ସିବିଆଇ ନିଟ୍- ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ଦ୍ବିତୀୟ ମୁଖ୍ୟ ଅଭିଯୁକ୍ତ ତଥା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପାନେଲରେ ଥିବା ଜୀବବିଜ୍ଞାନ ଅଧ୍ୟାପିକାଙ୍କୁ ଗିରଫ କରିଛି। ପ୍ରଶ୍ନପତ୍ର ଲିକ୍ ରାକେଟର ମୁଖ୍ୟ କୁହାଯାଉଥିବା ଅବସରପ୍ରାପ୍ତ ରସାୟନ ବିଜ୍ଞାନ ଅଧ୍ୟାପକ ପିଭି କୁଲକର୍ଣ୍ଣୀଙ୍କୁ ଗିରଫ କରିବାର ଦିନକ ପରେ ଏନ୍ଟିଏ ପେପର୍-ସେଟିଂ କମିଟିରେ ଥିବା ମହିଳା ଜୀବବିଜ୍ଞାନ ଅଧ୍ୟାପିକାଙ୍କୁ ଗିରଫ କରିଛି।
ମହିଳା ଅଧ୍ୟାପିକା ମନୀଷା ମନ୍ଧାରେଙ୍କୁ ସିବିଆଇ ପଚରାଉଚରା କରିବା ପରେ ଶନିବାର ଗିରଫ କରିଛି। ଅଧିକାରୀଙ୍କ ଅନୁଯାୟୀ, ମନ୍ଧାରେ ମଧ୍ୟ କୁଲକର୍ଣ୍ଣୀଙ୍କ ପରି ସମାନ ଢଙ୍ଗରେ ଲିକ୍ ହୋଇଥିବା ପ୍ରଶ୍ନଗୁଡ଼ିକୁ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଥିଲେ। ଏହି ଛାତ୍ରଛାତ୍ରୀମାନେ ତାଙ୍କଠାରୁ ପାଠ ପଢ଼ିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେଉଥିଲେ। ସିବିଆଇ ତଦନ୍ତରୁ ଜଣାପଡ଼ିଛି ଯେ, ଦୁଇଟି ସେଟ୍ ପ୍ରଶ୍ନପତ୍ର ଗୋଟିଏ ହାତଲେଖା ଓ ଅନ୍ୟଟି ଟାଇପ୍ ହୋଇଥିବା ଏନ୍ଟିଏରୁ ଲିକ୍ ହୋଇଥିଲା ଓ ଏହା ପଛରେ କୁଲକର୍ଣ୍ଣୀ ଓ ମନ୍ଧାରେ ଥିଲେ। ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିବା ପୂରା କମିଟି ଓ ଏନ୍ଟିଏର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସିବିଆଇ ସ୍କାନରରେ ଅଛନ୍ତି।
ଆଗାମୀ ଦିନରେ ଅଧିକ ଲୋକଙ୍କୁ ଗିରଫ କରାଯାଇପାରେ।ସିବିଆଇର ଜଣେ ଅଧିକାରୀ କହିଛନ୍ତି ଯେ , ପେପର ଲିକ୍ ତଦନ୍ତରେ ପ୍ରଥମ ଥର ପାଇଁ ଆମେ ଏନ୍ଟିଏରେ ଲିକ୍ର ଉତ୍ସ ପାଇଛୁ। ପେପର ଲିକ୍ ହେବା ପରେ ଓ ଏହାର ପିଡିଏଫ୍ ମେସେଜିଂ ଗ୍ରୁପରେ ବାହାରିବା ପରେ ଏହାର ଶହ ଶହ ହିତାଧିକାରୀ ଥାଇପାରନ୍ତି। ଆମେ ସମସ୍ତଙ୍କୁ ଖୋଜିବୁ କିନ୍ତୁ ପ୍ରଥମେ ଆମେ ଲିକ୍ର ଉତ୍ସ ଓ ସେମାନଙ୍କ ସହଯୋଗୀମାନଙ୍କ ଉପରେ କାମ କରୁଛୁ।

