ଆଜି ସାରା ବିଶ୍ୱ ପାଳନ କରୁଛି ଆନ୍ତର୍ଜାତୀୟ ଶ୍ରମିକ ଦିବସ

ଆଜି ସାରା ବିଶ୍ୱ ପାଳନ କରୁଛି ଆନ୍ତର୍ଜାତୀୟ ଶ୍ରମିକ ଦିବସ ବା ‘ମେ ଡେ’ । ଆଜିର ଦିନଟି ସେହି ଅଗଣିତ ଶ୍ରମିକ ଓ କର୍ମଜୀବୀଙ୍କ ପାଇଁ ଉତ୍ସର୍ଗୀକୃତ, ଯେଉଁମାନଙ୍କ କଠିନ ପରିଶ୍ରମ ଉପରେ ଏହି ଦୁନିଆର ଅର୍ଥବ୍ୟବସ୍ଥା ଓ ପ୍ରଗତି ତିଷ୍ଠି ରହିଛି । ଶୋଷଣ ବିରୋଧରେ ସଂଗ୍ରାମ ଏବଂ ଅଧିକାର ପ୍ରାପ୍ତିର ଏକ ପ୍ରତୀକ ହେଉଛି ଏହି ମେ ୧ ତାରିଖ ।

ଶ୍ରମିକ ଦିବସର ଉତ୍ପତ୍ତି ୧୮୮୬ ମସିହାରେ ଆମେରିକାର ଚିକାଗୋ ସହରରୁ ହୋଇଥିଲା । ସେହି ସମୟରେ ଶ୍ରମିକମାନଙ୍କୁ ଦିନକୁ ୧୨ ରୁ ୧୬ ଘଣ୍ଟା କାମ କରିବାକୁ ପଡ଼ୁଥିଲା । ଏହାର ପ୍ରତିବାଦରେ ହଜାର ହଜାର ଶ୍ରମିକ ‘୮ ଘଣ୍ଟା କାର୍ଯ୍ୟ ଦିବସ’ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ମେ ୪ ତାରିଖରେ ହେମାର୍କେଟ୍ ସ୍କୋୟାରରେ ଏକ ଶାନ୍ତିପୂର୍ଣ୍ଣ ସଭା ଚାଲିଥିବା ବେଳେ ବୋମା ବିସ୍ଫୋରଣ ଘଟି ଅନେକ ଲୋକ ମୃତାହତ ହୋଇଥିଲେ ।

ଏହି ଘଟଣାରେ ଅନେକ ଶ୍ରମିକ ନେତାଙ୍କୁ ଫାଶୀ ଦିଆଯାଇଥିଲା। ସେହି ସହିଦ ଶ୍ରମିକମାନଙ୍କ ସ୍ମୃତିରେ ଏବଂ ଶ୍ରମିକ ଏକତାକୁ ବଜାୟ ରଖିବା ପାଇଁ ୧୮୮୯ ମସିହାରେ ‘ମେ ୧’ କୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ଘୋଷଣା କରାଯାଇଥିଲା ।

ଭାରତରେ ପ୍ରଥମ କରି ୧ ମେ ୧୯୨୩ ମସିହାରେ ମାଡ୍ରାସ ଅର୍ଥାତ ବର୍ତ୍ତମାନର ଚେନ୍ନାଇଠାରେ ଶ୍ରମିକ ଦିବସ ପାଳନ କରାଯାଇଥିଲା । ‘ଲେବର କିଷାନ ପାର୍ଟି ଅଫ୍ ହିନ୍ଦୁସ୍ତାନ’ର କମ୍ରେଡ୍ ସିଙ୍ଗାରାଭେଲୁ ଏହାର ନେତୃତ୍ୱ ନେଇଥିଲେ । ସେହି ଦିନଠାରୁ ଭାରତରେ ଏହି ଦିନଟି ଶ୍ରମିକ ସଂଘଗୁଡ଼ିକ ଦ୍ୱାରା ଶୋଭାଯାତ୍ରା, ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଆସୁଛି ।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!