ଶ୍ରୀମନ୍ଦିରରେ ଜଗା ଦର୍ଶନ ସାରି ଆନନ୍ଦ ବଜାରକୁ ମହାପ୍ରସାଦ ଟିକେ ପାଇବାକୁ ଆସିଲା ବେଳକୁ ଚଢ଼ା ଦର ଶୁଣି ଭକ୍ତ ଛାନିଆ। ଯେଉଁଠି ୧୦୦ ଟଙ୍କା ଦେଲେ ଅନ୍ନ, ଡାଲି ଓ ବେସର ଟିକେ ମିଳୁଥିଲା, ଏବେ ତାହା ୨୦୦ ଟଙ୍କା ଉପରେ। ଶୁଖିଲା ଭୋଗ ଭାବେ ପିଠା, ଖଜା ରେଟ ତିନି ଗୁଣା ଉଚ୍ଚା। ଆଗରୁ ୫ ଟଙ୍କାରେ ମିଳୁଥିବା ଖଜା ଏବେ ୧୫ ଟଙ୍କା, ୧୫ ଟଙ୍କିଆ ପିଠା ୩୦ ଟଙ୍କା, ଆଉ ୩୦ ଟଙ୍କିଆ ଅମାଲୁ ୫୦ଟଙ୍କାରେ ବିକ୍ରି ହେଉଛି। ଧର୍ମ ମାସ କାର୍ତ୍ତିକ ମାସ ଆରମ୍ଭ ନହେଉଣୁ ଆନନ୍ଦ ବଜାରରେ ଏଭଳି ଆକାଶ ଛୁଆଁ ଦର ବୃଦ୍ଧିକୁ ନେଇ ସାଧାରଣ ଭକ୍ତ ନିରାଶ ହୋଇଥିବା ବେଳେ ବରିଷ୍ଠ ସେବାୟତ ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି।
ମହାସୁଆର ନିଯୋଗ ସଂପାଦକଙ୍କ ସୂଚନା ଅନୁସାରେ, ଆଗରୁ ଶ୍ରୀଜିଉଙ୍କୁ ଲାଗି ହେଉଥିବା କୋଠ ଭୋଗ ଓମଫେଡ୍ ଘିଅରେ ତିଆରି ହେଉଥିଲା। ହେଲେ ମନ୍ଦିର ପ୍ରଶାସନର ନିର୍ଦ୍ଦେଶ କ୍ରମେ ଏବେ ବରାଦି ଓ ଅନ୍ୟ ଭୋଗ ମଧ୍ୟ ଓମଫେଡ୍ ଘିଅରେ ରନ୍ଧା ହେଉଛି। ଓମଫେଡ୍ ଘିଅ କିଲୋ ପିଛା ୫୬୩ ଟଙ୍କାରେ କିଣି କେମିତି ପୁରୁଣା ଦରରେ ଭୋଗ ତିଆରି କରି ବିକିବୁ ବୋଲି ପାଲଟା ପ୍ରଶ୍ନ କରିଛି ନିଯୋଗ। ଭୋଗ ଦର ଭକ୍ତଙ୍କୁ ସୁହାଇଲା ଭଳି କରିବାକୁ ହେଲେ ମନ୍ଦିର ପାଇଁ ଓମଫେଡ୍ ଘିଅର ଡିପୋ କରାଯିବା ସହ ସବସିଡ଼ିରେ ପ୍ରଦାନ କରିବାକୁ ଦାବି କରିଛି ନିଯୋଗ।

