ବିଳମ୍ବରେ ଆସିଥିବା ଶୀତ ଭିତରେ କୋହଲା ପାଗ ସହ ଝିପି ଝିପି ବର୍ଷା। ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ସୁଦୃଶ୍ୟ ଲଘୁଚାପ, ଆସନ୍ତା ୧୨ ଘଣ୍ଟା ଭିତରେ ଅବପାତର ରୂପ ନେବା ପୂର୍ବରୁ ଭିଜାଇଲାଣି ଅଧା ଓଡ଼ିଶାକୁ। ଫଳରେ ପୂର୍ବରୁ ପଶ୍ଚିମ, ଦକ୍ଷିଣରୁ ଆଭ୍ୟନ୍ତରୀଣ। ଅମଳବେଳେ ଚିନ୍ତା ଘାରିଛି ଚାଷୀକୂଳକୁ। କେଉଁଠି କ୍ଷେତ ମଝିରେ ତ ଆଉ କେଉଁଠି ଧାନମଣ୍ଡିରେ ଭିଜୁଛି ବର୍ଷକର ଦାନାପାଣି। ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତା ୨ଦିନ ଯାଏଁ ଏଭଳି ପାଗ ଲାଗିରହିବ। ପରେ ପୁଣି ଶୀତ ବଢ଼ିବ।
ଶୀତର ପ୍ରକୋପ ଭିତରେ କଲବଲ କରିଛି ଅଦିନିଆ ବର୍ଷା। କାରଣ ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ କ୍ଷେତ୍ର। ଯାହାର ପ୍ରଭାବରେ କୋହଲା ପାଗ ତ ରହିଛି, ତା’ସହ ଟ୍ବିନସିଟି ସମେତ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଆଦି ଜିଲ୍ଲାରେ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଚିକିଟିରେ ସର୍ବାଧିକ ୩୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା କହିଛି ପାଣିପାଗ ବିଭାଗ।

