ଆଜିଠୁ ଆଇପିଏଲ: ଧୋନିଙ୍କୁ ମିସ୍ କରିବେ ଫ୍ୟାନ୍

ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବ ଫଟାଫଟ୍ କ୍ରିକେଟ୍‌ର ବହୁଚର୍ଚ୍ଚିତ ମହୋତ୍ସବ। ଚେନ୍ନାଇରେ ବାଜିବ ବିଶ୍ବର ସବୁଠାରୁ ଧନୀ ଓ ଲୋକପ୍ରିୟ କ୍ରିକେଟ୍ ଲିଗ୍ ‘ଆଇପିଏଲ୍‌’ର ସପ୍ତଦଶ ସଂସ୍କରଣ ବିଗୁଲ। ମ୍ୟାଚ୍ ୮ଟାରୁ ଆରମ୍ଭ ହେବ। ହେଲେ ସଂଧ୍ୟା ସାଢ଼େ ୬ଟାରୁ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବରେ ବଲିଉଡ୍ ସୁପରଷ୍ଟାର୍ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍ ଧମାଲ କରିବେ। ରଙ୍ଗାରଙ୍ଗ ପରିବେଶ ଭିତରେ ପ୍ରଥମ ଲଢ଼େଇରେ ମୁହାଁମୁହିଁ ହେବେ ଗତବର୍ଷ ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ଓ ନୂଆ ନାଁରେ ଖେଳିବାକୁ ଯାଉଥିବା ଆର୍‌ସିବି (ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ)। ଲିଗ୍‌ର ସଫଳତମ ଓ କେବେବି ଟ୍ରଫି ଜିତି ନପାରିବାର ଅପଯଶ ବହନ କରିଆସୁଥିବା ଦଳ ମଧ୍ୟରେ ହେବାକୁ ଥିବା ଏହି ମୁକାବିଲାକୁ ନେଇ ସମଗ୍ର କ୍ରି‌କେଟ୍ ଦୁନିଆ ଉଲ୍ଲସିତ।

‘କ୍ୟାପ୍‌ଟେନ୍ କୁଲ୍’ ମହେନ୍ଦ୍ର ସିଂହ ଧୋନିଙ୍କ ଇସ୍ତଫା ପରେ ଯୁବ ତାରକା ଋତୁରାଜ ଗାଏକ୍ବାଡ ଏହି ମ୍ୟାଚ୍‌ରେ ସିଏସ୍‌କେର ନେତୃତ୍ବ ନେବେ। ତା’ ସହ ଏକ ନୂଆ ଯୁଗର ଅବସାନ ଘଟିବ। ଅନ୍ୟପକ୍ଷରେ ଆର୍‌ସିବିର ନେତୃତ୍ବ ଦାୟିତ୍ବ ଦକ୍ଷିଣ ଆଫ୍ରିକୀୟ ଫାଫ୍ ଡୁ’ପ୍ଲେସିସ୍ ତୁଲାଇବେ। ଧୋନିଙ୍କ ସହ ଭାରତୀୟ କ୍ରିକେଟର୍‌ ଅନ୍ୟତମ ମହାନ ତାରକା ବିରାଟ କୋହଲି ଏହି ମ୍ୟାଚ୍‌ରେ ପରସ୍ପର ବିପକ୍ଷରେ ଅଣଅଧିନାୟକ ଭାବେ ଖେଳିବେ।

ଆଇପିଏଲ୍‌ର ୧୬ଟି ଋତୁ ବିତିଯାଇଥିଲେ ମଧ୍ୟ ଆର୍‌ସିବି ଆଜି ପର୍ଯ୍ୟନ୍ତ ବିଜେତା ହୋଇନି। ତଥାପି ଏହାର ମହିଳା ଦଳ ଡବ୍ଲ୍ୟୁପିଏଲ୍ ବିଜୟରୁ ପ୍ରେରଣା ନେଇ ଏଥର ଟ୍ରଫି ମରୁଡ଼ି ଦୂର କରିବାକୁ ଚେଷ୍ଟା କରିବ। ନୂଆ ପ୍ରଶିକ୍ଷକ ଆଣ୍ଡି ଫ୍ଲାୱାରଙ୍କର ବେଶ୍ ସୁନାମ ଥିବାରୁ ଏଥର ଆର୍‌ସିବି ପ୍ରଶଂସକଙ୍କ ବହୁଦିନର ଆଶା ପୂରଣ ହେବ ବୋଲି ଆଶା କରାଯାଉଛି। ତେବେ ଘରୋଇ ପରିବେଶରେ ୧୦୦ ମ୍ୟାଚ୍ ଖେଳି ୬୬ ବିଜୟ ପାଇଥିବା ସିଏସ୍‌କେକୁ ହରାଇବା ଆର୍‌ସିବି ପାଇଁ ଆଦୌ ସହଜ ହେବନି। ଅତୀତରେ ସିଏସ୍‌କେ ନିଜ ସ୍ପିନ୍ ବାହିନୀ ବଳରେ ପ୍ରତିପକ୍ଷକୁ ଘାଇଲା କରିବାର ବହୁ ଉଦାହରଣ ରହିଛି। ଏଥର ସ୍ପିନ୍ ଅଲରାଉଣ୍ଡର୍ ରାଚିନ ରବୀନ୍ଦ୍ର ଓ ସ୍ପିନର୍‌ଙ୍କୁ ନିର୍ମମ ପ୍ରହାର କରୁଥିବା ନ୍ୟୁଜିଲାଣ୍ଡର ଡାରିଲ ମିଚେଲଙ୍କ ଉପସ୍ଥିତି ଏହି ଦଳକୁ ଆହୁରି ବଳଶାଳୀ କରିଛି। ରବୀନ୍ଦ୍ର ଜାଡ଼େଜା, ମହିଶ ତୀକ୍ଷଣାଙ୍କ ପାଇଁ ଚିଦାମ୍ବରମ୍ ଷ୍ଟାଡିୟମ୍‌ର ସ୍ପିନ୍ ଉପଯୋଗୀ ପିଚ୍‌ରେ ଆର୍‌ସିବି ବ୍ୟାଟର୍‌ ନିଶ୍ଚିତ ଭାବେ ପରୀକ୍ଷାରେ ପଡ଼ିବେ। ଏବର୍ଷ ବି ଡେଭନ୍ କନୱେ ଓ ଗାଏକ୍ବାଡ୍‌ଙ୍କ ଯୋଡ଼ି ଆରମ୍ଭରୁ ସିଏସ୍‌କେ ପାଇଁ ଦୃଢ଼ ମୂଳଦୁଆ ପକାଇବାକୁ ଚାହିବେ।

ତେବେ ଚୂଡ଼ାନ୍ତ ଏକାଦଶରେ ରହିଲେ କିବଂଦନ୍ତି ଧୋନି କେଉଁ ସ୍ଥାନରେ ବ୍ୟାଟିଂ କରିବେ, ପ୍ରଶଂସକ ତାହା ଦେଖିବାକୁ ନିଶ୍ଚିତ ଭାବେ ପ୍ରତୀକ୍ଷା କରିଥିବେ। ମୋଇନ ଅଲ୍ଲୀ, ମୁସ୍ତାଫିଜୁର ରହମାନ, ତୁଷାର ଦେଶପାଣ୍ଡେ, ସିମରଜିତ ସିଂହ, ମୁକେଶ ଚୌଧୁରୀ, ସମୀର ରିଜଭିଙ୍କୁ ନେଇ ସିଏସ୍‌କେର ବୋଲିଂ ବାହିନୀ ମଧ୍ୟ ବେଶ୍ ସମୃଦ୍ଧ। ଆର୍‌ସିବି ପାଖରେ ଅବଶ୍ୟ ଏମାନଙ୍କ ସଫଳ ମୁକାବିଲା କରିବା ଲାଗି ବିରାଟ କୋହଲି, ଗ୍ଲେନ୍ ମ୍ୟାକ୍ସୱେଲ୍, କ୍ୟାମରନ୍ ଗ୍ରିନ୍‌, ରଜତ ପଟିଦାରଙ୍କ ଭଳି ଖେଳାଳି ଅଛନ୍ତି। ବୋଲିଂରେ ମହମ୍ମଦ ସିରାଜ, ଆକାଶ ଦୀପ, କର୍ଣ୍ଣ ଶର୍ମା, ରେସ ଟପ୍‌ଲେ ଆର୍‌ସିବିର ପକ୍ଷ ସମ୍ଭାଳିବେ। ଯାହା ତୁଳନାତ୍ମକ ଭାବେ ଟିକିଏ ଦୁର୍ବଳ ଲାଗେ। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଗତ ୫ ମୁକାବିଲାରୁ ସିଏସ୍‌କେ ପାଞ୍ଚଟି ଯାକ ଜିତିବା ମଧ୍ୟ ଆର୍‌ସିବି ପାଇଁ ଆଉ ଏକ ଚିନ୍ତାର କାରଣ ହୋଇପାରେ।

Post Views66 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!