ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଶକ୍ତିଶ୍ରୀ’ ଆପ୍‌ ଲୋକାର୍ପିତ

ନାରୀଙ୍କୁ ସୁରକ୍ଷା ଦେବ ଶକ୍ତିଶ୍ରୀ ଆପ୍। ଉଚ୍ଚ ଶିକ୍ଷା ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶକ୍ତିଶ୍ରୀ ଆପ୍ ଲଞ୍ଚ୍ କରିଛନ୍ତି। ମହିଳା ସଶକ୍ତିକରଣ ପାଇଁ ସରକାରଙ୍କର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଶୈକ୍ଷିକ ବାତାବରଣ ସହ କଲେଜ ଓ ବିଶ୍ଵବିଦ୍ୟାଳୟଗୁଡିକରେ ବିଭାଗର ମହିଳାମାନେ ଏହି ଆପ୍ ମାଧ୍ୟମରେ କୌଣସି ଅଘଟଣର ରିପୋର୍ଟ କରିପାରିବେ। ୨୪×୭ ଏହି ଆଲର୍ଟ ସିଷ୍ଟମ ରହିବ। ଏହି ଆପ୍ଲିକେସନ ମହିଳାମାନଙ୍କ ମନରେ ସାହସିକତା ଭରିବ।

ଜାତୀୟ ଶିକ୍ଷା ନୀତି (NEP-2020) ର କାର୍ଯ୍ୟାନ୍ୱୟନ ନେଇ ସ୍ଥାନୀୟ  କନଭେନସନ ସେଣ୍ଟର ଠାରେ  ଆୟୋଜିତ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ ‘ବୈପ୍ଲବିକ ପରିବର୍ତ୍ତନ’ର ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଭାରତର ‘ଜ୍ଞାନର ପେଣ୍ଠସ୍ଥଳୀ’ ଭାବେ ଗଢ଼ିତୋଳିବାକୁ ଏକ ଦୂରଦର୍ଶୀ ରୋଡ୍‌ମ୍ୟାପ୍ ଉପସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବହୁ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ଥିବା ଜଡ଼ତାକୁ ଦୂର କରିବା ଆମ ସରକାରଙ୍କ ପ୍ରାଥମିକତା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ପ୍ରଣୀତ ଏହି ଶିକ୍ଷା ନୀତି କେବଳ ଏକ ସରକାରୀ ଦସ୍ତାବିଜ୍ ନୁହେଁ, ବରଂ ଏହା ଭାରତକୁ ବିଶ୍ୱର ‘ନଲେଜ୍ କ୍ୟାପିଟାଲ୍’ ଭାବେ ପ୍ରତିଷ୍ଠିତ କରିବାର ଏକ ମହତ୍ ମିଶନ। ଶିକ୍ଷା କେବଳ ପୁସ୍ତକଗତ ଜ୍ଞାନ ନୁହେଁ, ବରଂ ଏହା ମାନବ ସଭ୍ୟତାର ପ୍ରଗତିର ମୂଳଦୁଆ। ଆମ ପିଲାମାନେ ଯେପରି ‘Industry-Ready’ ହେବେ ଏବଂ ବିଶ୍ୱସ୍ତରରେ ପ୍ରତିଯୋଗିତା କରିପାରିବେ, ସେଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଶିକ୍ଷାକୁ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଭାବେ ଦର୍ଶାଇ ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ଶିକ୍ଷା କ୍ଷେତ୍ର ପାଇଁ ୪୧,୨୭୩ କୋଟି ଟଙ୍କାର ଏକ ବିଶାଳ ପାଣ୍ଠି ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ମତରେ, ଏହି ପୁଞ୍ଜି ବିନିଯୋଗ ଓଡ଼ିଶାର ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏକ ମଜବୁତ ମୂଳଦୁଆ ସଦୃଶ ହେବ। ଏହି ପଦକ୍ଷେପ ମାଧ୍ୟମରେ ରାଜ୍ୟର ଶିକ୍ଷା ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଗ୍ରାମାଞ୍ଚଳ ଓ ସହର ମଧ୍ୟରେ ଥିବା ଶୈକ୍ଷିକ ପାର୍ଥକ୍ୟକୁ ଦୂର କରିବା ପାଇଁ ସରକାର ‘ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ପାଇଁ ୧୨,୦୦୦ କୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ ରାଜ୍ୟର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏହି ବିଦ୍ୟାଳୟଗୁଡ଼ିକରେ ସହରାଞ୍ଚଳ ଭଳି ଉନ୍ନତ ଶ୍ରେଣୀଗୃହ, ବିଜ୍ଞାନାଗାର ଓ ଉନ୍ନତ କ୍ରୀଡ଼ା ସୁବିଧା ଉପଲବ୍ଧ ହେବ, ଯାହା ଗାଁର ମେଧାବୀ ଛାତ୍ରଛାତ୍ରୀଙ୍କୁ ନିଜ ଅଞ୍ଚଳରେ ହିଁ ଗୁଣାତ୍ମକ ଶିକ୍ଷା ପାଇବାରେ ସହାୟକ ହେବ। ସରକାରଙ୍କର ଏହି ପଦକ୍ଷେପ ଗ୍ରାମାଞ୍ଚଳ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।

ସାମାଜିକ ନ୍ୟାୟ ଏବଂ ସମାନତାକୁ ଗୁରୁତ୍ୱ ଦେଇ ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଣିକି ଉଚ୍ଚଶିକ୍ଷା ନିମନ୍ତେ SEBC ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି। ଏହା ବ୍ୟତୀତ ଅନୁସୂଚିତ ଜନଜାତି (ST) ବର୍ଗର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଛାଡ଼ିବା ହାର ବା ‘ଡ୍ରପ୍-ଆଉଟ୍’ ରୋକିବା ପାଇଁ ‘ଶହୀଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା’ ମାଧ୍ୟମରେ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି ସାମାଜିକ ସଂସ୍କାର ମୂଳକ ପଦକ୍ଷେପ ସମାଜର ଶେଷ ଧାଡ଼ିରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଅନ୍ୟପଟେ, ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ଏବଂ ମାତୃଭାଷାରେ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅଭିନବ ପ୍ରୟାସ କରିଛନ୍ତି। ବୈଷୟିକ ଏବଂ ଉଚ୍ଚଶିକ୍ଷା ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଚଳନ କରିବା ପାଇଁ ରାଜ୍ୟ ସରକାର ଇଗ୍ନୋ (IGNOU) ସହ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି। ଏହାଦ୍ୱାରା ଭାଷାଗତ ପ୍ରତିବନ୍ଧକ ଦୂର ହେବା ସହ ଛାତ୍ରଛାତ୍ରୀମାନେ ନିଜ ମାତୃଭାଷାରେ ଜଟିଳ ବିଷୟଗୁଡ଼ିକୁ ସହଜରେ ବୁଝିପାରିବେ। ଏହି ସମସ୍ତ ପଦକ୍ଷେପ ଓଡ଼ିଶାକୁ ଆଗାମୀ ଦିନରେ ଦେଶର ଶ୍ରେଷ୍ଠ ‘ଜ୍ଞାନ ଭିତ୍ତିକ ସମାଜ’ ଭାବେ ଗଢ଼ିତୋଳିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୁବପିଢ଼ି ଓ ଛାତ୍ରୀମାନଙ୍କ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଇଣ୍ଟର୍ନସିପ୍ ନିର୍ଦ୍ଦେଶିକା ପୁସ୍ତକ ଉନ୍ମୋଚନ କରିବା ସହ ‘ଶକ୍ତିଶ୍ରୀ’ (ShaktiShree) ମୋବାଇଲ୍ ଆପ୍‌ର ଉଦ୍‌ଘାଟନ କରିଛନ୍ତି।

 

Post Views31 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!