ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ଭିକେ ପାଣ୍ଡିଆନଙ୍କ ପ୍ରଭାବ ରାଜ୍ୟ ପ୍ରଶାସନରେ ବଳବତ୍ତର ରହିଛି । ପାଣ୍ଡିଆନ କୌଣସି ସରକାରୀ ପଦପଦବୀରେ ନଥାଇ ମଧ୍ୟ ତାଙ୍କୁ ଦୁଇଜଣ ପିଏସଓ ବା ବ୍ୟକ୍ତିଗତ ସୁରକ୍ଷାକର୍ମୀ(ଦୀର୍ଘବର୍ଷ ଧରି ସେହି ଦୁଇଜଣ ଅଛନ୍ତି) ଓ ପଶ୍ଚିମଓଡ଼ିଶା ବିକାଶ ପରିଷଦର ପୂର୍ବତନ ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀଙ୍କୁ ୪ଜଣ ପିଏସଓ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର ।
ତେବେ ପାଣ୍ଡିଆନ ଓ ଅସିତଙ୍କୁ କିଏ ଓ କାହିଁକି ପିଏସଓ ଦେଇଛନ୍ତି ତଥା ସେମାନଙ୍କ ଜୀବନ ପ୍ରତି କ’ଣ ଓ କିଭଳି ବିପଦ ରହିଛି ତାକୁ କିଏ ଆକଳନ କରିଛନ୍ତି ତାହା ଏବେ ପାୱାର କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି ।ମିଳିଥିବା ସୂଚନା ଅନୁସାରେ, ବିଜେଡି ଶାସନରେ ସର୍ବେସର୍ବା ଥିବା ଭିକେ ପାଣ୍ଡିଆନଙ୍କୁ ଏବେ କୌଣସି ସର୍ବସାଧାରଣ ସ୍ଥାନରେ ଦେଖିବାକୁ ମିଳୁନଥିଲେ ମଧ୍ୟ ତାଙ୍କର ସୁରକ୍ଷାରେ ୨ଜଣ ସୁରକ୍ଷାକର୍ମୀ ମୁତୟନ ଅଛନ୍ତି ।
ପାଣ୍ଡିଆନ ଜିଲ୍ଲା ଗସ୍ତରେ ବୁଲୁଥିବାବେଳେ ତାଙ୍କ ସହ ଛାଇଭଳି ରହୁଥିବା ଅଶୋକ ପ୍ରଧାନ ଯିଏକି ସ୍ପେଶାଲ ସିକ୍ୟୁରିଟି ୱିଙ୍ଗ(ଏସଏସଡବ୍ଲୁୃ୍ୟ)ର ଓ ଅନ୍ୟଜଣେ ଅନୀଲ କୁମାର ମହାନ୍ତି କମିଶନରେଟ ପୁଲିସର ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ(ଏସଏସବି)ର ଯବାନ ଏବେବି ତାଙ୍କର ପିଏସଓ ଭାବେ କାର୍ଯ୍ୟ କରୁଛନ୍ତି ।
ଯଦିଓ ମୋହନ ସରକାର କ୍ଷମତାକୁ ଆସିବା ପରେ ଜୁନ୍ ୨୦ତାରିଖରେ ଏହି ଦୁଇଜଣଙ୍କୁ ତତ୍କାଳ ପ୍ରଭାବରୁ ପାଣ୍ଡିଆନଙ୍କ ସୁରକ୍ଷାରୁ ପ୍ରତ୍ୟାହାର କରିନିଆଯାଇଥିଲା, ମାତ୍ର ପରେ କାହା ନିର୍ଦ୍ଦେଶରେ ସେମାନଙ୍କୁ ପୁଣିଥରେ ତାଙ୍କ ସୁରକ୍ଷାରେ ମୁତୟନ କରାଗଲା ତାହା ଏବେବି ଅସ୍ପଷ୍ଟ । ପାଣ୍ଡିଆନ ଏବେ କୌଣସି ସରକାରୀ ପଦପଦବୀରେ ନାହାନ୍ତି କିମ୍ବା ସର୍ବସାଧାରଣରେ ତାଙ୍କୁ ଦେଖିବାକୁ ମିଳୁନି ।

