ଭୋଟ ଦେଉଛି ଦିଲ୍ଲୀ

୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆସନ୍ତାକାଲି(ବୁଧବାର) ଭୋଟ୍‌ ଗ୍ରହଣ ହେବ। ନିର୍ବାଚନ କମିସନ୍‌ଙ୍କ ସୂଚନା ଅନୁଯାୟୀ, ୧୫.୫ ନିୟୁତରୁ ଅଧିକ ଭୋଟର ଦିଲ୍ଲୀରେ ୧୩,୦୩୩ କେନ୍ଦ୍ରରେ ଭୋଟ୍‌ ଦେବେ। ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା‌ ପର୍ଯ୍ୟନ୍ତ ଚାଲିବ। ଲମ୍ବା ଧାଡ଼ିରେ ଠିଆ ନହେବାପାଇଁ ଏବଂ ସହଜ ଭୋଟ୍‌ ପରିଚାଳନା ପାଇଁ ମତଦାତାମାନେ ବୁଥ୍‌ ନିକଟରେ ଆଗୁଆ ପହଞ୍ଚିବାକୁ ନିର୍ବାଚନ କମିସନ୍‌ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନ ଆପ୍‌ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ୨୦୨୪ ସେପ୍ଟେମ୍ବରରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପରେ ଦିଲ୍ଲୀ ନିର୍ବାଚନ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ଆତିଶୀଙ୍କ ନେତୃତ୍ବାଧୀନ ଶାସକ ଆପ୍‌ ଦଳକୁ ବିଜେପି ଏବଂ କଂଗ୍ରେସଠାରୁ କଡ଼ା ବିରୋଧର ସାମ୍ନା କରିବାକୁ ପଡ଼ିଛି। ଚଳିତ ବିଧାନସଭା ନିର୍ବାଚନରେ ମୋଟ୍‌ ୬୯୯ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଲଗାତାର ୨ ଥର ଦିଲ୍ଲୀରେ ଶାସନ୍‌ରେ ରହିଥିବା ଆପ୍‌ ଚଳିତ ଥର ହାଟ୍ରିକ୍‌ ବିଜୟ ଲକ୍ଷ୍ୟରେ ରହିଛି। ଅନ୍ୟପ‌କ୍ଷେ ବିଜେପି ବି ୨୭ ବର୍ଷ ପରେ କ୍ଷମତାକୁ ଫେରିବା ପାଇଁ ସବୁ ପ୍ରକାର ପ୍ରୟାସ ଚଳାଇଛି। ଲଗାତାର ୧୫ ବର୍ଷ ଦିଲ୍ଲୀରେ ଶାସନ କରିଥିବା କଂଗ୍ରେସ ପାଇଁ ବି ଚଳିତ ନିର୍ବାଚନ ସମ୍ମାନର ପ୍ରସଙ୍ଗ ପାଲଟିଛି। ଇଣ୍ଡି ମେଣ୍ଟ ସହଯୋଗୀ ସପା, ଟିଏମ୍‌ସି ଏବଂ ଅନ୍ୟ ଦଳମାନେ ଦିଲ୍ଲୀରେ ଆପ୍‌କୁ ସମର୍ଥନ କରିଥିବାରୁ କଂଗ୍ରେସ ପାଇଁ ଦିଲ୍ଲୀରେ ଚ୍ୟାଲେଞ୍ଜ ବଢ଼ିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ସ୍ବତନ୍ତ୍ର ପୁଲିସ କମିସନର ମଧୁପ ତିୱାରୀ ଏବଂ ରବୀନ୍ଦ୍ର ଯାଦବ କହିଛନ୍ତି, ପାଖାପାଖି ୩୦୦୦ ବୁଥ୍‌କୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩୦ ହଜାରରୁ ଅଧିକ ଦିଲ୍ଲୀ ପୁଲିସ, ୨୨୦ ଅର୍ଦ୍ଧସାମରିକ କମ୍ପାନି ମୁତୟନ ହୋଇଛନ୍ତି। ଉତ୍ତରପ୍ରଦେଶ ଓ ହରିୟାଣାକୁ ଲାଗିଥିବା ଦିଲ୍ଲୀର ୬୫ଟି ସୀମାକୁ ସିଲ୍‌ କରାଯାଇଛି।

Post Views5 Total Count

Apply Now


This will close in 0 seconds

error: Content is protected !!