ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଆଜିଠୁ ବସ୍‌, ଟ୍ରକର ଷ୍ଟିଅରିଂ ଧରିବେନି ୨ ଲକ୍ଷ ଡ୍ରାଇଭର । ରାସ୍ତାରେ ଅଟୋରିକ୍ସା, କାର ଚଳାଚଳ ବି ବନ୍ଦ ରହିଛି। ସ୍ୱତନ୍ତ୍ର ଆଇନ୍‌ ଦାବିରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଲା ଓଡିଶା ଡ୍ରାଇଭର ମହାସଂଘ । ଅନ୍ୟପଟେ ବୁଧବାର ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା ଦେଇଛି ଶ୍ରମିକ ସଂଗଠନ । ବାମପନ୍ଥୀ ଦଳ ବି ଧର୍ମଘଟକୁ ସମର୍ଥନ ଜଣାଇଛି । ଫଳରେ ସାଧାରଣ ଜନତାଙ୍କ ଜୀବନଯାତ୍ରା ଅନେକାଂଶରେ ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି ।

ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ସୂଚନା ମୁତାବକ, ସରକାରଙ୍କୁ ଦେଢ଼ମାସ ସମୟ ଦେଲୁ । ହେଲେ, ସରକାର ଥରଟିଏ ବି ଆଲୋଚନା ପାଇଁ ଡାକିଲେନି । ଆମେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଛୁ । ବିଭିନ୍ନ ସରକାରୀ ଗାଡ଼ି, ସ୍କୁଲ ବସ, ଆମ୍ବୁଲାନ୍ସ, ଓମ୍‌ଫେଡ୍‌ କ୍ଷୀର ବୋହୁଥିବା ଅତ୍ୟାବଶ୍ୟକୀୟ ଗାଡ଼ିକୁ ଆନ୍ଦୋଳନରୁ ବାଦ୍‌ ଦିଆଯାଇଛି । ସବୁବର୍ଗର ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି । କିଛି ଜିଲ୍ଲାର ଚାଳକ ସଂଘ ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ସାମିଲ୍‌ ହେବେ ନାହିଁ ବୋଲି ରୋକ୍‌ଠୋକ ଶୁଣାଇଛନ୍ତି । ଫଳରେ ମହାସଂଘ ୨ ଫାଳ ହୋଇଯାଇଛି । ଓଡିଶା ସଡ଼କ ପରିବହନ ଶ୍ରମିକ ମହାସଂଘ ମିଳିତ ମଞ୍ଚ ଏହି ଆନ୍ଦୋଳନକୁ ବିରୋଧ କରିଛି । ସାଙ୍ଗଠନିକ ସମ୍ପାଦକ ସନ୍ତୋଷ ସାହୁ କହିଛନ୍ତି, ରାଜ୍ୟରେ ୩୫ଟି ସଂଘ ଥିବା ବେଳେ ଗୋଟିଏ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛି । ନିଜର ଆଧିପତ୍ୟ ଜାହିର୍‌ ଓ ସ୍ୱାର୍ଥ ହାସଲ ପାଇଁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି । ସରକାରଙ୍କୁ ଅଡୁଆରେ ପକାଇବାକୁ ଚକ୍ରାନ୍ତ ଚାଲିଛି । ସରକାର ସୁରକ୍ଷା ଦେଲେ, ଯାନବାହାନ ଚଳାଚଳ ସ୍ୱାଭାବିକ ହେବ ।

ପରିବହନ ବିଭାଗ ପକ୍ଷରୁ ଗାଡ଼ି ଯାଞ୍ଚ ନେଇ ପୁଲିସକୁ ଅତିରିକ୍ତ କ୍ଷମତା ଦେବା ପ୍ରସ୍ତାବକୁ ଟ୍ରକ ଓ ବସ୍‌ ମାଲିକ ସଂଘ ମାସେ ଧରି ବିରୋଧ କରିଆସୁଛି । ଉଭୟ ସଂଘ ଏହି ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ପରୋକ୍ଷରେ ସମର୍ଥନ ଜଣାଇଛି । ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି, ଚାଳକମାନଙ୍କ ସ୍ୱତନ୍ତ୍ର ଆଇନ୍‌ ଦାବି ଯୁକ୍ତିଯୁକ୍ତ । ଯାତ୍ରୀମାନଙ୍କ ସୁବିଧା ଲାଗି ବସ୍‌ ଚଳାଚଳକୁ ଆମେ ପ୍ରାଥମିକତା ଦେଉଛୁ । ହେଲେ, ଡ୍ରାଇଭରମାନଙ୍କ ଆନ୍ଦୋଳନାତ୍ମକ ସ୍ଥିତିକୁ ଦେଖି ସଂଘ ନିଷ୍ପତ୍ତି ଜଣାଇବ । ରାଜ୍ୟ ଟ୍ରକ ମାଲିକ ମହାସଂଘ ସଭାପତି ପୁରଞ୍ଜନ ପାଢ଼ୀଙ୍କ କହିବା ମୁତାବକ, ରାଜ୍ୟର ଅଧିକାଂଶ ଡ୍ରାଇଭର ଟ୍ରକ, ମିନି ଟ୍ରକ, ହାଇୱା ଚଳାଉଛନ୍ତି । ସେମାନଙ୍କ ଆନ୍ଦୋଳନ ଯୋଗୁ ଟ୍ରକ ଚଳାଚଳ ଅସମ୍ଭବ । ଆମେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ସମର୍ଥନ କରୁଛୁ । ମହାସଂଘର ଦାବିଗୁଡ଼ିକ ହେଲା, ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଆଣ୍ଡ ୱାକର୍ସ ୱେଲ୍‌ଫେୟାର ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ କରାଯାଉ । ୬୦ ବର୍ଷ ପରେ ପେନସନ, ଦୁର୍ଘଟଣାରେ ମୃତକ ଡ୍ରାଇଭର ପରିବାରକୁ ୨୦ ଲକ୍ଷର ବୀମା ରାଶି ମିଳୁ । ଦୁର୍ଘଟଣାରେ ଚିକିତ୍ସା ପାଇଁ ୫ ଲକ୍ଷ ଦିଆଯାଉ । ପ୍ରତି ୧୦୦ କିମି ଦୂରତାରେ ଡ୍ରାଇଭରଙ୍କ ପାଇଁ ବିଶ୍ରାମାଗାର ଓ ଶୌଚାଳୟ ନିର୍ମାଣ କରାଯାଉ । ଗାଡି଼ ଚଳାଇବାର ସମୟସୀମା ଧାର୍ଯ୍ୟ ହେଉ । ଡ୍ରାଇଭିଂ ଲାଇସେନ୍ସ ଦେୟ ୧୫ ହଜାର ଟଙ୍କାକୁ କମ୍‌ କରାଯାଉ । ପ୍ରତି ଖଣି ଖାଦାନ ଓ କାରଖାନାରେ ୭୦ ପ୍ରତିଶତ ଡ୍ରାଇଭରଙ୍କୁ କାମ ପାଇଁ ଅଗ୍ରାଧିକାର ଦିଆଯାଉ । ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ ।

ଅନ୍ୟପକ୍ଷରେ ଷ୍ଟିଅରି ଛାଡ଼ ଆନ୍ଦୋଳନ ବେଳେ ସରକାରୀ ବସ୍‌ ସେବାକୁ ଠପ୍‌ କରିବାକୁ ଡ୍ରାଇଭର ମହାସଂଘ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଉଠିଛି । ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ଏକ ଅଡିଓ ଭାଇରାଲ୍‌ ହେଉଛି ଯେଉଁଥିରେ ସେ ପ୍ରତିଟି ଷ୍ଟପେଜ୍‌ରେ ସରକାରୀ ବସ୍‌କୁ ଘଣ୍ଟାଏ ଲେଖାଏଁ ଅଟକ ରଖିବାକୁ ସମସ୍ତ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଉଛନ୍ତି । ଏହି ଅଡିଓ ଭାଇରାଲ୍‌ ହେବା ପରେ ସରକାରୀ ସ୍ତରରେ ମୁକାବିଲା ପାଇଁ ଯୋଜନା ଆରମ୍ଭ ହୋଇଛି । ଉକ୍ତ ଅଡିଓରେ ଆନ୍ଦୋଳନକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ କରିବା ଲାଗି ସଦସ୍ୟମାନଙ୍କୁ ଶ୍ରୀ ମେଣ୍ଡୁଳି କହୁଛନ୍ତି । କିନ୍ତୁ ପ୍ରତି ଷ୍ଟପେଜ୍‌ରେ ସରକାରୀ ଡ୍ରାଇଭରମାନଙ୍କୁ ବୁଝାଇବା ଆଳରେ ସରକାରୀ ବସ୍‌କୁ ଅଧଘଣ୍ଟାରୁ ଗୋଟେ ଘଣ୍ଟା ପର୍ଯ୍ୟନ୍ତ ଅଟକାଇବାକୁ ସେ ପ୍ରବର୍ତ୍ତାଉଛନ୍ତି । ସରକାରୀ ବସ୍‌ଗୁଡ଼ିକ ନିର୍ଦ୍ଧାରିତ ସମୟଠାରୁ ୫/୬ଘଣ୍ଟା ବିଳମ୍ବରେ ଗଡ଼ିଲେ, ସମ୍ପୃକ୍ତ ସରକାରୀ ଗାଡ଼ିର ଡ୍ରାଇଭର୍‌ ଗାଡ଼ି ଛାଡ଼ିଦେବାକୁ ବାଧ୍ୟ ହେବେ ବୋଲି ସେ କହୁଛନ୍ତି । କୌଣସି ପ୍ରଶାସନିକ ଅଧିକାରୀ, ନେତାଙ୍କ କଥାରେ ଭାସି ନ ଯିବାକୁ ଅଡିଓରେ ପରାମର୍ଶ ଦେଉଛନ୍ତି ।

Post Views5 Total Count

Apply Now


This will close in 0 seconds

error: Content is protected !!