ଓଡ଼ିଶା ଏବଂ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । କୋଲକାତାରେ ଅବସ୍ଥାପିତ ଜାପାନର କନସୁଲ୍ ଜେନେରାଲ୍ ମିଷ୍ଟର ଇସିକାୱା ୟୋସିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ଓଡ଼ିଶା ଏବଂ ଜାପାନର ‘ତୋତ୍ତୋରି’ ରାଜ୍ୟ ମଧ୍ୟରେ ସହଭାଗୀତା ସୃଷ୍ଟି କରାଯାଇ ଦୁଇ ରାଜ୍ୟକୁ ‘ସିଷ୍ଟର ଷ୍ଟେଟ୍ସ’ ଭାବେ ଗଢ଼ାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି ।
ଉଭୟ ରାଜ୍ୟ ‘ସିଷ୍ଟର ଷ୍ଟେଟ୍ସ’ ଭାବେ କାର୍ଯ୍ୟ କରିବେ । ଆଗାମୀ ଦିନରେ ଦୁଇ ଦେଶର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପରସ୍ପର ରାଜ୍ୟ ଗସ୍ତ କରିବେ । ପରବର୍ତ୍ତୀ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ତୋତ୍ତୋରି’ର ରାଜ୍ୟପାଳ ଏହି ପାର୍ଟନରସିପ୍ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରିବେ । ଓଡ଼ିଶାର ଯୁବକ ଯୁବତୀମାନେ ଯେପରି ଜାପାନରେ ଅଧିକ ନିଯୁକ୍ତି ପାଇପାରିବେ, ସେଥିପାଇଁ ଜାପାନର ପ୍ରମୁଖ ରିକ୍ରୁଟମେଣ୍ଟ ଏଜେନ୍ସିଗୁଡ଼ିକ ଓଡ଼ିଶାରେ କାମ କରିବେ ଏବଂ ଆବଶ୍ୟକ ସହଯୋଗ ଯୋଗାଇଦେବେ । ଓଡ଼ିଶାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପରେ ଜାପାନର ସହଯୋଗକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ ଜାପାନ ଓଡ଼ିଶାରେ ଅଧିକ ନିବେଶ କରି ଶିଳ୍ପାୟନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଉଭୟ ଜାପାନ ଓ ଓଡ଼ିଶା ମଧ୍ୟରେ ଥିବା ଐତିହାସିକ କଳା, ସାଂସ୍କୃତିକ ସମ୍ପର୍କ ଏବଂ ଓଡ଼ିଶାର ପ୍ରସିଦ୍ଧ ‘ବୁଦ୍ଧିଷ୍ଟ ସର୍କିଟ୍’ ସହ ଅନ୍ୟାନ୍ୟ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀର ବିକାଶ ଉପରେ କନସୁଲ ଜେନେରାଲ୍ ଗୁରୁତ୍ୱାରୋପ କରିଛନ୍ତି ।
“ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶ ଉଦ୍ୟମରେ ଜାପାନ ସବୁବେଳେ ସହଯୋଗ କରିବାକୁ ପ୍ରସ୍ତୁତ ଅଛି।” ବୋଲି ଜାପାନ କନସୁଲ ଜେନେରାଲ କହିଛନ୍ତି । ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟତଃ ବାଣିଜ୍ୟ ଓ ପୁଞ୍ଜିନିବେଶ, ଆଧୁନିକ ଟେକ୍ନୋଲୋଜି ଆଦାନପ୍ରଦାନ, ପର୍ଯ୍ୟଟନ ଏବଂ ବୁଦ୍ଧିଷ୍ଟ ସର୍କିଟ୍ ପ୍ରସାର, ଉଚ୍ଚଶିକ୍ଷା କ୍ଷେତ୍ରରେ ସହଭାଗୀତା କ୍ଷେତ୍ରଗୁଡ଼ିକର ବିକାଶ ଏବଂ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ସହମତି ପ୍ରକାଶ ପାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

