ ନିର୍ବାହ କରୁଛନ୍ତି । ବହୁ ସଂଖ୍ୟାରେ ଓଡିଆ ଦେଶର ଅନ୍ୟ ରାଜ୍ୟରେ ବିଭିନ୍ନ ବୃତ୍ତିରେ କାର୍ଯ୍ୟ କରୁଛନ୍ତି ଓ ଓଡିଶାର ଅଭିବୃଦ୍ଧି କାହାଣୀର ଏକ ଭୂମିକା ନେବାକୁ ଚାହାନ୍ତି । ପ୍ରବାସୀ ଓଡିଆଙ୍କ ଜ୍ଞାନ, କୌଶଳ ତଥା ବିଶ୍ୱସ୍ତରୀୟ ଉପସ୍ଥିତିକୁ ଓଡି଼ଶାର ଅଗ୍ରଗତିରେ ନିୟୋଜିତ କରିବା ସହ ସେମାନେ ସାମ୍ନା କରୁଥିବା ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶାଳୟ ଉଦ୍ୟମ କରୁଛି । ବିଭିନ୍ନ ଦେଶରେ ଫସିଥିବା ଓଡ଼ିଆମାନଙ୍କୁ ଉଦ୍ଧାର ସହ ଅନ୍ୟାନ୍ୟ ଅସୁବିଧା ସମୟରେ ରାଜ୍ୟ ସରକାରଙ୍କ ତରଫରୁ ସହାୟତା ଯୋଗାଇଦେବାରେ ଦିଲ୍ଲୀପ ପ୍ରମୁଖ ଭୂମିକା ତୁଲାଉଛନ୍ତି । ତ୍ରିପୁରାରେ ବାହୁଡ଼ାରେ ଘଟିଥିବା ଅଘଟଣ ପରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଘଟଣାସ୍ଥଳକୁ ଯାଇଥିଲେ । ମୃତକ କିମ୍ବା ଆହତଙ୍କ ଭିତରେ ଓଡ଼ିଶାରୁ କୌଣସି ବ୍ୟକ୍ତି ଥିବାର ସନ୍ଦେହ କରି ସଂସ୍କୃତି ନିର୍ଦ୍ଦେଶକ ସେଠାକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରି ନିଜ ସମର୍ପିତ ଭାବନାର ପରିଚୟ ଦେଇଥିଲେ ।
କେବଳ ସେତିକି ନୁହେଁ ଭୁବନେଶ୍ବର କ୍ଲବର ସଂପାଦକ ଭାବେ ଦିଲ୍ଲୀପ ଦାୟିତ୍ବ ତୁଲାଉଛନ୍ତି । ଓଡ଼ିଶାର ବିକାଶ ପାଇଁ ଅଙ୍ଗିକାରବଦ୍ଧ ହୋଇଥିବାରୁ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ଟିମର ଗୁଡ୍ ବୁକରେ ରହିଛନ୍ତି ଦିଲ୍ଲୀପ । ଆଗକୁ ଦିଲ୍ଲୀପ ଓଡ଼ିଶାର ସେବା ପାଇଁ ଏପରି ସଫଳ ଯାତ୍ରା ଜାରି ରଖିବାକୁ ମହାପ୍ରଭୁଙ୍କ ନିକଟରେ ଇଣ୍ଟରଭ୍ୟୁ ଟାଇମ୍ସ ପରିବାର ତରଫରୁ ପ୍ରାର୍ଥନା ।



