କେନ୍ଦ୍ରାପଡା ରାଜନଗର ଅଞ୍ଚଳ ଗସ୍ତରେ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ବାତ୍ୟା ଦାନା ପ୍ରଭାବରେ ରାଜନଗର ଅଞ୍ଚଳରେ ଅନେକ କ୍ଷୟକ୍ଷତି ହୋଇଛି । କ୍ଷତିଗ୍ରସ୍ତଙ୍କୁ ଭେଟିଛନ୍ତି ବୈଜୟନ୍ତ ପଣ୍ଡା । ରାଜନଗରରେ ଅନେକ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ସୂଚନା ଥାଉକି, ବାତ୍ୟା ‘ଦାନା’ ରାଜନଗରର ହବାଳିଖଟିରେ ସ୍ଥଳଭାଗ ଛୁଇଁବା ସହ ଭିତରକନିକା ଓ ରାଜନଗରରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଗତକାଲି ମଧ୍ୟରାତ୍ରିରୁ ୧୫୦ କିମିରୁ ଅଧିକ ବେଗରେ ପବନ ସହିତ ମୂଷଳ ଧାରାରେ ବର୍ଷା ହୋଇଛି । ଆଜି ସକାଳୁ ପବନ କମିଥିଲେ ବି ଦିନତମାମ ବର୍ଷା ଲାଗି ରହିଛି । ରାଜନଗର ବ୍ଲକ୍ର ୨୯ଟି ପଞ୍ଚାୟତରେ କ୍ଷୟକ୍ଷତି ହୋଇଛି। ସେଥିରୁ ୮ଟି ପଞ୍ଚାୟତରେ ଅଧିକ କ୍ଷୟକ୍ଷତି ହୋଇଛି । ୫୦ହଜାରରୁ ଅଧିକ ଗଛ ଓ ଶହଶହ ସଂଖ୍ୟାରେ କଚ୍ଚା ଏବଂ ଆଜ୍ବେଷ୍ଟସ୍ ଘର ଭାଙ୍ଗିଛି ।

