ମୋହନଲାଲଙ୍କୁ ମିଳିବ ଦାଦାସାହେବ ଫାଲ୍‌କେ ପୁରସ୍କାର

ଅଭିନେତା ମୋହନଲାଲଙ୍କୁ ମିଳିବ ସମ୍ମାନଜନକ ଦାଦାସାହେବ ଫାଲ୍‌କେ ପୁରସ୍କାର । ୨୦୨୩ ବର୍ଷ ଲାଗି ସେ ଏହି ପୁରସ୍କାର ପାଇବାକୁ ଯାଉଛନ୍ତି । ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପ୍ରତିଷ୍ଠିତ ପୁରସ୍କାର ଦିଆଯିବ ।
ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଭାରତୀୟ ସିନେମା ଜଗତରେ ଅନେକ ପୁରସ୍କାର ରହିଛି । ଏଥିମଧ୍ୟରୁ ଦାଦାସାହେବ ଫାଲକେ ପୁରସ୍କାର ସବୁଠାରୁ ପ୍ରତିଷ୍ଠିତ ।

ଭାରତ ସରକାର ଦାଦାସାହେବ ଫାଲକେ ପୁରସ୍କାର ୨୦୨୩ ପାଇଁ ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛନ୍ତି । ଦକ୍ଷିଣ ଭାରତୀୟ ଅଭିନେତା ମୋହନଲାଲଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି । ଏହି ଖବର ଅଭିନେତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଏବଂ ଆନନ୍ଦ ସୃଷ୍ଟି କରିଛି । ଏହା ମୋହନଲାଲଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଦାଦାସାହେବ ଫାଲକେ ପୁରସ୍କାର ଚୟନ କମିଟିର ସୁପାରିଶ ଆଧାରରେ ଏହି ଘୋଷଣା କରାଯାଇଛି । ଏହି ପୁରସ୍କାରକୁ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଭାବରେ ବିବେଚନା କରାଯାଏ । ମୋହନଲାଲଙ୍କୁ ସେପ୍ଟେମ୍ବର ୨୩ , ୨୦୨୫ରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯିବ । ମୋହନଲାଲଙ୍କୁ ଦାଦାସାହେବ ପୁରସ୍କାର ମିଳିବାକୁ ଯାଉଛି । ଏଥିପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ସିନେ ଦୁନିଆରେ ତାଙ୍କର କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି । ବହୁମୁଖୀ ପ୍ରତିଭାର ଅଧିକାରୀ ମୋହନଲାଲ ଅନେକଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି ପିଏମ ମୋଦୀ ।

​​​​​​​ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଅଭିନେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ତାଙ୍କ ଏକ୍ସରେ ଲେଖିଛନ୍ତି, ‘କେରଳର ସୁନ୍ଦର ଭୂମି ଆଡିପୋଲିରୁ ବିଶ୍ୱର ଦର୍ଶକଙ୍କ ପର୍ଯ୍ୟନ୍ତ, ତାଙ୍କ କାମ ଆମର ସଂସ୍କୃତିକୁ ଆଗକୁ ନେଇଛି । ଆମର ଆକାଂକ୍ଷାକୁ ବୃଦ୍ଧି କରିଛି। ତାଙ୍କର କାର୍ଯ୍ୟ ଭାରତର ସୃଜନଶୀଳ ଆତ୍ମାକୁ ପ୍ରେରଣା ଦେଇ ଚାଲିବ।’

ମୋହନଲାଲଙ୍କ ଚଳଚ୍ଚିତ୍ର ଯାତ୍ରା ପ୍ରକୃତରେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣାଦାୟକ। ସେ ଅଭିନୟ, ନିର୍ଦ୍ଦେଶନା ଏବଂ ପ୍ରଯୋଜନା କ୍ଷେତ୍ରରେ ନିଜ ସ୍ଥାନକୁ ସ୍ୱତନ୍ତ୍ର କରିପାରିଛନ୍ତି। ସେ ଆଜି ପର୍ଯ୍ୟନ୍ତ ୪୦୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ କେବଳ ମାଲାୟଲମ ଚଳଚ୍ଚିତ୍ରରେ ନୁହେଁ ବରଂ ତାମିଲ, ତେଲୁଗୁ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ମୋହନଲାଲଙ୍କ ନାମରେ ଅନେକ ଜାତୀୟ ପୁରସ୍କାର ଅଛି। ସେ ୫ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୯ଟି କେରଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ଭଳି ସମ୍ମାନରେ ମଧ୍ୟ ସମ୍ମାନିତ କରିଛନ୍ତି।

Post Views26 Total Count

Apply Now


This will close in 0 seconds

error: Content is protected !!