ଅକ୍ଷୟ ତୃତୀୟାରେ ୧୭୫ କୋଟିର ସୁନା ବିକ୍ରି

ଅକ୍ଷୟ ତୃତୀୟାରେ ସୁନା କିଣିବାର ପୁରୁଣା ପରମ୍ପରା ରହିଆସିଛି। ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରକୁ ସମୃଦ୍ଧି ଆସେ ବୋଲି ବିଶ୍ୱାସ ରହିଛି। ଏଥର ଏହି ପବିତ୍ର ପର୍ବରେ ସୁନା ଦର ଚଢ଼ା ରହିଛି । ତେଣୁ ବିକ୍ରି ପରିମାଣ କମିଛି । ଲୋକେ ହାଲୁକା ଗହଣାରେ କାମ ଚଳାଇଛନ୍ତି । ତେବେ ବିକ୍ରି ପରିମାଣ କମ୍‌ ଥିଲେ ବି ଉଚ୍ଚ ଦର ଯୋଗୁ ବେପାର ପୂର୍ବ ବର୍ଷ ପାଖାପାଖି ରହିଛି । ଏ ବର୍ଷ ଅକ୍ଷୟ ତୃତୀୟାରେ ରାଜ୍ୟବାସୀ ପ୍ରାୟ ୧୭୫ କୋଟି ଟଙ୍କାର ସୁନା କିଣିଥିବା ବଜାର ସୂତ୍ରରୁ ଜଣାପଡ଼ିଛି । ପାଗ ଭଲ ରହିଥିଲା । ଆଶା ଥିଲା ସୋ’ରୁମ୍‌ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ବଢ଼ିବ । ତେବେ ଉଚ୍ଚ ଦର ଯୋଗୁ ଏ ବର୍ଷ ସେଭଳି ଖଚାଖଚ ଭିଡ଼ ଦେଖିବାକୁ ମିଳି ନଥିବା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି ।

ପୂର୍ବବର୍ଷ ତୁଳନାରେ ଏ ବର୍ଷ ସୁନା ଦରରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ଗତବର୍ଷ ଅକ୍ଷୟ ତୃତୀୟାରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍‌ ସୁନା ଦର ଥିଲା ପ୍ରାୟ ୬୬,୦୦୦ ଟଙ୍କା । ଏ ବର୍ଷ ଏହା ୯୦,୦୦୦ ନିକଟତର । ୨୪ କ୍ୟାରେଟ୍‌ ସୁନା ଦର ଲକ୍ଷେ । ତେଣୁ ସାଧାରଣ ଲୋକେ ହାଲୁକା ଗହଣା କିଣି ଅକ୍ଷୟ ତୃତୀୟା ପରମ୍ପରାକୁ ବଜାୟ ରଖିଥିବା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି । ରୁପା ସାମଗ୍ରୀ ମଧ୍ୟ ଭଲ ଆକାରରେ ବିକ୍ରି ହୋଇଛି । ଅକ୍ଷୟ ତୃତୀୟା ଅଫରରେ ଗ୍ରାହକ ବିବାହ ଗହଣା ମଧ୍ୟ କିଣିଥିବା ଏମାନେ ପ୍ରକାଶ କରିଛନ୍ତି । ସୁନା ଦର ଯେଉଁଭଳି ଭାବେ ବଢ଼ିଚାଲିଛି ଆଗକୁ ଏହା ମଜଭୁତ ରିଟର୍ଣ୍ଣ ଦେବ ବୋଲି ଅବଗତ ଅଛନ୍ତି ଗ୍ରାହକ । ବର୍ଷକୁ ବର୍ଷ ଏହା ୩୦%ରୁ ଅଧିକ ଲାଭ ଦେଉଛି । ତେଣୁ ନିବେଶ ଉଦ୍ଦେଶ୍ୟରେ ବି ସୁନା କିଣୁଛନ୍ତି ଗ୍ରାହକ ।

ଅକ୍ଷୟ ତୃତୀୟା ଅଫରର ଲାଭ ଉଠାଇ ଏମାନେ ସୁନାରେ ନିବେଶ କରୁଥିବା ଗହଣା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି । ଲାଲଚାନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି, ଆଜି ଦିନରେ ଖରା ଥିବାରୁ ଦିନ ତୁଳନାରେ ବେଶି ଲୋକ ସଂଧ୍ୟାରେ ସୋ’ରୁମ ଆସି ଗହଣା କିଣାକିଣି କରିଥିଲେ । ହାଲୁକା ଗହଣାଗୁଡ଼ିକର କାରବାର ବେଶ ଉନ୍ନତ ରହିଛି । ଗ୍ରାହକଙ୍କ ପସନ୍ଦକୁ ନଜରରେ ରଖି ଆମେ ହାଲୁକା ଡାଏମଣ୍ଡ ଏବଂ ସୁନା ଗହଣାର ନୂଆ ଡିଜାଇନ ପ୍ରସ୍ତୁତ କରିଛୁ । ମୁଦି, କାନଫୁଲ, ଚେନ୍‌ ଏବଂ ହାଲୁକା ହାର ଲୋକେ କିଣୁଛନ୍ତି । ଏସବୁ ବର୍ଗରେ ବେଶି ଡିଜାଇନ ଲୋକଙ୍କ ପସନ୍ଦ ଆସିଛି । ଯେଉଁ ଗ୍ରାହକ ଆଗୁଆ ଗହଣା ବୁକିଂ କରିଥିଲେ ତା’ର ଲାଭ ଉଠାଇ ଆଜି ଗହଣା କ୍ରୟ କରିଛନ୍ତି । ପୂର୍ବ ବର୍ଷ ଅପେକ୍ଷା ସୁନା ଗହଣା ଦର ଉଚ୍ଚା ରହିଛି । ଏହା ଲୋକଙ୍କ କ୍ରୟ ଉପରେ ପ୍ରଭାବ ପକାଇଛି । ତେବେ ପୂର୍ବ ବର୍ଷ ଅପେକ୍ଷା ଆମ କାରବାର ସମାନ ରହିପାରେ । ଦର ବଢ଼ୁଥିବାରୁ ଲୋକେ ସୁନାରେ ନିବେଶ କରିବାର ପ୍ରକୃଷ୍ଟ ସମୟ ରହିଛି । ଲୋକଙ୍କୁ ଦରବୃଦ୍ଧି ଚାପରୁ ଆଶ୍ୱସ୍ତି ଦେବା ଲାଗି ଆମେ ବିଭିନ୍ନ ଅଫର ଦେଉଛୁ । ଗଢ଼ା ମଜୁରିଠାରୁ ଆରମ୍ଭ କରି ଅନ୍ୟ ଅଫରର ଲାଭ ସୋ’ରୁମ ପରିଦର୍ଶନ କରି ନେଇପାରିବେ ବୋଲି ଶ୍ରୀ ହଂସ ଉଲ୍ଳେଖ କରିଛନ୍ତି ।

ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଏମଣ୍ଡ୍‌ସର ମାର୍କେଟିଂ ମ୍ୟାନେଜର ସିଦେ୍ଧଶ୍ୱର ରଥ କହିଛନ୍ତି, ଅକ୍ଷୟ ତୃତୀୟା ପାଇଁ ସୋ’ରୁମ ୮.୩୦ରେ ଖୋଲିଥିଲା । ଗ୍ରାହକଙ୍କ ଭିଡ଼କୁ ଏଡାଇବା ଲାଗି ଅତିରିକ୍ତ କ୍ୟାସ୍‌ କାଉଣ୍ଟର ସହ ପାର୍କିଂ ବ୍ୟବସ୍ଥା କରାଯାଇଥିଲା । ସୋ’ରୁମରେ ପୂର୍ବବର୍ଷଗୁଡ଼ିକ ଭଳି ଏତେଟା ଭିଡ଼ ଦେଖିବାକୁ ମିଳିନି । ସ୍ୱାଭାବିକ ସ୍ତରଠାରୁ ଟିକିଏ ଅଧିକ ଗ୍ରାହକ ଆସିଥିଲେ । ସୋ’ରୁମ ରାତି ୧୦ଟା ଯାଏ ଖୋଲା ରହିଥିଲା । ଲୋକେ ହାଲୁକା ଏବଂ ଛୋଟ ଗହଣା କିଣିବାକୁ ବେଶ ପସନ୍ଦ କରିଛନ୍ତି । ପୂର୍ବରୁ ଯେଭଳି ଭାରୀ ଗହଣା ବିକ୍ରି ରହିଥିଲା ସେଭଳି ଏ ବର୍ଷ ଦେଖାଯାଇନାହିଁ । ଦର ଉଚ୍ଚା ରହିବା ଯୋଗୁ ଏହାର ପ୍ରଭାବ ଲୋକଙ୍କ କ୍ରୟ କ୍ଷମତା ଉପରେ ଦେଖାଯାଇଛି । ଅଗ୍ରିମ ବୁକିଂ କରିଥିବା ଲୋକମାନେ ଆଜି ଗହଣା ଡେଲିଭରି ନେଇଥିଲେ । ଗତ ବର୍ଷ ତୁଳନାରେ ଦର ୨୦ ହଜାର ଟଙ୍କା ଅଧିକ ରହିଛି । ଜୟ ଆଲ୍ଲୁକାସର ଷ୍ଟୋର ମ୍ୟାନେଜର ସୁଭାଷ ଏମ୍‌ କହିଛନ୍ତି, ଅକ୍ଷୟ ତୃତୀୟା ପାଇଁ ଷ୍ଟୋରରେ ଗ୍ରାହକଙ୍କ ଆଗମନ ସ୍ୱାଭାବିକ ରହିଛି । କାରବାର ଆଶା ମୁତାବକ ରହିବ । ଏବେ ଦର ଅଧିକ ରହିଥିବାରୁ ଲୋକଙ୍କୁ ବିଭିନ୍ନ ଅଫର ସହ ଆକୃଷ୍ଟ କରିବାକୁ ଯୋଜନା ରହିଛି । ସୁନାରେ ନିବେଶ ଏକ ଭଲ ବିକଳ୍ପ ରହିଥିବାରୁ ଏହାର ଫାଇଦା ମଧ୍ୟ ଲୋକମାନେ ଉଠାଇବା ସହ ସୁନା କ୍ରୟ କରୁଛନ୍ତି । ଗ୍ରାହକଙ୍କୁ ହାଲୁକା ଗହଣାର ବିସ୍ତୃତ ଡିଜାଇନ ଆମେ ପ୍ରଦାନ କରୁଛୁ । ପ୍ରକାଶଯୋଗ୍ୟ, ଆଜି ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ୍‌ ସୁନା ଦର ଯଥାକ୍ରମେ ୯୭,୯୧୦ ଟଙ୍କା ଏବଂ ୮୯,୭୫୦ ଟଙ୍କା ରହିଛି

Post Views51 Total Count

Apply Now


This will close in 0 seconds

error: Content is protected !!