ଢେଙ୍କାନାଳରେ ବେଦାନ୍ତ ସ୍ଥାପନ କରିବ ଆଲୁମିନିୟମ ସ୍ମେଲଟର

ଅନିଲ ଅଗ୍ରୱାଲଙ୍କ କମ୍ପାନି ବେଦାନ୍ତ ପକ୍ଷରୁ ଢେଙ୍କାନାଳରେ ଏକ ଆଲୁମିନିୟମ ସ୍ମେଲଟର ସ୍ଥାପନ କରାଯିବା ଘୋଷଣା କରାଯାଇଛି। ସେହି ପ୍ରକଳ୍ପ ଲାଗି ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଥିବା କମ୍ପାନିର ଆଲୁମିନିୟମ ବ୍ୟବସାୟର ସିଇଓ ରାଜୀବ କୁମାର କହିଛନ୍ତି। ତାଙ୍କ କହିବାନୁସାରେ ଢେଙ୍କାନାଳରେ କମ୍ପାନି ପ୍ରାରମ୍ଭିକ ପର୍ଯ୍ୟାୟରେ ବାର୍ଷିକ ୩ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ କାରଖାନା ସ୍ଥାପନ କରିବ। ପରବର୍ତ୍ତୀ ସମୟରେ ତାହାର କ୍ଷମତାକୁ ୬ ନିୟୁତ ଟନ୍‌କୁ ବଢାଇବ। ସେଥିପାଇଁ ଯେଉଁ ଜମି ଆବଶ୍ୟକ ତାହା ଅଧିଗ୍ରହଣ କରିବା ଉପରେ କମ୍ପାନି ଧ୍ୟାନ ଦେଉଛି ଏବଂ ସେଥିରେ ଭଲ ଅଗ୍ରଗତି ହୋଇଥିବା ଶ୍ରୀ କୁମାର କହିଛନ୍ତି।

ପ୍ରକଳ୍ପ ସମ୍ପର୍କରେ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ ସ୍ମେଲଟର ନିର୍ମାଣ କରିବା ଏକ ବ୍ୟୟବହୁଳ ବ୍ୟାପାର। ସେଥିପାଇଁ ବିପୁଳ ପୁଞ୍ଜିନିବେଶ ଆବଶ୍ୟକ। ଏହି ପ୍ରକଳ୍ପ ଠିକ୍ ଦିଗରେ ଆଗକୁ ବଢ଼ୁଛି। ଏଭଳି ଧରଣର ପ୍ରକଳ୍ପ ନିର୍ମାଣ କରିବାକୁ ତିନି ଚାରି ବର୍ଷ ଲାଗିଯିବ ବୋଲି ସେ କହିଥିଲେ। ଶ୍ରୀ କୁମାର ଏହି ଅବସରରେ ସୂଚନା ଦେଇଛନ୍ତି ଯେ ବେଦାନ୍ତ ପକ୍ଷରୁ ଝାରସୁଗୁଡ଼ାରେ ଏକ ଆଲୁମିନିୟମ ପାର୍କ ସ୍ଥାପନ କରିବା ଯୋଜନା ରହିଛି। ଉକ୍ତ ପାର୍କରେ ନିଜର ୟୁନିଟ୍ ସ୍ଥାପନ କରିବାକୁ ଆନୁଷଙ୍ଗିକ ଶିଳ୍ପଗୁଡ଼ିକୁ ଆମନ୍ତ୍ରଣ କରାଯାଉଥିବା ସେ କହିଛନ୍ତି। ଢେଙ୍କାନାଳ ସ୍ମେଲଟର କାରଖାନାରେ କମ୍ପାନି ୧.୩ ଲକ୍ଷ କୋଟି ଟଙ୍କା ନିବେଶ କରିବା ଯୋଜନା ରଖିଛି। କାମାକ୍ଷାନଗର ପାଖରେ ହେବାକୁ ଥିବା ଏହି କାରଖାନା ସହ ଏକ ୪୯୦୦ ମେଗାୱାଟ୍‌ର କ୍ୟା‌ପ୍‌ଟିଭ୍ ପାୱାର ପ୍ଲାଣ୍ଟ୍‌ ମଧ୍ୟ ସ୍ଥାପନ କରାଯିବ। ଏହି ପ୍ରକଳ୍ପ ଦ୍ବାରା ୨ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଗତ ଜୁନ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ ବୈଠକରେ ବେଦାନ୍ତର ଏହି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଥିଲା। ବେଦାନ୍ତର ଝାରସୁଗୁଡ଼ାରେ ୧.୮ ଏମ୍‌ଟିପିଏର ଏକ ସ୍ମେଲଟର ଓ ଲାଞ୍ଜିଗଡ଼ରେ ଏକ ୩.୫ ଏମ୍‌ଟିପିଏ ଆଲୁମିନା ରିଫାଇନାରି ରହିଛି।

Post Views33 Total Count

Apply Now


This will close in 0 seconds

error: Content is protected !!