ବିଜେପି ନେତା ରବି ଶଙ୍କର ପ୍ରସାଦଙ୍କ ଦିଲ୍ଲୀ ବାସଭବନରେ ଅଗ୍ନିକାଣ୍ଡ

ଦିଲ୍ଲୀର ହାଇପ୍ରୋଫାଇଲ୍ ଅଞ୍ଚଳ ଲୁଟିୟନ୍ସ ଜୋନ୍‌ର ୨୧ ମଦର ଟେରେସା କ୍ରେସେଣ୍ଟ ରୋଡ୍ ସ୍ଥିତ ବରିଷ୍ଠ ବିଜେପି ନେତା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ସରକାରୀ ବାସଭବନରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ସକାଳ ପ୍ରାୟ ୮ଟା ୦୫ସରେ ଘରର ଏକ କୋଠରୀରୁ ଧୂଆଁ ଉଠିବା ଦେଖାଯାଇଥିଲା। ଏହାକୁ ନେଇ ଭିଭିଆଇପି ଜୋନ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ଘରେ ରହିଥିବା ଏକ ବେଡ୍‌ରେ ନିଆଁ ଲାଗିଯାଇଥିଲା। ଘରର କର୍ମଚାରୀମାନେ ନିଆଁ ଦେଖିବା ମାତ୍ରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

 

ଅଗ୍ନିକାଣ୍ଡର ଖବର ପାଇବା ପରେ ଅଗ୍ନିଶମ ବାହିନୀ ଦଳ ତୁରନ୍ତ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଯଦିଓ ପ୍ରଥମେ ସ୍ଥାନର ଠିକଣା ସମ୍ପର୍କରେ କିଛି ଦ୍ୱନ୍ଦ୍ୱ ଥିଲା। ପ୍ରାରମ୍ଭିକ କଲ୍ ମାଧ୍ୟମରେ କୋଠା ନମ୍ବର ୨ ରେ ନିଆଁ ଲାଗିଥିବା ସୂଚନା ଦିଆଯାଇଥିଲା। ତଥାପି, ଯେତେବେଳେ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କଲେ, ସେମାନେ ଜାଣିପାରିଲେ ଯେ, ଘଟଣାଟି ପ୍ରକୃତରେ ରବି ଶଙ୍କର ପ୍ରସାଦଙ୍କ ବାସଭବନ କୋଠା ନମ୍ବର ୨୧ ରେ ଘଟିଥିଲା। ଏହି ସାମାନ୍ୟ ସମସ୍ୟା ସତ୍ତ୍ୱେ, ତିନୋଟି ଦମକଳ ଗାଡ଼ି ବିଳମ୍ବ ନକରି ସଠିକ୍ ଠିକଣାରେ ପହଞ୍ଚି ନିଆଁ ଲିଭାଇଥିଲେ। ଅଗ୍ନିକାଣ୍ଡ ସମୟରେ କୋଠରୀରେ କେହି ନଥିଲେ। କୌଣସି ଧନ ଜୀବନ ହାନିର ରିପୋର୍ଟ ହୋଇନାହିଁ। ଅଗ୍ନିଶମ କର୍ମଚାରୀଙ୍କ ତତ୍ପରତା ଯୋଗୁ କିଛି ସମୟ ମଧ୍ୟରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା।

ଦିଲ୍ଲୀ ପୁଲିସ ଏବଂ ଅଗ୍ନିଶମ ବିଭାଗର ଦଳ ଘଟଣାର ସଠିକ୍ କାରଣ ଜାଣିବା ପାଇଁ ତଦନ୍ତ କରୁଛନ୍ତି। ପ୍ରାରମ୍ଭିକ ଭାବରେ, ବେଡ୍‌ରେ ନିଆଁ ଲାଗିଥିବା କୁହାଯାଉଛି। ବିଦ୍ୟୁତ୍ ସର୍ଟସର୍କିଟ୍ ଅବା ଅନ୍ୟ କୌଣସି ବୈଷୟିକ କାରଣ ଯୋଗୁ ଅଗ୍ନିକାଣ୍ଡ ଘଟିଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭବିଷ୍ୟତରେ ଏଭଳି ଘଟଣା ରୋକିବା ପାଇଁ ଅଧିକାରୀମାନେ ଘଟଣାର ତଦନ୍ତ କରୁଛନ୍ତି। ଏହି ଘଟଣା ପରେ, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ମଧ୍ୟ କରାଯାଉଛି।

 

Post Views23 Total Count

Apply Now


This will close in 0 seconds

error: Content is protected !!