ଉତ୍ତରପ୍ରଦେଶ ପ୍ରୟାଗରାଜର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ବିଲ୍ଡିଂର ତିନି ମହଲା ପୋଡ଼ି ନଷ୍ଟ ହୋଇଯାଇଥିବା ବ୍ୟାପକ ସାମଗ୍ରୀ ପାଉଁଶ ହୋଇଯାଇଛି।
ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନି ହୋଇନାହିଁ। ଅଗ୍ନିକାଣ୍ଡର ସୂଚନା ପାଇ ପୋଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହା ସହ ନିଆଁରେ ଫସିଥିବା ୧୩ ଜଣକୁ ସୁରକ୍ଷିତ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ, ସିଭିଲ ଲାଇନ୍ସରେ ଭିଟ୍ଟଲ ହୋଟେଲରେ ସୋମବାର ଦ୍ବିପ୍ରହର ସାଢ଼େ ୧ଟା ବେଳେ ଅଗ୍ନିକାଣ୍ଡ ଘଟିଥିଲା। ହୋଟେଲ ନିକଟରେ ଥିବା ଏକ ଟ୍ରାନ୍ସଫର୍ମରରେ ହଠାତ୍ ବିସ୍ଫୋରଣରୁ ନିଆଁ ଛିଟିକି ହୋଟେଲର ତୃତୀୟ ମହଲାରେ ପହଞ୍ଚିଯାଇଥିଲା। ଆଉ ଦେଖୁ ଦେଖୁ ନିଆଁ ପୂରା ବିଲ୍ଡିଂରେ ଲାଗିଯାଇଥିଲା।
ତେବେ ଘଟଣା ସମୟରେ ହୋଟେଲ ଭିତରେ ଅନେକ ଲୋକ ଫସିଥିଲେ। ତେଣୁ ନିଆଁ ଦେଖି ଭୟଭୀତ ଲୋକେ ଜୀବନ ବଞ୍ଚାଇବାକୁ ସେଠାରେ ଦୌଡ଼ିବାକୁ ଆରମ୍ଭ କରିଥିଲେ।
ମାତ୍ର ୧୩ ଜଣ ହୋଟେଲର ବିଲ୍ଡିଂରେ ହିଁ ଫସି ରହିଥିଲେ। ସେପଟେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ୧୩ ଜଣକୁ ଉଦ୍ଧାର କରିଥିଲା ଏବଂ ନିଆଁକୁ ଆୟତ୍ତ କରିଥିଲା। ବଡ଼ କଥା ହେଲା ଏଥିରେ କାହାର ଜୀବନ ହାନି ହୋଇନାହିଁ।

