ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ରେଡ କରିଥିବା ବେଳେ ପ୍ରାୟ ଦୁଇ ଘଣ୍ଟା ପରେ ତାଙ୍କୁ ଗିରଫ କରିଛି।
ଅବକାରୀ ଦୁର୍ନୀତି ସହ ଜଡ଼ିତ ମାମଲାରେ ଇଡି ଟିମ୍ ସର୍ଚ୍ଚ ଓ୍ବାରେଣ୍ଟ୍ ସହ କେଜ୍ରିୱାଲଙ୍କ ବାସଭବନରେ ଗୁରୁବାର ସନ୍ଧ୍ୟରେ ପହଞ୍ଚି ପଚରା ଉଚୁରା କରୁଥିଲା। ଦୁଇ ଘଣ୍ଟାର ଜେରା ପରେ ଇଡିର ଅଧିକାରୀମାନେ କେଜ୍ରିୱାଲଙ୍କୁ ଗିରଫ କରିଛନ୍ତି। ଗିରଫ ପରେ ତାଙ୍କୁ ଇଡି ତା’ର ମୁଖ୍ୟାଳୟକୁ ନେଇଛି। ଗିରଫ ପୂର୍ବରୁ ଇଡି ଅରବିନ୍ଦ କେଜ୍ରିୱାଲଙ୍କ ମୋବାଇଲ ଫୋନ ଜବତ କରିଥିଲା । ଇଡି କହିଛି କି, ଜେରା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଯାଂଚ ଟିମକୁ ସହଯୋଗ କରି ନଥିଲେ । ଯାହା ପରେ ଇଡି ତାଙ୍କୁ ଗିରଫ କରି ହେପାଜତକୁ ନେଇଛି।ଅନ୍ୟପଟେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବା ପରେ ଦିଲ୍ଲୀ, ପଞ୍ଜାବ ଓ ହରିଆଣାରେ ମଧ୍ୟ ବିକ୍ଷୋଭ ଆରମ୍ଭ ହୋଇ ଯାଇଛି। କେଜ୍ରିୱାଲଙ୍କ ବାସଭବନ ଆଗରେ ଆପ କର୍ମୀମାନେ ବିକ୍ଷୋଭ କରୁଥିବା ବେଳେ ପୁଲିସ୍ ତାଙ୍କୁ ଉଠାଇ ନେଇଛି।
ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫ ପରେ କିଏ ସମ୍ଭାଳିବେ ଆପ୍ ଦାୟିତ୍ବ ତାକୁ ନେଇ ସବୁଠି ଚର୍ଚ୍ଚା। ୨୦୧୨ରୁ ଆଜି ପର୍ୟ୍ୟନ୍ତ କେଜ୍ରିଓ୍ବାଲ ସମ୍ଭାଳି ଆସୁଛନ୍ତି ଦଳର ନେତୃତ୍ବ । ତେବେ କେଜ୍ରିଓ୍ବାଲ ଗିରଫ ହେବା ପରେ ଚର୍ଚ୍ଚାରେ ଥିଲେ ତାଙ୍କ ପତ୍ନୀ ସୁନୀତା କେଜ୍ରିଓ୍ବାଲ । ଏହାସହ କ୍ୟାବିନେଟ ମନ୍ତ୍ରୀ ଆତିଶି ଓ ସୌରଭ ଭରଦ୍ବାଜଙ୍କ ନାଁ ଶୁଣିବାକୁ ମିଳିଥିଲା । ଆତିଶି ବିଜେପିର ଜଣେ କଟର ଜଣାଶୁଣା ନେତା । ମୁଖ୍ଯମନ୍ତ୍ରୀ କିଏ ହେବା ନେଇ ଗତବର୍ଷ ମଧ୍ୟ କରାଯାଇଥିଲା ସର୍ଭେ, ଅଧିକାଂଶ ଭୋଟର କେଜ୍ରିଓ୍ବାଲଙ୍କ ସପକ୍ଷରେ ମତ ଦେଇଥିଲେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ନାଁରେ ଚର୍ଚ୍ଚାରେ ଥିଲା । କେଜ୍ରିଓ୍ବାଲ ଯେଉଁଠି ଥିଲେ ବି ତାଙ୍କ ଶାସନ ଦରକାର କହିଥିଲେ ଜନତା ।

