ଭିଜିଲାନ୍ସ ଜାଲରେ ଫସିଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ

ପେନ୍‌ସନ୍‌ ବାବଦକୁ ଏରିୟର ବିଲ୍‌ କରାଇ ଦେବାକୁ ୪୭ ହଜାର ଟଙ୍କା ଲାଞ୍ଚ ନେଇ ଆଜି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭିଜିଲାନ୍ସ ଜାଲରେ ଫସିଛନ୍ତି। ଜଣେ ବ୍ୟକ୍ତିଙ୍କ ଠାରୁ ୪୭ ହଜାର ଟଙ୍କା ଲାଞ୍ଚ ନେଲା ବେଳେ  ବିଭାଗର ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରି ଜୟପୁର ସରକାରୀ ଟ୍ରେଜେରି ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ହରିଶ୍ଚନ୍ଦ୍ର ମହାପାତ୍ର ଧରାପଡ଼ିଛନ୍ତି।

ସୂଚନା ଅନୁସାରେ ହରିଶ୍ଚନ୍ଦ୍ର ମହାପାତ୍ର ଭିଜିଲାନ୍ସ ଜାଲରେ ଟ୍ରେଜେରି ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି। ସେ ଭରତ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଆଜି ଅପରାହ୍‌ଣରେ ୪୭ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ଟିମ୍ ମାଡି ବସିଥିଲା। ଭରତ ନାୟକଙ୍କ ଶ୍ବଶୁର ସେଟେଲମେଣ୍ଟ ଅଫିସରେ କାମ କରୁଥିଲେ। ତାଙ୍କ ପେନ୍‌ସନ୍‌ ବାବଦକୁ ଏରିୟର ବିଲ୍ କରାଇ ଦେବାକୁ ୮୭ ହଜାର ଟଙ୍କା ଲାଂଚ ମାଗିଥିଲେ ହରିଶ୍ଚନ୍ଦ୍ର। ପୂର୍ବରୁ ସେ ୪୦ ହଜାର ଟଙ୍କା ଦେଇଥିବା ବେଳେ ଆଜି ବଳକା ୪୭ ହଜାର ଟଙ୍କା ଦେଇଥିଲେ। ଭରତଙ୍କ ଅଭିଯୋଗ କ୍ରମେ ଏବଂ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଭିଜିଲାନ୍ସ ଟିମ୍‌ ହରିଶ୍ଚନ୍ଦ୍ର ମହାପାତ୍ରଙ୍କୁ କାବୁ କରିଥିଲା। ଅଭିଯୁକ୍ତଙ୍କ ଆୟ ବହିର୍ଭୁତ ସମ୍ପତ୍ତି ନେଇ ଅଧିକ ଖୋଳତାଡ କରୁଛି ଭିଜିଲାନ୍ସ। ତାଙ୍କ   ଘର ସହ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସର ଚଢ଼ଉ ଜାରି ରହିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଁ କରି ସରକାରୀ ଚାକିରିରେ ଯୋଗ ଦେଉଥିବା ଯୁବଗୋଷ୍ଠୀଙ୍କୁ ଦିଗଦର୍ଶନ କାର୍ଯ୍ୟକ୍ରମରେ ପରାମର୍ଶ ଦେଉଛନ୍ତି ଯେ, ଚାକିରି ଅର୍ଥ ସେବା। ଶ୍ରୀ ମାଝୀ ସରକାରୀ ଚାକିରିଆଙ୍କୁ ସେବା ମନୋଭାବ ରଖି କର୍ତ୍ତବ୍ୟ କରିବାକୁ ପରାମର୍ଶ ଦେଉଛନ୍ତି। ଅନ୍ୟପଟରେ ସରକାରୀ ଚାକିରିଆମାନେ ଲୋଭର ବଶବର୍ତ୍ତୀ ହୋଇ ଜନସାଧାରଣଙ୍କ ଠାରୁ ଲାଞ୍ଚ ନେଇ କାମ କରୁଛନ୍ତି। ଭିଜିଲାନ୍ସ ଦ୍ବାରା ଅନେକ ସରକାରୀ ଚାକିରିଆ ଗିରଫ ‌ହୋଇ ଜେଲ୍‌ ଯାଉଛନ୍ତି। ଦୋଷୀ ସାବ୍ୟସ୍ତ ହେଉଥିବା ଚାକିରିଆମାନେ କଠୋର କାର୍ଯ୍ୟାନୁଷ୍ଠାନର ମଧ୍ୟ ଶିକାର ହେଉଛନ୍ତି। କିନ୍ତୁ ଏଥିରୁ ଅନ୍ୟମାନେ କିଛି ଶିଖୁ ନାହାନ୍ତି।

Post Views6 Total Count

Apply Now


This will close in 0 seconds

error: Content is protected !!